କେନ୍ଦୁଝର,୨୦।୧୧(ସ୍ବ.ପ୍ର.): କେନ୍ଦୁଝର ଗଡ଼ ପୌର ପରିଷଦରେ ଲକ୍ଷାଧିକ ଟଙ୍କା ବ୍ୟୟରେ କିଛି ବର୍ଷ ତଳେ ବିଭିନ୍ନ ଓ୍ବାର୍ଡରେ ନିର୍ମାଣ ହୋଇଥିବା କଂକ୍ରିଟ ଡଷ୍ଟବିନ୍ଗୁଡ଼ିକୁ ପୌର ପ୍ରଶାସନ ଭାଙ୍ଗିଦେଇଛି। ସ୍ବଚ୍ଛତା ନାମରେ ଜେସିବି ଲଗାଇ ଧ୍ୱସ୍ତ କରିଦିଆଯାଇଛି। ପୂର୍ବରୁ ମଧ୍ୟ ପ୍ଲାଷ୍ଟିକ୍ ଓ ଲୁହା ଡଷ୍ଟବିନ୍ ଭଙ୍ଗା ଯାଇଥିବା ବେଳେ ତାହାର କୌଣସି ହିସାବ କାହା ପାଖରେ ନାହିଁ। ଏବେ ପୁଣି ପୌରପରିଷଦର ନିଷ୍ପତ୍ତି କ୍ରମେ କଂକ୍ରିଟ୍ ଡଷ୍ଟବିନ୍ ଭଙ୍ଗାଯାଇଥିବା କୁହାଯାଉଥିବା ବେଳେ କ୍ଷତି କିଏ ଭରଣା କରିବ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି।
ପ୍ରକାଶ ଯେ, ଘରର ମଇଳା ବାହାରେ ନ ପକାଇବା ପାଇଁ ପ୍ରତ୍ୟେକ ଓ୍ବାର୍ଡରେ ଦୁଇ ବର୍ଷ ପୂର୍ବେ ପୌର ପ୍ରଶାସନ ପକ୍ଷରୁ କଂକ୍ରିଟର ଡଷ୍ଟବିନ ନିର୍ମାଣ ହୋଇଥିଲା। ଗୋଟିଏ ଓ୍ବାର୍ଡରେ ଦୁଇରୁ ତିନୋଟି ହିସାବରେ ତିଆରି ହୋଇଥିଲା। ଏଣୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପାଖାପାଖି ୫୦ଟି କଂକ୍ରିଟ ଡଷ୍ଟବିନ୍ ନିର୍ମାଣ କରାଯାଇ ଥିବା କୁହାଯାଉଛି। ଅନେକ ସମୟରେ ଅଳିଆ ଗାଡ଼ି ବିଭିନ୍ନ ଓ୍ବାର୍ଡକୁ ଯାଉ ନ ଥିବାରୁ ଲୋକେ ଉକ୍ତ ଡଷ୍ଟବିନ୍ରେ ମଇଳା ପକାଉଥିଲେ। ପୌର ପ୍ରଶାସନ ପକ୍ଷରୁ ସେଥିରୁ ମଧ୍ୟ ଦୀର୍ଘ ଦିନ ଧରି ଆବର୍ଜନା ଉଠାଯାଉ ନ ଥିଲା। ଏଣୁ ନିଜ ଦୁର୍ବଳତା ଲୁଚାଇବାକୁ ଯାଇ ସ୍ବଚ୍ଛତା ବାହାନାରେ ଡଷ୍ଟବିନ୍ ଭାଙ୍ଗି ଦିଆଯାଇଥିବା ଓ୍ବାର୍ଡବାସୀ କହିଛନ୍ତି। ପୂର୍ବରୁ ମଧ୍ୟ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ଲାଷ୍ଟିକ୍ ଓ ଲୁହା ଡଷ୍ଟବିନ୍ ସବୁ କିଣାଯାଇ ବିଭିନ୍ନ ସ୍ଥାନରେ ରଖାଯାଇଥିଲା। ସେସବୁ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ନିୟମାନୁଯାୟୀ ସେସବୁକୁ ପୌରପାଳିକା ଷ୍ଟକ୍କୁ ଯିବା କଥା। କିନ୍ତୁ ତାହା କ’ଣ ହେଲା ଠିକ୍ ତଥ୍ୟ କାହା ପାଖରେ ନାହିଁ। ଫଳରେ ଗତ ୪/୫ ବର୍ଷର ସ୍ବଚ୍ଛ ଓ ପରିମଳ ବାବଦକୁ ହୋଇଥିବା ସାମଗ୍ରୀ କିଣା ଏବଂ ଅର୍ଥ ଖର୍ଚ୍ଚ ଆଦିର ଯାଞ୍ଚ କରାଗଲେ ବହୁ ଘୋଟାଲା ଲୋକ ଲୋଚନକୁଆସିପାରିବ। ଅନ୍ୟପକ୍ଷରେ ଡଷ୍ଟବିନ୍କୁ ନ ଭଙ୍ଗା ଯାଇ ସେଥିରେ ଗଛ ଲଗାଯାଇ ପାରିଥାଆନ୍ତା ବୋଲି ସାମାଜିକ କର୍ମୀ ସିଦ୍ଧେଶ୍ୱର ସାହୁ ମତବ୍ୟକ୍ତ କରିଛନ୍ତି। ଏଭଳି ମନମୁଖି ଭଙ୍ଗା ଗଢ଼ା କାମ କରି ସରକାରୀ ଅର୍ଥର ଅପବ୍ୟୟ ହେଉଥିବାରୁ ଏହାର ତଦନ୍ତ ହେବା ଜରୁରୀ ବୋଲି ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ କହିଛନ୍ତି। ଏ ନେଇ ନିର୍ବାହୀ ଅଧିକାରିଣୀ ଡ. ମଧୁସ୍ମିତା ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ ହେଁ ଫୋନ୍ ଉଠାଇ ନଥିଲେ।
ଉପନଗରପାଳ ବରଦା ପ୍ରସନ୍ନ ଦାସ କହିଛନ୍ତି, ନଗର ଉନ୍ନୟନ ବିଭାଗର ଆଦେଶ କ୍ରମେ ଭଙ୍ଗାଯାଇଛି। ଏହାଦ୍ୱାରା ପରିବେଶ ଅଧିକ ଦୂଷିତ ହେଉଥିଲା। ଏବେ ଘର ଘର ବୁଲି ମଇଳା ସଂଗ୍ରହ କରାଯାଉଥିବାରୁ ସେସବୁର ଆବଶ୍ୟକତା ପଡୁନାହିଁ। ଏବେ ମଇଳା ସଂଗ୍ରହ ପାଇଁ ଅଧିକ ଗାଡ଼ି କିଣାଯିବ ବୋଲି ସେ କହିଥିଲେ।