ମୋ କଲେଜ ଅଭିଯାନ ଲାଗି ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ଦିଗରେ ପୁରାତନ ଛାତ୍ରୀଛାତ୍ରଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କୁ ତାଙ୍କ ଶିକ୍ଷାନୁଷ୍ଠାନ ସହିତ ଯୋଡ଼ିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନବ ପରିକଳ୍ପନା ‘ମୋ କଲେଜ’ ଆରମ୍ଭ କରିଛନ୍ତି। ଏହାଦ୍ୱାରା ରାଜ୍ୟରେ ଉଚ୍ଚଶିକ୍ଷା ଭିତ୍ତିଭୂମିକୁ ଅଧିକ କ୍ରିୟାଶୀଳ କରିହେବ। ଏହାସହିତ ଯୁବପିଢ଼ିଙ୍କ ମଧ୍ୟରେ ସ୍ବେଚ୍ଛାସେବୀ ମନୋଭାବକୁ ବୃଦ୍ଧି କରିବା ଏବଂ ଦେଶ ଗଠନରେ ସେମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନ କରାଇବା ଦିଗରେ ଏହା ଏକ ସମୁଚିତ ପଦକ୍ଷେପ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ଗୁରୁବାର ‘ମୋ କଲେଜ’ ଅଭିଯାନ ପରିଚାଳନା ସଙ୍ଗଠନ ଆନୁକୂଲ୍ୟରେ ରାଜ୍ୟର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କ ସହିତ ଓ୍ବେବିନାର ମାଧ୍ୟମରେ ଆୟୋଜିତ ପ୍ରସ୍‌ୁତି ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ସାହୁ କହିଛନ୍ତି, ‘ମୋ କଲେଜ’ ଅଭିଯାନ ମାଧ୍ୟମରେ ଦେଶ ବିଦେଶରେ ରହୁଥିବା ପୁରାତନ ଛାତ୍ରୀଛାତ୍ର ଶିକ୍ଷାନୁଷ୍ଠାନକୁ ସହଯୋଗ କରିବା ସହିତ ଭାବଗତ ଭାବେ ଯୋଡ଼ି ହୋଇରହିବେ। ଓ୍ବେବିନାର୍‌ରେ ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ ଯୋଗଦେଇ କହିଛନ୍ତି, ‘ମୋ କଲେଜ’ ଅଭିଯାନ ଏକ ବ୍ୟାପକ ଚିନ୍ତାଧାରା ା ଏହା ମାଧ୍ୟମରେ ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଶିକ୍ଷା ଓ ସାମାଜିକ ପରିବେଶରେ ଉନ୍ନତି ସହ ଛାତ୍ରୀଛାତ୍ରଙ୍କ ବ୍ୟକ୍ତିତ୍ବ ଓ ଜୀବନ ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର କହିଛନ୍ତି, ‘ମୋ କଲେଜ’ ଅଭିଯାନକୁ ଅଧିକ କ୍ରିୟାଶୀଳ କରାଯାଇଛି। ‘ମୋ କଲେଜ’ ଅଭିଯାନ ପରିଚାଳନା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ବଜେଟ୍‌ରେ ଓଡ଼ିଶା ସରକାର ଏକ କର୍ପସ ପାଣ୍ଠି ଗଠନ କରିଛନ୍ତି ବୋଲି ସେ କହିଛନ୍ତି।

Share