୫୦୦୦ ଦେଇ ଭୁଆଁ ବୁଲାଉଛନ୍ତି ସରକାର: ଭାଜପା

ଭୁବନେଶ୍ୱର, ୮।୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ଘର କରିବା ଲାଗି ୧ ଲକ୍ଷ ୭୦ ହଜାର ଟଙ୍କା ପଠାଉଛନ୍ତି। ଓଡ଼ିଶାରେ ଏହି ଟଙ୍କା ବାଟମାରଣା କରାଯାଇଛି। ଶାସକ ବିଜେଡି ଗରିବ ଲୋକଙ୍କୁ ୫ ହଜାର ଟଙ୍କା ଦେଇ ଭୁଆଁ ବୁଲାଉଛି ବୋଲି ଅଭିଯୋଗ କିଛନ୍ତି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଗୋଲକ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଘର ପିଛା ଦେଉଥିବା ମୋଟ ପ୍ରୋତ୍ସାହନ ରାଶିର ୩%ରୁ କମ୍‌ ଟଙ୍କା ଦେଇ ବିଜେଡି ଗରିବଙ୍କୁ ଭଣ୍ଡାଉଛି। ଘର ପାଇ ନ ଥିବା ଲୋକଙ୍କୁ ୫୦୦୦ ଟଙ୍କା ସହାୟତା ଧର୍ମକୁ ଆଖିଠାର। ଗରିବଙ୍କୁ ୫ ହଜାର ଟଙ୍କା ଦେଇ ବିଜେଡି ପ୍ରଚାରରେ ୫୦ ହଜାର ଟଙ୍କା ଖର୍ଚ୍ଚ କରୁଛି। ଘର ପାଇ ନ ଥିବା ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ଲାଗି ଶାସକ ଦଳର ଏହା ଏକ ଚାଲ୍‌। ସହାୟତା ରାଶି ନାମରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କ୍ୟାଲେଣ୍ଡର ଦେବାର ଅର୍ଥ କ’ଣ ବୋଲି ଗୋଲକ ପ୍ରଶ୍ନ କରିଛନ୍ତି। ଯେଉଁମାନଙ୍କୁ ରାଜ୍ୟ ସରକାର ଆବାସ ପାଇଁ ଟଙ୍କା ବାଣ୍ଟିବେ, ତାହାର ତାଲିକା ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି। ମାହାଙ୍ଗାର ୨ ଭାଜପା କାର୍ଯ୍ୟକର୍ତ୍ତା କୁଳମଣି ବରାଳ, ଦିବ୍ୟସିଂହ ବରାଳ ହତ୍ୟାକାଣ୍ଡ ମାମଲା ଏବଂ ଘର ପାଇଁ ଅନୁଦାନ ଅର୍ଥ ପ୍ରଦାନରେ ବିଜେଡିର ହୀନ ରାଜନୀତି ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖରେ ପହଞ୍ଚତ୍ବ ବୋଲି ଗୋଲକ କହିଛନ୍ତି।

Share