ରାଜଗାଙ୍ଗପୁରରେ ନିର୍ମାଣ ହେବ ରେଳ ଓଭରବ୍ରିଜ୍‌: ଲୋକଙ୍କଠାରୁ ସିଧାସଳଖ ଜମି କିଣିବେ ସରକାର

ଭୁବନେଶ୍ୱର,୧୭ା୮(ଅସମାପିକା ସାହୁ): ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁରଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ଲୋକଙ୍କଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୧, ୧୨ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ସୁନ୍ଦରଗଡ଼ ଜିଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ। ଏହି ଗସ୍ତ ସମୟରେ ଜିଲାର ରାଜଗାଙ୍ଗପୁରଠାରେ ଏକ ରେଳ ଓଭରବ୍ରିଜ୍‌ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ସମ୍ପର୍କରେ ସେ ଅବଗତ ହୋଇଥିଲେ।

ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଆର୍‌ଓବି ପାଇଁ ଆବଶ୍ୟକ ଜମିକୁ ସିଧାସଳଖ ରାଜ୍ୟ ସରକାର କିଣିନେଇ ନିର୍ମାଣ କାମକୁ ତ୍ୱରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଏହି ରେଳ ଓଭରବ୍ରିଜ୍‌ଟି ସୁନ୍ଦରଗଡ଼ ଜିଲାର ସୋନାଖାନ ଓ କାଂଶବାହାଲ ଷ୍ଟେଶନ ମଧ୍ୟରେ ରାଜଗାଙ୍ଗପୁର ମୌଜାରେ ନିର୍ମାଣ କରାଯିବ।

Share