ବୁଣାକାର, ହସ୍ତଶିଳ୍ପ କାରିଗରଙ୍କ ସହାୟତା ରାଶି ବଢ଼ାଇଲେ ସରକାର

ଭୁବନେଶ୍ୱର,୧୪ା୨: ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ ଖୁସି ଖବର।
ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନୂଆ ଯୋଜନା ଘୋଷଣା କରିଛନ୍ତି।

ଏହି ଯୋଜନାରେ ୪୦ ବର୍ଷରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ମହିଳା ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର, ଏବଂ ୫୦ରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ପୁରୁଷ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କୁ ମାସିକ ୨୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

୮୦ ବର୍ଷରୁ ଊଦ୍ଧର୍‌ବ ବରିଷ୍ଠ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ବରିଷ୍ଠ ହସ୍ତଶିଳ୍ପ କାରିଗରମାନଙ୍କୁ (ଉଭୟ ମହିଳା ଓ ପୁରୁଷ) ମାସିକ ୨୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ସୂଚନାଯୋଗ୍ୟ, ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଦକ୍ଷତା ବିକାଶ ଓ କଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି ।
ରାଜ୍ୟର ସମୃଦ୍ଧ ଐତିହ୍ୟର ପ୍ରଦର୍ଶନ ଏବଂ ସଂରକ୍ଷଣ ପାଇଁ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ରାଜ୍ୟରେ ୧,୨୫,୦୦୦ ରୁ ଅଧିକ ବୁଣାକାର ତଥା ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଥିବା ବେଳେ ୧,୫୦,୦୦୦ ରୁ ଅଧିକ ହସ୍ତଶିଳ୍ପ କାରିଗର ଅଛନ୍ତି।

ତେବେ, ପରିଣତ ବୟସରେ ବୁଣାକାରମାନଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ବୁଣାକାର ସହାୟତା ଯୋଜନା ଥିବା ବେଳେ ବରିଷ୍ଠ ହସ୍ତ ଶିଳ୍ପ କାରିଗରମାନଙ୍କ ପାଇଁ କୌଣସି ଯୋଜନା ନାହିଁ।

ବୁଣାକାରମାନେ ୬୦ ରୁ ୮୦ ବର୍ଷ ବୟସ ମଧ୍ୟରେ ମାସିକ ୫୦୦ ଟଙ୍କାର ସହାୟତା ପାଉଥିବା ବେଳେ ୮୦ ବର୍ଷ ବଯସରୁ ଅଧିକ ବୟସରେ ମାସିକ ୭୦୦ ଟଙ୍କାର ସହାୟତା ପାଉଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ବୁଣାକାର ଓ ହସ୍ତଶିଳ୍ପ କାରିଗରମାନେ ଏ ସମ୍ପର୍କରେ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ବିଚାରକୁ ନେଇ ରାଜ୍ୟ ସରକାର ରାଜ୍ୟର ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କର କଲ୍ୟାଣ ନିମନ୍ତେ ଏକ ନୂତନ ଯୋଜନା ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ସହାୟତା ପାଉଥିବା ହିତାଧିକାରୀମାନଙ୍କୁ ବର୍ଦ୍ଧିତ ହାରରେ ସହାୟତା ରାଶି ଫେବୃଆରୀ ୨୦ରୁ ୨୫ ତାରିଖ ମଧ୍ୟରେ ପ୍ରଦାନ କରାଯିବ।

ପରବର୍ତ୍ତୀ ସମୟରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ମଧ୍ୟରୁ ଉପଯୁକ୍ତ ହିତାଧିକାରୀ ଚୟନ କରାଯାଇ ସହାୟତା ରାଶି ଯଥାଶୀଘ୍ର ପ୍ରଦାନ କରାଯିବ।

 

Share