ସ୍ବେଚ୍ଛାକୃତ ଅବସର ପାଇଁ ଅରୁଣ ଷଡ଼ଙ୍ଗୀଙ୍କୁ ଅନୁମତି ଦେଲେ ସରକାର

ଭୁବନେଶ୍ୱର,୬ା୧୦(ଅନିଲ ଦାସ): ରାଜ୍ୟ ସରକାର ୧୯୯୦ ବ୍ୟାଚ ଆଇପିଏସ୍‌ ତଥା ପୂର୍ବତନ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କୁ ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଅନୁମତି ଦେଇଛନ୍ତି। ଏ ନେଇ ଶନିବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସେ ନିଜର ନୂଆ ଦାୟିତ୍ୱ ଆସନ୍ତା ସୋମବାର ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସରକାର ସର୍ବଭାରତୀୟ ସେବା ରୁଲ୍‌ସ-୧୯୫୮ର ଉପଧାରା-୨ରେ ଥିବା ସର୍ତ୍ତାବଳୀକୁ କୋହଳ କରି ତାଙ୍କୁ ଚାକିରିରୁ ଅବସର ନେବାକୁ ଅନୁମତି ଦେଇଛନ୍ତି। ଏଥିସହିତ ସେ ସର୍ବଭାରତୀୟ ସେବା ରୁଲ୍‌ସ-୧୯୫୮ର ବ୍ୟବସ୍ଥା ଆଧାରରେ ସମସ୍ତ ଅବସରକାଳୀନ ସୁବିଧା ପାଇବାକୁ ହକ୍‌ଦାର ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ସେପ୍ଟେମ୍ବର ୨୭ତାରିଖରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ। ଅରୁଣ ନିଜର ନୂଆ ଦାୟିତ୍ୱ ନେବା ପାଇଁ ସେପ୍ଟେମ୍ବର ୩୦ତାରିଖରେ ଚାକିରିରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ଅକ୍ଟୋବର ୭ତାରିଖ ପୂର୍ବାହ୍ନରୁ ତାଙ୍କୁ ଅବସର ପାଇଁ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ, ଅରୁଣଙ୍କର ଚାକିରି ୨୦୨୫ ଜୁଲାଇ ପର୍ଯ୍ୟନ୍ତ ଥିଲା। ତାଙ୍କୁ ପୂର୍ବ ବିଜେଡି ସରକାର ୨୦୨୩ ଡିସେମ୍ବର ୩୧ ତାରିଖରେ ରାଜ୍ୟର ଅସ୍ଥାୟୀ ପୋଲିସ ଡିଜି ଭାବେ ନିଯୁକ୍ତି ଦେଇଥିଲେ। ଭାଜପା ସରକାର କ୍ଷମତାକୁ ଆସିବା ପରେ ତାଙ୍କୁ ଅଗଷ୍ଟ ୧୬ତାରିଖରେ ଡିଜି ପଦରୁ ହଟାଇ ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।