ହକିର ସ୍ବର୍ଣ୍ଣିମ ଦିନ ଫେରିଛି

କାମାକ୍ଷାନଗର, ୭।୧(ଡି.ଏନ୍‌.ଏ.): ଢେଙ୍କାନାଳରୁ ବିଦାୟ ନେବା ପରେ ପୂର୍ବାହ୍ନ ୧୧ଟାରେ କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପାଖରେ ପହଞ୍ଚତ୍ଥିଲା ଟ୍ରଫି। ସେଠାରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହାକୁ ସମ୍ବର୍ଦ୍ଧିତ କରିଥିଲେ। ଜଗନ୍ନାଥ ବଜାର ଛକଠାରୁ ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର ଏହାକୁ ସ୍ବାଗତ କରିଥିଲେ। ମନ୍ତ୍ରୀ ନିଜ ଅଭିଭାଷଣରେ କହିଲେ, ହକିର ସ୍ବର୍ଣ୍ଣିମ ଦିନ ଫେରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି। ଓଡ଼ିଶା ଏଭଳି ବିଶ୍ୱସ୍ତରୀୟ କ୍ରୀଡ଼ାର ଆୟୋଜନ କରି ଆଗାମୀ ପିଢ଼ି ପାଇଁ ସୁଯୋଗ ସୃଷ୍ଟି କରିଛି। ସମସ୍ତେ ଏହାର ସୁଯୋଗ ନେବାକୁ ମନ୍ତ୍ରୀ ନିବେଦନ କରିଛନ୍ତି। କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡ଼ା, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ, ଏସ୍‌ଡିପିଓ ରଞ୍ଜନ କୁମାର ଦେ, ବିଡିଓ ବିକାଶ କୁମାର ମହାନ୍ତି, ତହସିଲଦାର ସାଞ୍ଜଳି ମାଝି, ନିର୍ବାହୀ ଅଧିକାରୀ ଯତିନ୍ଦ୍ର କୁମାର ମିଶ୍ର, ରାଜସ୍ବ ଅଧିକାରୀ ମଦନମୋହନ ଜେନା, ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ, ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ବିଡିଓ କଲ୍ୟାଣ ସୌରଭ ଦାଶ, ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ, ତହସିଲଦାର ରୋଜାଲିନ ନାୟକଙ୍କ ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଛାତ୍ରୀଛାତ୍ରଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Share