ଖୁସି ଖବର: ଖୁବ୍‌ଶୀଘ୍ର କରୋନା ଟିକା ଆଣିବ ‘ଅଷ୍ଟ୍ରାଜେନେକା’

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ଏଥିରେ ମୃତ୍ୟୁବରଣ କରୁଛନ୍ତି। ଏହାକୁ ନିୟନ୍ତ୍ରଣ କରିବାର କୌଣସି ଉପାୟ ଏପର୍ଯ୍ୟନ୍ତ ମିଳିନାହିଁ। ମାତ୍ର କରୋନାର ଅନ୍ତ ଏବେ ଭେକ୍‌ସିନ୍‌ (ଟିକା) ଦ୍ୱାରା ହେବ, ଯେଉଁଥିପାଇଁ ଏବେ ବିଭିନ୍ନ ଦେଶରେ ପରୀକ୍ଷା ଜାରି ରହିଛି। ଏହି ସମୟରେ ଫାର୍ମାସ୍ୟୁଟିକାଲ କମ୍ପାନୀ ‘ଅଷ୍ଟ୍ରାଜେନେକା’ କରୋନା ଟିକାକୁ ନେଇ ଏକ ଖୁସି ଖବର ଦେଇଛି। ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି ଏହି କମ୍ପାନୀ ଟିକା ବିକଶିତ କରୁଥିବା ବେଳେ ଏ ପର୍ଯ୍ୟନ୍ତ ପରୀକ୍ଷଣରେ ଭଲ ଫଳ ମିଳିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ କରୋନା ଟିକା ବାହାରିପାରି ନାହିଁ। କିନ୍ତୁ ଅଷ୍ଟ୍ରାଜେନେକା ଟିକା ଏହି ଦୌଡରେ ସବୁଠାରୁ ଆଗରେ ରହିଛି। କାରଣ ମଣିଷ ଶରୀର ଉପରେ ଏହା ପ୍ରୟୋଗ ହୋଇଥିବା ବେଳେ ଭଲ ଫଳ ମିଳିଛି। ଏହା କେବଳ ସୁରକ୍ଷା ଦେଇ ନ ଥିଲା ବରଂ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିବାରେ ସହାୟକ ହେଉଛି। ଏହି ଟିକାର ତୃତୀୟ ପର୍ଯ୍ୟାୟର ମାନବ ପରୀକ୍ଷଣ ଚାଲୁ ରହିଛି।
ମୁଖ୍ୟକାର୍ଯ୍ୟନିର୍ବାହୀ ପାସ୍କଲ ସୋରିୟଟ ଗଣମାଧ୍ୟମକୁ କହିଛନ୍ତି ଯେ, ଟିକା ତିଆରି କରିବା କାମ ଭଲ ଭାବେ ଅଗ୍ରଗତି କରୁଛି। ପରୀକ୍ଷା ସମ୍ବନ୍ଧରେ ଆମର ଏପର୍ଯ୍ୟନ୍ତ ଭଲ ତଥ୍ୟ ରହିଛି। ତେବେ ଆଗକୁ କ୍ଳିନିକାଲ ପରୀକ୍ଷଣରେ ଫଳପ୍ରଦତା ଦେଖାଇବାକୁ ପଡ଼ିବ। ଚଳିତ ବର୍ଷ ଶେଷ ସୁସ୍ଥ ଏହି ଟିକା ଅନୁମୋଦନ ହେବ ବୋଲି ଆଶା ରଖିଛି କମ୍ପାନୀ।

Share