Categories: ବାଣିଜ୍ୟ

ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

ନୂଆଦିଲ୍ଲୀ,୩୧।୧: ଚଳିତ ବର୍ଷର ପ୍ରଥମ ବଜେଟ ଅଧିବେଶନରେ ଅନେକ ପ୍ରକାରର ନିୟମ ଓ କଟକଣା ଆଣିପାରନ୍ତି ସରକାର। ସେହିଭଳି ବିଭିନ୍ନ ଉପାୟରେ ପ୍ରସ୍ତୁତ ଏହି ଇ-ବଜେଟ ସ୍ବତନ୍ତ୍ର ହେବାକୁ ଯାଉଛି। ଗୋଟିଏ ପଟେ ଦେଶର ସାଧାରଣ ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଅପରପକ୍ଷେ ସରକାର ଏହି ଅଧିବେଶନ ସମୟରେ ଡିଜିଟାଲ୍‌ ମୁଦ୍ରା ବିରୋଧରେ ଏକ ବିଲ୍‌ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନୂତନ ବିଲ୍‌ରେ ଘରୋଇ କ୍ରିପ୍ଟୋକରେନ୍ସି ବା ବିଟ୍‌ କଏନ ଉପରେ ପ୍ରତିବନ୍ଧକ ଲଗାଯିବା ସହିତ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ମଧ୍ୟ ଏହି ବେସରକାରୀ ମୁଦ୍ରାର ବିକଳ୍ପ ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଥିବା ସୂଚନା ମିଳିଛି।
ଏ ସମ୍ପର୍କରେ ଆର୍‌ବିଆଇ କହିଛି ଯେ, ଏହି ଡିଜିଟାଲ୍‌ ମୁଦ୍ରାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟ କରୁଛି। ତଥାପି, ଏହା ଏକ ବ୍ୟକ୍ତିଗତ ମୁଦ୍ରା ଭାବରେ ଗଣା ହେବ ନାହିଁ ବୋଲି ବିଗତ ଦିନରେ ସେଣ୍ଟ୍ରାଲ ବ୍ୟାଙ୍କ ମତ ଦେଇଛି। ସେହିପରି ସେଣ୍ଟ୍ରାଲ ବ୍ୟାଙ୍କ କହିଛି ଯେ, ନିକଟ ଅତୀତରେ ବେସରକାରୀ ଡିଜିଟାଲ୍‌ ମୁଦ୍ରାର ଲୋକପ୍ରିୟତା ବହୁଳ ଭାବରେ ବୃଦ୍ଧି ପାଇଛି। ଏହାକୁ ନେଇ ଭାରତରେ ସରକାର ଏବଂ ନିୟାମକମାନେ ମଧ୍ୟ ସନ୍ଦେହ ପ୍ରକାଶ କରୁଛନ୍ତି। ଆର୍‌ବିଆଇ ଏହାର ଆବଶ୍ୟକତା ଅଛି କି ନାହିଁ ତାହା ଅନୁସନ୍ଧାନ କରୁଥିବା ସୂଚନା ମିଳିଛି। ଭାରତରେ କ୍ରିପ୍ଟୋକରେନ୍ସି ବା ବିଟ୍‌ କଏନ ସମ୍ବନ୍ଧରେ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ସରକାର ପ୍ରକାଶ କରିନାହାନ୍ତି କିମ୍ବା ଆସିନାହିଁ ବୋଲି ଜଣାପଡିଛି। ୨୦୧୮ରେ ସରକାର ଏକ ସର୍କୁଲାର ଜରିଆରେ କ୍ରିପ୍ଟୋକରେନ୍ସି ବା ବିଟ୍‌ କଏନ ସେବାକୁ ନିଷିଦ୍ଧ କରିଥିଲେ। ଏହା ପରେ ସୁପ୍ରିମକୋର୍ଟ ସମଗ୍ର ମାମଲାର ଶୁଣାଣି ବେଳେ ସର୍କୁଲାରରେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ରହିବା ସହିତ ସର୍ବସାଧାରଣଙ୍କ ପାଇଁ ସୂଚନା ରହିବା ନେଇ ସ୍ବୀକୃତି ପ୍ରଦାନ କରିଛନ୍ତି। ୨୦୧୯ରେ ଏହି ଆଇନ ଉପରେ ପ୍ରତିବନ୍ଧକ ଲଗାଇବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି। ତେବେ ସରକାର ସଂସଦରେ ଏ ସମ୍ପର୍କିତ କୌଣସି ବିଲ୍‌ ଆଗତ କରିନାହାନ୍ତି। ଏହାର ଅଫିସିଆଲ୍‌ ଡିଜିଟାଲ୍‌ ମୁଦ୍ରା ବିଲ୍‌ ୨୦୨୧ର କ୍ରିପ୍ଟୋକରେନ୍ସି ଏବଂ ରେଗୁଲେଶନ୍‌ର କିଛି ବ୍ୟତିକ୍ରମ ସହିତ ଡିଜିଟାଲ୍‌ ମୁଦ୍ରାର ପ୍ରୋତ୍ସାହନକୁ ଅନୁମତି ଦେବ କି ନାହିଁ ତାହା ଆଗାମୀ ବଜେଟରେ ଜଣାପଡିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

Share