କେନ୍ଦୁଝର,୧୪।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତର ପ୍ରମୁଖ ମହାରତ୍ନ କମ୍ପାନୀ ଗେଲ ଇଣ୍ଡିଆ ତରଫରୁ ଏକ ଅତ୍ୟାଧୁନିକ ଚିକିତ୍ସାସେବା ସୁବିଧା ଥିବା ଆମ୍ବୁଲାନ୍ସ ଉଦ୍ଘାଟିତ ହୋଇଯାଇଛି। କେନ୍ଦୁଝରର ମାନ୍ୟବର ଏମ୍ପି ଅନନ୍ତ ନାୟକ ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସକୁ ଉଦ୍ଘାଟିତ କରିଛନ୍ତି। ଏହି ଆମ୍ବୁଲାନ୍ସ କେନ୍ଦୁଝର ଜିଲାରେ ଅପହଞ୍ଚ ଇଲାକାରେ ଉତ୍କୃଷ୍ଟ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ସହାୟକ ହେବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି। ଏହି ଆମ୍ବୁଲାନ୍ସର ଜଣେ ଡାକ୍ତର , ଜଣେ ଫାର୍ମାସିଷ୍ଟ ଓ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ନିୟୋଜିତ ରହିବେ। ଏହି ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଭିତରେ ଏକ ଓପିଡ଼ି ରହିଥିବା ବେଳେ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ସହ ଆବଶ୍ୟକୀୟ ଔଷଧ ଉପଲବ୍ଧ ରହିଥିବା ନିୟୋଜିତ ଡାକ୍ତର ବ୍ରିଜେଶ ସିଂ ପ୍ରକାଶ କରିଛନ୍ତି। ଅପହଞ୍ଚ ଗ୍ରାମମାନଙ୍କରେ ଏହି ଗାଡି ଯାଇ ଲୋକଙ୍କ ଘର ପାଖରେ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ।