୨ ଦୁର୍ବୃତ୍ତଙ୍କ ସହ ସୁନା ଦୋକାନୀ ଜେଲ ଗଲେ

ରାଜକନିକା,୧୭ା୮(ସଞ୍ଜୟ କୁମାର ଦାଶ):କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ବାରମ୍ବାର ଚୋରି ହେଉଥିଲା। ଚୋରି ଘଟଣାରେ ଗୁରୁବାର ପୋଲିସ ୩୪. ୫ ଗ୍ରାମ୍‌ ସୁନା ଜବତ କରିବା ସହ ୨ ଦୁର୍ବୃତ୍ତଙ୍କ ସହ ସୁନା କିଣିଥିବା ଦୋକାନୀଙ୍କୁ ଧରି କୋର୍ଟଚାଲାଣ କରିଥିଲା। କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏମାନଙ୍କ ସହ ଅନ୍ୟ କେହି ଥିବା ସନ୍ଦେହରେ ପୋଲିସ ଅଧିକ ତଦନ୍ତ ଚଳାଇଛି।
ରାଜକନିକା ବିଡିଓ ପୃଥ୍ବୀରାଜ ପରିଡାଙ୍କ ଅନୁପସ୍ଥିତିରେ ତାଙ୍କ ସରକାରୀ ବାସଭବନରୁ ଜାନୁୟାରୀ ୨୭, ମେ ୧୮ ଓ ଜୁନ୍‌ ୧୨କୁ ମିଶାଇ ସମାନ ଢଙ୍ଗରେ ୩ଥରରେ ଦୁର୍ବୃତ୍ତ ସୁନା ଅଳଙ୍କାର, ଲାପଟପ୍‌, ମୋବାଇଲ୍‌, ଟିଭି, କମ୍ପ୍ୟୁଟର ହାର୍ଡ ଡିସ୍କ ଭଳି ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ଚୋରି ହୋଇଥିଲା। ସେହିପରି ସଦର ନୂଆସାହି (ବାଘବୁଦା) ଗଁାର ପ୍ରକାଶ ପାଣିଙ୍କ ଘରେ କେହି ନ ଥିବାର ସୁଯୋଗ ନେଇ ଜୁନ ୧୧ରେ ଲକ୍ଷାଧିକ ଟଙ୍କାର ସୁନାରୁପା ସହ ଆସବାବପତ୍ର ଚୋରି ହେବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ବିଡିଓଙ୍କ ଘରୁ ଚୋରିକୁ ନେଇ ଜୁନ୍‌ ୧୯ରୁ ବ୍ଲକ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଥିଲେ। ଜୁନ୍‌ ୨୪ରେ ତତ୍କାଳୀନ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ କ୍ଷମା ସାଗର ପଣ୍ଡାଙ୍କ ପ୍ରତିଶ୍ରୁତିରେ କର୍ମଚାରୀମାନେ କାର୍ଯ୍ୟ ଆରମ୍ଭ କରିଥିଲେ। ଏସ୍‌ପି ସିଦ୍ଧାର୍ଥ କାଟାରିଆଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଟିମ୍‌ ଗଠନ କରାଯାଇଥିଲା। ରାଜକନିକା ପୋଲିସ ଏହି ଘଟଣାର ଗୁରୁବାର ପର୍ଦ୍ଦାଫାଶ କରିଛି। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ଜରିଆ ଗଁାର କୁନା ଦାସ(୨୬), ରଞ୍ଜିତ ଦାସ(୨୪) ୨ ଭାଇଙ୍କୁ ତାଙ୍କ ଘରୁ ପୋଲିସ କାବୁ କରିଥିଲା। ସେମାନେ ବିକ୍ରି କରିଥିବା ସୁନା ଅଳଙ୍କାରଗୁଡ଼ିକୁ ଭଦ୍ରକ ଜିଲା ଧାମନଗର ଥାନା ଅଞ୍ଚଳ ମେଡିକାଲ ଛକଠାରେ ଥିବା ସଞ୍ଜୟ ଚାରମୂଳଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ଅଭିଯୁକ୍ତ କୁନାଙ୍କ ନାମରେ ଆଗରୁ ଅନ୍ୟ ଥାନାରେ ମାମଲା ରହିଛି। ଭାରତୀୟ ନ୍ୟାୟ ସଂହିତା ଦଫା ୪୫୭, ୩୮୦ରେ ନଂ. ୫୦/୨୪ରେ ମାମଲା ରୁଜୁ କରି ଗୁରୁବାର ୩ ଜଣଙ୍କୁ ଡାକ୍ତରୀପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଛି । ଏ ସମ୍ପର୍କରେ ଆଇଆଇସି ଦିଲୀପ କୁମାର ଧଳଙ୍କୁ ପଚାରିବାରେ ଅନ୍ୟ କାହାର ସମ୍ପୃକ୍ତି ଥିବା ନେଇ ଅଧିକ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

Share