ନିଶା ସେବନକାରୀଙ୍କ ସଂଖ୍ୟା ବଢୁଛି ନା ନାହିଁ ତଥ୍ୟ ରଖିପାରିବେନି ସରକାର

ଭୁବନେଶ୍ୱର, ୧।୧୦(ସୁନିତ୍‌ ମିଶ୍ର)ରାଜ୍ୟରେ ନିଶାସେବନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ଅନେକ ସମୟରେ ବିଭିନ୍ନ ସୂତ୍ରରୁ ପ୍ରକାଶ ପାଉଛି। ପ୍ରତ୍ୟେକ ଦିନ ନିଶା କାରବାର ବଢୁଥିବାରୁ ପୋଲିସଠାରୁ ଆରମ୍ଭକରି ଅବକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବାରେ ଲାଗିଛନ୍ତି। ହେଲେ ସରକାର ରାଜ୍ୟରେ ନିଶାସେବନ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଛି ନା କମୁଛି ସେନେଇ ତଥ୍ୟ ରଖିବାର ସରକାରଙ୍କ ପାଖରେ କିଛି ବ୍ୟବସ୍ଥା ନାହିଁ ବୋଲି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଦେଇଥିବା ଉତ୍ତର ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଧାୟକ ପ୍ରଫୁଲ୍ଲ ସାମଲ ବିଧାନସଭାରେ ଶନିବାର ପଚାରିଥିବା ଏ ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି।

ହେଲେ ମନ୍ତ୍ରୀ ଆଉ ଜଣେ ବିଧାୟକ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ରାଜ୍ୟରେ ଏନ୍‌ଡିପିଏସ୍‌ ମାମଲା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ୨୦୨୦-୨୧ ଆର୍ଥିକ ବର୍ଷର ତଥ୍ୟ ଅନୁଯାୟୀ ରାଜ୍ୟରେ ଏନ୍‌ଡିପିଏସ୍‌ କେସ୍‌ ଅନୁଯାୟୀ ୩୮୧ ମାମଲା ରୁଜୁହୋଇ ୩୯୮ ଜଣଙ୍କୁ ସରକାର ଗିରଫ କରିଥିଲେ। ୨୦୨୧-୨୨ରେ ବେଆଇନ ନିଶା କାରବାର କରି ମୋଟ୍‌ ୬୮୬ ମାମଲା ରୁଜୁ ହୋଇଥିବା ବେଳେ ୭୬୯ ଜଣଙ୍କୁ ଗିରଫ କରାଯାଇଛି। ୨୦୨୨-୨୩ ବର୍ଷର ତଥ୍ୟ ଅନୁଯାୟୀ ୧୯୪୯ ମାମଲା ରୁଜୁ ହୋଇଥିବା ବେଳେ ମୋଟ୍‌ ୨୨୩୨ ଜଣଙ୍କୁ ଗିରଫ କରାଯାଇଛି। ୨୦୨୩-୨୪ ବର୍ଷର ଏ ପର୍ଯ୍ୟନ୍ତ ୮୩୫ଟି ମାମଲା ରୁଜୁ ହୋଇ ୯୯୦ ଜଣ ଗିରଫ ହୋଇଛନ୍ତି।

Share