ସରକାର ମାଗୁଛନ୍ତି କାଳିଆ ଟଙ୍କା

କୋରୁକୋଣ୍ଡା,୨୩।୭(ଡି.ଏନ୍‌.ଏ): ଚାଷୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ସରକାର କାଳିଆ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ। ତେବେ ସରକାର ପୁଣି ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଉକ୍ତ ଟଙ୍କା ଫେରସ୍ତ ନିମନ୍ତେ ଚିଠି ଲେଖିଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ କାମବେଡା ପଞ୍ଚାୟତ ଅନ୍ତର୍ଗତ ଏମଭି-୨୮ ଗ୍ରାମରେ। ଗ୍ରାମର ଅଶୋକ ସରକାରଙ୍କ ସ୍ତ୍ରୀ ସୀମା ସରକାରଙ୍କ ନାମରେ ପୂର୍ବରୁ କାଳିଆ ଯୋଜନାରେ ଟଙ୍କା ଆସିଥିଲା। ମାତ୍ର ବର୍ତ୍ତମାନ ପୁଣି ସେହି ଟଙ୍କା ଫେରସ୍ତ ନିମନ୍ତେ ତାଙ୍କ ନିକଟକୁ ଏକ ଚିଠି ଆସିଛି।
ଅଶୋକଙ୍କ ୨ ଟି କିଡ୍‌ନୀ ଖରାପ ହୋଇ ଥିବାବେଳେ ସ୍ବାସ୍ଥ୍ୟବସ୍ଥା ଠିକ୍‌ ରହୁନାହିଁ। ଏ ନେଇ ଅନେକ ଟଙ୍କା ଖର୍ଚ୍ଚ ହେଉଛି। ଅନ୍ୟପକ୍ଷେ ସେ ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ପରିବାର ଭରଣପୋଷଣ ନେଇ ଚିନ୍ତା ବଢ଼ୁଥିବା ବେଳେ ଏପରି ଏକ ଚିଠି ବୋଝ ଉପରେ ଲଳିତା ବିଡ଼ା ସାଜିଛି। ତେବେ ନିଜର ଦେହ ପାଇଁ ଟଙ୍କା ଖର୍ଚ୍ଚ କରିପାରୁ ନ ଥିବା ବ୍ୟକ୍ତି କିପରି ବର୍ତ୍ତମାନ କାଳିଆ ଟଙ୍କା ଫେରସ୍ତ କରିବ ସେ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

Share