ପରିକ୍ରମା ପ୍ରକଳ୍ପ ନାଁରେ ଜଗନ୍ନାଥ ସଂସ୍କୃତିକୁ ଆଘାତ ଦେଇଛନ୍ତି ସରକାର

ଭୁବନେଶ୍ୱର,୬।୨(ସୁନିତ୍‌ ମିଶ୍ର):ରାଜ୍ୟର ବିଭିନ୍ନ ଜନପ୍ରସଙ୍ଗ, ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଏବଂ ସାମ୍ପ୍ରତିକ ସାମାଜିକ ଓ ରାଜନୈତିକ ପରିସ୍ଥିତିକୁ ନେଇ ଭାଜପା ବିଧାନସଭା ଅଧିବେଶନରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ସରକାରଙ୍କୁ ଜବାବ ତଲବ କରିବ। ବିଶେଷ ଭାବେ ପରିକ୍ରମା ପ୍ରକଳ୍ପ ନାମରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ପ୍ରତି କୁଠାରାଘାତ, ନୂଆ-ଓଡ଼ିଶା ନାମରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଜେଡିର ଦଳୀୟ ରାଜନୀତିକରଣ, ବିଭିନ୍ନ ବିଭାଗ ପାଇଁ ବଜେଟରେ ବ୍ୟୟବରାଦ ଟଙ୍କା ଖର୍ଚ୍ଚ କରି ନ ପାରିବା, ମଦର ପ୍ରଚାର ପ୍ରସାର ଏବଂ ବିପୁଳ କଳାଟଙ୍କା ଜବତ ଆଦି ପ୍ରସଙ୍ଗକୁ ଭାଜପା ଜୋରଦାର କରିବ। ସେହିପରି ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଅବ୍ୟବସ୍ଥିତ ଧାନ ମଣ୍ଡି, ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ସମେତ ବ୍ୟାପକ ଭ୍ରଷ୍ଟାଚାର, ବ୍ୟଭିଚାର ଆଦି ଜନବିରୋଧୀ ପ୍ରସଙ୍ଗରେ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା ବିଧାୟକମାନେ ଉପସ୍ଥିତ ରହି ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକ ସମ୍ପର୍କରେ ସୂଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ବିଜେଡି ଶାସନରେ ଓଡ଼ିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ଚରମସୀମା ଅତିକ୍ରମ କରିଛି। ଯାହା ୨୪ ବର୍ଷ ଶାସନରେ ସ୍ପଷ୍ଟ ହୋଇଛି। ପ୍ରଭୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଥିବା ବିଜେଡି ସରକାର ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଜଳାଞ୍ଜଳି ଦେଇଛନ୍ତିା ଶିକ୍ଷାନୁଷ୍ଠାନ ‘ନୂଆ-ଓ’ କାର୍ଯ୍ୟକ୍ରମ କେବଳ ଏକ ପ୍ରହସନ ଏବଂ ଏହାଦ୍ୱାରା ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହିତ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ରାଜ୍ୟ ସରକାର ଖେଳୁଛନ୍ତି। ଶିକ୍ଷା ବ୍ୟବସ୍ଥାକୁ ସୁଧାରିବାରେ ବିଫଳ ରାଜ୍ୟ ସରକାର ପାଠପଢ଼ାକୁ ବନ୍ଦ କରିଦେଇ ଛାତ୍ରୀଛାତ୍ରଙ୍କୁ ନାଚ, ଗୀତ, ଖେଳ କରିବା ନଁାରେ ମଦ, ମାଂସ ଖୁଆଇ ମାତାଲ କରିବା ଯୋଜନା କରିଛନ୍ତି। ୨୪ ବର୍ଷ ଶାସନରେ ଓଡ଼ିଆ କେବଳ ନିର୍ଯ୍ୟାତିତ ହୋଇଛନ୍ତି। ଓଡ଼ିଶାକୁ ଲୁଟି ରାଜ୍ୟବାସୀଙ୍କୁ ‘ବିକାଶ ନାଁରେ ବିନାଶ’ ଚିତ୍ର ଦେଖାଯାଉଛି ବୋଲି ମୋହନ କହିଛନ୍ତି।

Share