Categories: ଜାତୀୟ

ରାଜ୍ୟପାଳଙ୍କୁ ବିମାନ ଦେଲେନି ଉଦ୍ଧବ ସରକାର

ମୁମ୍ବାଇ, ୧୨ା୨: ମହାରାଷ୍ଟ୍ର ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ପୁଣି ସୃଷ୍ଟି ହୋଇଛି ବିବାଦ। ଗୁରୁବାର ସକାଳେ ଉତ୍ତରାଖଣ୍ଡ ଯିବାକୁ ବାହାରିଥିବା ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ସ୍ବତନ୍ତ୍ର ସରକାରୀ ବିମାନ ଯୋଗାଇବାକୁ ମନା କରିଥିଲେ ସରକାର। ଏଥିପାଇଁ ରାଜ୍ୟପାଳ ପ୍ରାୟ ୨ ଘଣ୍ଟା ଧରି ଅପେକ୍ଷା କରିଥିଲେ। ପ୍ଲେନ ଉଡ଼ାଇବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳି ନ ଥିବା ନେଇ ପାଇଲଟ କହିଥିଲେ। ଶେଷରେ କୋଶିୟାରୀ ଏକ ପ୍ରାଇଭେଟ ବିମାନ ବୁକ୍‌ କରି ସେଠାରୁ ଡେରାଡୁନ୍‌ ଯାଇଥିଲେ। ଏହା ରାଜ୍ୟପାଳଙ୍କ ପ୍ରତି ଅପମାନ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ତୁରନ୍ତ କ୍ଷମା ମାଗିବାକୁ ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ସୁଧୀର ମୁଙ୍ଗତିଓ୍ବାର କହିଛନ୍ତି। ଅନ୍ୟପକ୍ଷରେ ବିଧାନ ପରିଷଦକୁ ୧୨ ସଦସ୍ୟଙ୍କୁ ମନୋନୀତ କରିବାକୁ ନେଇ ରାଜ୍ୟ ସରକାର ଦେଇଥିବା ତାଲିକା ଚୂଡାନ୍ତ ପାଇଁ ରାଜ୍ୟପାଳ ଦସ୍ତଖତ କରି ନ ଥିବାରୁ ସରକାର ଏଭଳି ପ୍ରତିଶୋଧମୂଳକ ରାଜନୀତି କରୁଥିବା ମଧ୍ୟ ଭାଜପା ଅଭିଯୋଗ କରିଛି। ତେବେ ଶିବସେନା କୌଣସି ପ୍ରତିଶୋଧମୂଳକ ରାଜନୀତି କରୁନାହିଁ ବୋଲି ଦଳର ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତ କହିଛନ୍ତି।

Share