ମା’ ବନଦୁର୍ଗା ମନ୍ଦିର ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ, ରାଇକିଆ ଉତ୍ସବମୁଖର

ରାଇକିଆ, ୪।୧୦(ପ୍ରଦୀପ ବେହେରା):ରାଇକିଆର ପ୍ରତିଷ୍ଠିତ ଦେବୀ ମା’ ବନଦୁର୍ଗାଙ୍କର ମନ୍ଦିର ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ ଶୁକ୍ରବାର ଅନୁଷ୍ଠିତ ହେଉଛି । ଏହାକୁ ଅତ୍ୟନ୍ତ ଜାକଜମକରେ ରାଇକିଆବାସୀ ପାଳନ କରୁଛନ୍ତି । ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମା’ଙ୍କ ଜନ୍ମୋତ୍ସବ ପାଳିତ ହୋଇଥାଏ। ଚଳିତ ବର୍ଷ ମନ୍ଦିର ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ହୋଇଛି। ଏଥି ପାଇଁ ରାଇକିଆ ସହର ଚଳଚଞ୍ଚଳ ହୋଇଉଠିଛି । ସକାଳୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିବା ସହ ପୂଜାର୍ଚ୍ଚନା, ହୋମ ଯଜ୍ଞ ହୋଇଯାଇଛି। ସନ୍ଧ୍ୟାରେ ସାମୂହିକ ପୂଜା ଆଳତୀ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
କାର୍ଯ୍ୟକ୍ରମକୁ ବ୍ଲକର ବିଭିନ୍ନ ଅଞ୍ଚଳରେ ଥିବା ଗ୍ରାମ୍ୟ ଦେବାଦେବୀ ମନ୍ଦିର କମିଟିକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଏଥି ସହ ୯ ରୁ ୧୬ ତାରିଖ ପର୍ଯ୍ୟନ୍ତ ଦଶହରା ଉତ୍ସବ ପାଇଁ ମଧ୍ୟ କମିଟି ପକ୍ଷରୁ ବ୍ୟାପକ ଅୟୋଜନ କରାଯାଇଅଛି। ଆକର୍ଷଣୀୟ ତୋରଣ ସାଙ୍ଗକୁ ବ୍ୟାପକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଅଛି। ବିଭିନ୍ନ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଅୟୋଜନ କରାଯାଉଥିବା କମିଟି ସମ୍ପାଦକ ସନ୍ତୋଷ ଲେଙ୍କା ପ୍ରକାଶ କରିଛନ୍ତି ।

 

Share