Categories: ଜାତୀୟ

ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ବଡ଼ ସୁବିଧା ଦେବେ ସରକାର

ନୂଆଦିଲ୍ଲୀ,୫।୧୨: ସଡ଼କ ଦୁର୍ଘଟଣାରେ ଅଧିକାଂଶ ମୃତ୍ୟୁ ଚିକିତ୍ସାରେ ବିଳମ୍ବ ହେତୁ ଘଟିଥାଏ। ଏହି ଗମ୍ଭୀର ପ୍ରସଙ୍ଗକୁ ଧ୍ୟାନରେ ରଖି ସରକାର ଶୀଘ୍ର ସଡ଼କ ଦୁର୍ଘଟଣା ମାମଲାରେ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ଯାଉଛନ୍ତି। ଯାହାଦ୍ୱାରା ଆହତମାନେ ଯଥାଶୀଘ୍ର ମାଗଣା ଚିକିତ୍ସା ପାଇପାରିବେ ଏବଂ ସେମାନଙ୍କ ଜୀବନ ରକ୍ଷା ହୋଇପାରିବ। ଏଥିପାଇଁ ମୋଟର ଯାନ ଅଧିନିୟମରେ ପରିବର୍ତ୍ତନ ହୋଇସାରିଛି । ତଥ୍ୟ ଅନୁଯାୟୀ, ଗତ ବର୍ଷ ୪.୪୬ ଲକ୍ଷ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ୪.୨୩ ଲକ୍ଷ ଲୋକ ଆହତ ହୋଇଥିଲେ ଏବଂ ୧.୭୧ ଲକ୍ଷ ଲୋକ ପ୍ରାଣ ହରାଇଥିଲେ।
ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଖୁବ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରିବ। ଆସନ୍ତା ୪ ମାସ ମଧ୍ୟରେ ଏହି ସୁବିଧା ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। ମନ୍ତ୍ରଣାଳୟର ସଚିବ ଅନୁରାଗ ଜୈନ ଏକ କାର୍ଯ୍ୟକ୍ରମ ସମୟରେ କହିଛନ୍ତି, ସଡ଼କ ଦୁର୍ଘଟଣାରେ ଅଧିକାଂଶ ମୃତ୍ୟୁ ଭାରତରେ ଘଟିଥାଏ। ମାଗଣା ଏବଂ ନଗଦବିହୀନ ଚିକିତ୍ସାର ନିୟମ ମୋଟର ଯାନ ଅଧିନିୟମରେ ଅନ୍ତର୍ଭୂକ୍ତ କରାଯାଇଛି। କେତେକ ରାଜ୍ୟରେ ଏହି ନିୟମ ପାଳନ କରାଯାଉଛି। କିନ୍ତୁ ବର୍ତ୍ତମାନ ସମଗ୍ର ଦେଶରେ ଏହାକୁ କାର୍ଯ୍ୟକାରୀ କରିବାର ସମୟ ଆସିଛି। ତେଣୁ ସମଗ୍ର ଦେଶରେ ନଗଦବିହୀନ ଚିକିତ୍ସା ବ୍ୟବସ୍ଥା ଲାଗୁ କରିବାକୁ ଆମେ ସ୍ବାସ୍ଥ୍ୟ ଏବଂ ପରିବାର ମନ୍ତ୍ରଣାଳୟକୁ ନିବେଦନ କରିଛୁ। ଏହାଦ୍ୱାରା ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତି ଯେକୌଣସି ସ୍ଥାନରେ ଚିକିତ୍ସା ପାଇପାରିବେ।
ମୋଟର ଯାନ ଅଧିନିୟମ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୁର୍ଘଟଣାରେ ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ମାଗଣା ଚିକିତ୍ସା କରାଯିବ। ଯଦି ଦୁର୍ଘଟଣାର ପ୍ରଥମ କିଛି ଘଣ୍ଟା ମଧ୍ୟରେ ଚିକିତ୍ସା ଉପଲବ୍ଧ ହୁଏ, ତେବେ ଆମେ ଅନେକ ଜୀବନ ରକ୍ଷା କରିବାରେ ସଫଳ ହେବୁ ବୋଲି ଜୈନ କହିଛନ୍ତି।

Share