୭ଦିନରେ ସ୍ପଷ୍ଟୀକରଣ ଦେବେ ସରକାର

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ଘରୋଇ ସ୍କୁଲ ଫି’ ଛାଡ଼ ସମ୍ପର୍କିତ ମାମଲାରେ ହାଇକୋର୍ଟ ସୋମବାର ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। କେତେକ ଘରୋଇ ସ୍କୁଲ ପକ୍ଷରୁ ଆଗତ ପିଟିଶନକୁ ଅଗ୍ରାହ୍ୟ କରିବା ସହ ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି। ଆସନ୍ତା ୭ଦିନ ମଧ୍ୟରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ସମୟରେ ଘରୋଇ ସ୍କୁଲ ଫି’ ଛାଡ଼ କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଫି’ କମାଇବା ନେଇ ସୁପାରିସ କରାଯାଇଥିଲା। କିନ୍ତୁ କେତେକ ସ୍କୁଲ୍‌ କର୍ତ୍ତୃପକ୍ଷ ଫି’ ହ୍ରାସକୁ ବିରୋଧ କରିଥିଲେ। ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରି ଇଣ୍ଟରଭେନ୍ସିଂ ପିଟିଶନ ଦାଏର କରିଥିଲେ। କିନ୍ତୁ ଏହି ପିଟିଶନକୁ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ। ଫି’ ହ୍ରାସ ସମ୍ପର୍କରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ସମ୍ପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ସ୍କୁଲ ଉପରେ ସରକାରଙ୍କର କ’ଣ ନିୟନ୍ତ୍ରଣ ରହିଛି, ତାହା ଉପରେ ସ୍ପଷ୍ଟ ଆଭିମୁଖ୍ୟ ସତ୍ୟପାଠରେ ଦେବା ପାଇଁ ହାଇକୋର୍ଟ କହିଛନ୍ତି। ଆସନ୍ତା ନଭେମ୍ବର ୧୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଉଲ୍ଲେଖଯୋଗ୍ୟ, କମିଟି ପକ୍ଷରୁ ଦିଆଯାଇଥିବା ସୁପାରିସ ଅନୁଯାୟୀ, ବାର୍ଷିକ ୬ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟୁଶନ ଫି’ରେ କୌଣସି ଫି’ ଛାଡ଼ କରାଯିବନି। ତେବେ ୬ରୁ ୧୨ ହଜାର ଟଙ୍କା ଯାଏ ଫି’ ନେଉଥିଲେ ୭.୫ ପ୍ରତିଶତ, ୧୨ରୁ ୨୪ହଜାର ଯାଏ ୧୨ପ୍ରତିଶତ, ୨୪ରୁ ୪୮ହଜାର ଯାଏ ୧୫ ପ୍ରତିଶତ, ୪୮ରୁ ୭୨ହଜାର ଯାଏ ୨୦ ପ୍ରତିଶତ, ୭୨ରୁ ୧ ଲକ୍ଷ ଟଙ୍କା ଫି’ରେ ୨୫ ପ୍ରତିଶତ ଓ ୧ଲକ୍ଷରୁ ଅଧିକ ଫି’ ପାଇଁ ୨୬ ପ୍ରତିଶତ ହ୍ରାସ କରିବାକୁ ସୁପାରିସ କରାଯାଇଛି। ତେବେ ରେସିଡେନ୍ସିଆଲ ସ୍କୁଲ୍‌ଗୁଡିକର ଫି’ ୩୦ପ୍ରତିଶତ ହ୍ରାସ ପାଇଁ କମିଟି ସୁପାରିସ କରିଛି।

Share