Categories: ଜାତୀୟ

ଇମ୍ଫାଲର ଏହି ଦୁଇ ଜିଲାରେ କର୍ଫ୍ୟୁ କୋହଳ କଲେ ସରକାର

ଇମ୍ଫାଲ,୨।୮: ସାମ୍ପ୍ରଦାୟିକ ହିଂସାରେ ଜଳୁଛି ମଣିପୁର। ଜାତିଆଣ ହିଂସାରେ ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। କିନ୍ତୁ ସରକାର ସଂସଦରେ ମଣିପୁରର ସ୍ଥିତିରେ ସୁଧାର ଆସିଛି ବୋଲି ନିଜ ସଫେଇ ଦେଇଛନ୍ତି। ସେହିପରି ମଣିପୁର ସରକାର ଇମ୍ଫାଲର ପୂର୍ବ ଏବଂ ପଶ୍ଚିମ ଜିଲାରେ କର୍ଫ୍ୟୁକୁ କୋହଳ କରିଛନ୍ତି। କର୍ଫ୍ୟୁ କୋହଳର ଅବଧିକୁ ସରକାର ୧ଘଣ୍ଟା ପାଇଁ ବଢାଇ ଦେଇଛନ୍ତି।

ବର୍ତ୍ତମାନ ଇମ୍ଫାଲର ଏହି ଦୁଇ ଜିଲାରେ କର୍ଫ୍ୟୁ ସମୟ ସକାଳ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ରହିଛି। ଉଭୟ ଜିଲାର ଜିଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ପୃଥକ ନିର୍ଦ୍ଦେଶରେ କୁହାଯାଇଛି ଯେ, ସାଧାରଣ ଜନତାଙ୍କୁ ଔଷଧ ଏବଂ ଖାଦ୍ୟ ସାମଗ୍ରୀ ସମେତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ସହଜ ହେବା ପାଇଁ କର୍ଫ୍ୟୁ କୋହଳ ହୋଇଛି।

ମଣିପୁର ପୋଲିସ କଣ୍ଟ୍ରୋଲ ରୁମ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ରାଜ୍ୟରେ ସ୍ଥିତି ଅସ୍ଥିର ଏବଂ ଉତ୍ତେଜନାପୂର୍ଣ୍ଣ ରହିଛି। କିନ୍ତୁ ନିୟନ୍ତ୍ରଣାଧୀନ ରହିଛି। ସୁରକ୍ଷା ବାହିନୀ ରାଜ୍ୟର ସମ୍ବେଦନଶୀଳ ତଥା ସୀମାନ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।

Share