ସୁରକ୍ଷା ଦେଇପାରୁନାହାନ୍ତି ସରକାର

ବଇଣ୍ଡା,୧୨।୬(ଡି.ଏନ.ଏ.) ଗଛ କଟା ବିରୋଧରେ ଏବେ ସବୁଠି ଶାଣିତ ହେଉଛି ସ୍ବର। ପରିବେଶ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ସମସ୍ତେ କରୁଛନ୍ତି ଦାବି। ଚାରା ରୋପଣରେ ଅଟକି ନ ଯାଇ ତାହାକୁ ବଞ୍ଚାଇବା ଉପରେ ଗୁରୁତ୍ୱ ଦେବାକୁ କରାଯାଉଛି ସଚେତନ। ହେଲେ ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ପେଡିପଥର ସେକ୍ସନ ଅଧୀନରେ ଥିବା ରାଇନାଳୀ ଜଙ୍ଗଲରୁ ଦୈନିକ ମୂଲ୍ୟବାନ ଗଛ କଟାଯାଇ ଚୋରା ଚାଲାଣ ହେଉଥିଲେ ମଧ୍ୟ ବନ ବିଭାଗ ତାହାକୁ ରୋକିପାରୁ ନାହିଁ। କାଠ ମାଫିଆମାନେ କ୍ୟାମ୍ପ କରି ଶତାଧିକ ଗଛ କାଟି ନେଉଥିବାରୁ ଏହି ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହୋଇଛି। ରାଇନାଳୀ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଜଙ୍ଗଲର ସୁରକ୍ଷା ଦିଗରେ ସରକାରଙ୍କ ପକ୍ଷରୁ ଯଥେଷ୍ଟ ଧ୍ୟାନ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଗୁରୁବାର ଅନୁଗୋଳ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆଠମଲ୍ଲିକ ଉପଖଣ୍ଡର ଅନେକ ଅଞ୍ଚଳ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ। ହଣ୍ଡପା ରେଞ୍ଜରେ ଥିବା ରାଇନାଳୀ ଜଙ୍ଗଲରେ ବହୁ ମୂଲ୍ୟବାନ ଗଛ ରହିଛି। ୧୯୮୮ ମସିହାରେ ବନ ବିଭାଗ ପକ୍ଷରୁ ଏଠାରେ ୮ ହଜାର ୬୦୦ ଶାଗୁଆନ, ଶାଳ, ଶିଶୁ ଗଛ ଲଗାଯାଇଥିଲା। ଏହି ଗଛଗୁଡିକ ବଡ ହୋଇଯାଇଥିବାରୁ ଏହା ଉପରେ କାଠ ମାଫିଆଙ୍କ ନଜର ପଡ଼ିଛି। ସେମାନେ ରାତିରେ ଜଙ୍ଗଲରେ ଅସ୍ଥାୟୀ କ୍ୟାମ୍ପ କରି ଦାମୀ ଗଛଗୁଡିକୁ କଟରରେ କାଟି ଅନ୍ୟ ସ୍ଥାନରେ ଲୁଚାଇ ରଖୁଛନ୍ତି। ପରେ ତାହାକୁ ପଟା କରି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଛନ୍ତି। ଅନେକ ସମୟରେ ନାମୀଦାମୀ ଗାଡ଼ିରେ ଏହି ଚୋରା କାଠ, ପଟା ଚାଲାଣ କରାଯାଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ସେପରି ପଦକ୍ଷେପ ନିଆଯାଉ ନାହିଁ। ଏ ପରିକି ବନ କର୍ମଚାରୀମାନେ ରାତିରେ ଠିକ୍‌ ଭାବେ ପାଟ୍ରୋଲିଂ କରୁନାହାନ୍ତି। ସୁରକ୍ଷା କ୍ଷେତ୍ରରେ ବନ ବିଭାଗର ଏପରି ଅବହେଳାର ସୁଯୋଗ ନେଇ କାଠ ମାଫିଆମାନେ ସେମାନଙ୍କ କାର୍ଯ୍ୟକଳାପକୁ ଜୋର୍‌ଦାର କରିଛନ୍ତି। କେତେଜଣ ମାଫିଆ ବନ ବିଭାଗର କେତେଜଣ ତଳିଆ କର୍ମଚାରୀଙ୍କୁ ହାତ କରି ନିର୍ଭୟରେ କାରବାର ଚଳାଇଛନ୍ତି। ଦୀର୍ଘଦିନ ହେଲା ଚାଲିଥିବା ଅବାଧ କାଠ ଚାଲାଣକୁ ରୋକା ନ ଗଲେ ଆଗାମୀ ଦିନରେ ଏହି ଜଙ୍ଗଲ ଧ୍ବଂସ ପାଇଯିବ ବୋଲି ଗ୍ରାମବାସୀ କହିଛନ୍ତି।

Share