ଭୁବନେଶ୍ୱର,୭ା୮: ରାଜ୍ୟ ସରକାର ୨ ଜଣ ସବ୍-ରେଜିଷ୍ଟ୍ରାରଙ୍କୁ ବୁଧବାର ଚାକିରିରୁ ନିଲମ୍ବିତ କରିଛନ୍ତି। ଜଗତପୁରରେ କାର୍ଯ୍ୟରତ ସବ୍-ରେଜିଷ୍ଟ୍ରାର ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟଙ୍କୁ ଜମି ବିକ୍ରିରେ ବେଆଇନ କାରବାର ପାଇଁ ଚାକିରିରୁ ନିଲମ୍ବନ କରାଯାଇଛି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ସେ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥାନ ଦେବେ। ଏଥିସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇ ପାରିବେ ନାହିଁ । ସେହିପରି ସବ୍-ରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ପିପିଲିର ଅତିରିକ୍ତ ତହସିଲଦାର ନବକିଶୋର ପାତ୍ର ଜମିଜମା ରେଜିଷ୍ଟ୍ରେଶନ୍ରେ ଅନିୟମିତତା କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ପାତ୍ର ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥାନ ଦେବେ। ଏଥିସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇପାରିବେ ନାହିଁ ବୋଲି ରାଜସ୍ବ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।