ରୋଗୀଙ୍କ ଖାଦ୍ୟ ଅନୁଦାନ ୩୦ ପ୍ରତିଶତ ବୃଦ୍ଧି କଲେ ସରକାର, ଖର୍ଚ୍ଚ ହେବ ୬୪ କୋଟି ଟଙ୍କା

ଭୁବନେଶ୍ୱର,୩ା୮(ଅସମାପିକା ସାହୁ): ଓଡ଼ିଶା ସରକାର ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ  ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସାର୍ବଜନୀନ ସ୍ବାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ସ୍ବାସ୍ଥ୍ୟସେବା ପ୍ରଦାନ, ନିଦାନ ଜରିଆରେ ମାଗଣା ରୋଗ ଚିହ୍ନଟ ନିମନ୍ତେ ପରୀକ୍ଷା, ନିରାମୟ ଜରିଆରେ ମାଗଣା ଔଷଧ ପ୍ରଦାନ, ସହାୟ ଜରିଆରେ ମାଗଣା ଡାଇଲିସିସ୍‌ ସେବା, ମାଗଣା ରକ୍ତସେବା, ମାଗଣା ଆମ୍ବୁଲାନ୍ସ ସେବା ଇତ୍ୟାଦି ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନାରେ ଯୋଗାଇ ଦିଆଯାଉଛି।

ରୋଗୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହେଉଥିବା ଇନ୍‌ଡୋର ରୋଗୀଙ୍କ ପାଇଁ ଦିଆଯାଉଥିବା ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ବାର୍ଷିକ ୬୪ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ୪୨ ଲକ୍ଷରୁ ଅଧିକ ରୋଗୀ ଉପକୃତ ହେବେ। ନିଆଯାଇଥିବା ନୂଆ ନିଷ୍ପତ୍ତି ଅନୁଯାୟୀ, ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ପିଛା ଦିଆଯାଉଥିବା ସାଧାରଣ ଦୈନିକ ଖାଦ୍ୟ ବାବଦକୁ ୮୫ ଟଙ୍କା ବଦଳରେ ୧୧୦ ଟଙ୍କା, ଶିଶୁମାନଙ୍କ ପାଇଁ ଦିଆଯାଉଥିବା ଦୈନିକ ୭୫ ଟଙ୍କାରୁ ୯୫ ଟଙ୍କା, ଉଚ୍ଚ ପୁଷ୍ଟିସାରଯୁକ୍ତ ଖାଦ୍ୟ ପାଇଁ ଦିଆଯାଉଥିବା ଦୈନିକ ୯୫ ଟଙ୍କାରୁ ୧୨୦ ଟଙ୍କା, ଶୁଖିଲା ଖାଦ୍ୟ ପାଇଁ ଦିଆଯାଉଥିବା ଦୈନିକ ୭୫ ଟଙ୍କାରୁ ୯୫ ଟଙ୍କା ଏବଂ ତରଳ ଖାଦ୍ୟ ବାବଦକୁ ଦିଆଯାଉଥିବା ଦୈନିକ ୮୫ ଟଙ୍କାରୁ ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟର ୬୧୮ଟି ସରକାରୀ ଡାକ୍ତରଖାନାରେ ଏହି ବର୍ଦ୍ଧିତ ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯିବ

Share