
ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ): ଭୁବନେଶ୍ୱରଠାରେ ଆଜକୁ କିଛି ଦିନ ହେବ ବିଭିନ୍ନ ସଂଘର କର୍ମଚାରୀମାନେ ନିଜର ଦାବି ପୂରଣ ପାଇଁ ଆନ୍ଦୋଳନ ଚଳାଇଛନ୍ତି। ଉକ୍ତ କର୍ମଚାରୀମାନକ ସମସ୍ୟା ସମ୍ପର୍କରେ ଜାଣି ତାହା କିଭଳି ସମାଧାନ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ମନ୍ତ୍ରୀ ଓ ବିଧାୟକଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। ଉକ୍ତ କମିଟିକୁ ଶୁକ୍ରବାର ବିଭିନ୍ନ ସଂଘର କର୍ମକର୍ତ୍ତା ଆଜି ଭୁବନେଶ୍ୱର ଠାରେ ଭେଟି ନିଜର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। କମିଟି ଏହାପରେ ତାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବ। ଏଥିସହ ଆଇନ ଅନୁଯାୟୀ ବିହିତ ପଦକ୍ଷେପ ନିଆଯିବ । ସମସ୍ତ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କମିଟିର ସଭ୍ୟ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଧରିତ୍ରୀକୁ ଏକ ସାକ୍ଷାତକାରରେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଭୁବନେଶରରେ ଧାରଣାରତ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ,ଏସ.ଇ.ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚ଼ାରୀ ମହାସଂଘ, ଓଡ଼ିଶା ସ୍ବାସ୍ଥ୍ୟ ମିଶନ ପରିଚ଼ାଳନା କର୍ମଚ଼ାରୀ ସଂଘ, ଓଡ଼ିଶା ସ୍କୁଲ କଲେଜ ଓ କର୍ମଚାରୀ ସମନ୍ବୟ ସମିତି ଏବଂ ଅନ୍ୟାନ୍ୟ ସଂଘର କର୍ମକର୍ତ୍ତାମାନେ ଆଜକୁ କିଛି ଦିନ ହେବ ଆନ୍ଦୋଳନ ଚଳାଇଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଆଜି ବିଧାନସଭା ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ବାରା ମନ୍ତ୍ରୀ ଓ ବିଧାୟକ ମାନକୁ ନେଇ ଏକ କମିଟି ଗଠନ ହେଇଥିଲା। ଉକ୍ତ କମିଟି ଆଜି ବିଭିନ୍ନ ସଂଘର କର୍ମକର୍ତ୍ତାଙ୍କୁ ଭେଟି ଆଲୋଚନା ପାଇଁ ଡାକିଥିଲେ। ଏହାପରେ ବିଭିନ୍ନ ସଂଘର ପ୍ରତିନିଧି ମଣ୍ଡଳୀମାନେ ଆସି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ କମିଟିକୁ ଅବଗତ କରାଇଥିଲେ । ସଂଘର ବିଭିନ୍ନ ସମସ୍ୟା ଓ ଅଭିଯୋଗଗୁଡ଼ିକ ଉପରେ ମନ୍ତ୍ରୀ ଓ ବିଧାୟକ କମିଟି ଆଲୋଚନା କରିଥିଲା । ଏହାପରେ ସମସ୍ୟା ଗୁଡ଼ିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀମାନଙ୍କୁ ଅବଗତ କରାଇ ବିହିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କମିଟି ପ୍ରତିଶ୍ରୁତି ଦେଇଥିଲା।
ଭାଜପା ସରକାର ହେଉଛି ଲୋକଙ୍କ ସରକାର ଲୋକଙ୍କ ସହିତ ଅଛନ୍ତି। ସାଧାରଣ ଜନତାଙ୍କ ଅଭିଯୋଗକୁ ଶୁଣିବା ଏବଂ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବିହିତ ପଦକ୍ଷେପ ନେବା ପାଇଁ ଆମ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରଦ୍ୟୁମ୍ନ ଏଠାରେ କହିଛନ୍ତି। ଏହି ଅବସରରେ ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଭୁବନେଶ୍ୱର ବିଧାୟକ ବାବୁ ସିଂ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ, ବିଧାୟକ ଆଶ୍ରିତ ପଟ୍ଟନାୟକ, ବିଧାୟକ ଇରାଶିସ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।