ଇ-ଡେସ୍‌ପାଚ୍‌ରେ ତଥ୍ୟ ଦେଉନାହାନ୍ତି ସରକାରୀ ବିଭାଗ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସାଧାରଣ ଲୋକଙ୍କ ନିକଟରେ ପହଞ୍ଚତ୍ବାକୁ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ‘୫-ଟି’ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା ଓ ଅତ୍ୟାଧୁନିକ ଜ୍ଞାନକୌଶଳର ସାହାଯ୍ୟ ନେଇ ସମସ୍ତ କାର୍ଯ୍ୟ ଓ ଯୋଜନାରେ ସ୍ବଚ୍ଛତା ଆଣିବାକୁ ଉଦ୍ୟମ ହେଉଛି। ହେଲେ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୁର୍ଣ୍ଣ ବିଭାଗ ବହୁ ତଥ୍ୟ ଜନସାଧାରଣଙ୍କୁ ଲୁଚାଉଥିବା ଦେଖିବାକୁ ମିଳିଛି। ବିଭାଗ ପକ୍ଷରୁ ପ୍ରତିଦିନ ଲେଖାଯାଉଥିବା ଚିଠି ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟ ଦିଆଯାଉନି। ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଇ-ଡେସ୍‌ପାଚ୍‌ ବ୍ୟବସ୍ଥାକୁ ବହୁ ବିଭାଗ ଏପର୍ଯ୍ୟନ୍ତ କାର୍ଯ୍ୟରେ ଲଗାଉ ନ ଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀମାନେ କ’ଣ ଓ କିଭଳି କାର୍ଯ୍ୟ କରିଛନ୍ତି ତାହାକୁ ବିଭାଗର ୱେବ୍‌ସାଇଟରେ ଅପ୍‌ଡେଟ କରାଯାଉନାହିଁ। ଫଳରେ ତଥ୍ୟ ଆବଶ୍ୟକ କରୁଥିବା ସାଧାରଣ ଜନତା ଏନେଇ ପ୍ରଶ୍ନ ଉଠାଇଛନ୍ତି।
ବିଭାଗୀୟ କାର୍ଯ୍ୟରେ ସ୍ବଚ୍ଛତା ଆଣିବାକୁ ରାଜ୍ୟ ସରକାର ପ୍ରାୟ ୬ବର୍ଷ ତଳେ ଇ-ଡେସ୍‌ପାଚ୍‌ ବ୍ୟବସ୍ଥା ଆରମ୍ଭ କରିଥିଲେ। ଏଥିରେ ବିଭିନ୍ନ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ପ୍ରତିଦିନ ଅପଡେଟ୍‌ ହେବାକୁ ନିର୍ଦ୍ଦେଶ ରହିଥିଲା। ସାଧାରଣ ଲୋକେ ଯେପରି ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିପାରିବେ, ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ସଚିବ ତଥା ପ୍ରଶାସନିକ ଅଧିକାରୀମାନେ ବିଭାଗୀୟ କେଉଁ ଅଧିକାରୀଙ୍କ ପାଖକୁ ଚିଠି ଲେଖୁଛନ୍ତି, ବିଭାଗ ଅଧୀନରେ ଥିବା ବିଭିନ୍ନ କାର୍ଯ୍ୟାଳୟକୁ କ’ଣ ଚିଠି ଯାଉଛି ଏବଂ ବିଭାଗ ଯେଉଁସବୁ ଚିଠି ଗ୍ରହଣ କରୁଛି ତାହାକୁ ଇ-ଡେସ୍‌ପାଚ୍‌ରେ ସ୍ଥାନିତ କରିବାକୁ ନିର୍ଦ୍ଦେଶ ଥିଲା। ହେଲେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୩୯ ବିଭାଗ ମଧ୍ୟରୁ ମାତ୍ର ଅଳ୍ପ କିଛି ବିଭାଗ ନିୟମିତ ତଥ୍ୟ ଦେଉଥିବାବେଳେ ଅଧାରୁ ଅଧିକ ନିଜ ଇ-ଡେସ୍‌ପାଚ୍‌କୁ ବର୍ଷ ବର୍ଷ ଧରି ଅପ୍‌ଡେଟ୍‌ କରୁନାହାନ୍ତି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଶକ୍ତି ବିଭାଗ, ଶ୍ରମ ବିଭାଗ, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସମବାୟ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗର କୌଣସି ତଥ୍ୟ ଇ-ଡେସ୍‌ପାଚ୍‌ ୱେବ୍‌ସାଇଟରେ ନାହିଁ। ରାଜ୍ୟ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ ଚିଠି ଅପ୍‌ଲୋଡ୍‌ରେ ଅବହେଳା ସହ ତଥ୍ୟ ଲୁଚାଇବାକୁ ପ୍ରଚେଷ୍ଟା କରୁଥିବା ସ୍ପଷ୍ଟ ବାରିହୋଇ ପଡୁଛି। କେତେକ ବିଭାଗରେ ରହିଥିବା ଚିଠି ଖୋଲୁ ନ ଥିବାବେଳେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଇ-ଡେସ୍‌ପାଚ୍‌ରେ କୌଣସି ଚିଠି ନାହିଁ। ସେହିଭଳି କଳା, ସଂସ୍କୃତିର ବିକାଶ ଦିଗରେ କାର୍ଯ୍ୟ କରୁଥିବା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆରମ୍ଭରୁ ଏପର୍ଯ୍ୟନ୍ତ ମଧ୍ୟ ନିଜ ଇ-ଡେସ୍‌ପାଚ୍‌କୁ କାର୍ଯ୍ୟକ୍ଷମ କରିପାରିନି। ଅନ୍ୟପକ୍ଷରେ ଶିଳ୍ପ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ, ବିଜ୍ଞାନ ଓ କାରିଗରି ବିଭାଗ, ଖାଦ୍ୟ ଯୋଗାଣ ଓ ଖାଉଟି କଳ୍ୟାଣ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ, ମହିଳା ଓ ଶିଶୁବିକାଶ ବିଭାଗର ଇ-ଡେସ୍‌ପାଚ୍‌ ୨୦୧୯ରେ ଶେଷଥର ପାଇଁ ଅପ୍‌ଡେଟ୍‌ ହୋଇଥିବା ଦେଖିବାକୁ ମିଳିଛି।

ତେବେ ପ୍ରତିଦିନ ଡେସ୍‌ପାଚ୍‌ ଅପ୍‌ଡେଟ୍‌ କରୁଥିବା ବିଭାଗଗୁଡ଼ିକ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ, ଅର୍ଥ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଗୃହ ବିଭାଗ, ପର୍ଯ୍ୟଟନ ବିଭାଗ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ, ବୟନ ନିର୍ଦ୍ଦେଶାଳୟ, ଆଇନ୍‌ ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ସଂସଦୀୟ ବ୍ୟାପାର, ଯୋଜନା ଓ କାର୍ଯ୍ୟାନ୍ବୟନ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଇସ୍ପାତ୍‌ ଓ ଖଣି ବିଭାଗ, ଜଳସମ୍ପଦ ବିଭାଗ, ପୂର୍ତ୍ତ ବିଭାଗ ରହିଛି।

Share