ବଦଳିଲା ସରକାରଙ୍କ ନିଷ୍ପତ୍ତି: ୨୨ ଜଣ ଅଫିସରଙ୍କ ବଦଳି ଉପରେ ଲାଗିଲା ରୋକ୍‌

ଭୁବନେଶ୍ୱର,୨୦।୬(ଅସମାପିକା ସାହୁ): ସରକାର ବଦଳିବା ପରେ ନୂଆ ସରକାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି ଥିବା ଅଫିସରମାନଙ୍କୁ ଅନ୍ୟ ବିଭାଗକୁ ବଦଳି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ମହଲା ଆବଣ୍ଟିତ ହେବା ପରେ ସେଠାରେ ଥିବା ସଚିବାଳୟ ସେବା କ୍ୟାଡରର ୨୨ ଜଣ ଅଫିସରଙ୍କୁ ଅନ୍ୟତ୍ର ବଦଳି କରାଯିବାକୁ ସୋମବାର ନିର୍ଦ୍ଦେଶ ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ଜଣେ ଡେପୁଟି ସେକ୍ରେଟାରିଙ୍କ ସମେତ ୬ ଜଣ ସେକ୍ସନ ଅଫିସର, ୧୫ ଜଣ ଏଏସଓ। ଏହି ସମସ୍ତ ଅଫିସରଙ୍କୁ ସଂସଦୀୟ ବ୍ୟାପାର, ଯୋଜନା ଓ ସଂଯୋଜନ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବଦଳି କରାଯାଇଥିଲା। କିନ୍ତୁ ଏହି ବଦଳି ଉପରେ ଏବେ ରୋକ ଲାଗିଛି। ଗୃହ ବିଭାଗ ଏହି ବଦଳି ନିର୍ଦ୍ଦେଶନାମାକୁ ସ୍ଥଗିତ ରଖିଛି। ଏନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରେ ଆଉ ଦୁଇ ଜଣ ଅଧିକାରୀଙ୍କୁ ନୂଆ ନିଯୁକ୍ତ ଦିଆଦିଆଯାଇଛି। ଯୋଜନା ଓ ସଂଯୋଜନା ବିଭାଗରେ ଅନୁସଚିବ ଥିବା ବିନୋଦ ବିହାରୀ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ନିଯୁକ୍ତି ଦିଆଯାଇଛି। ଗୃହ ବିଭାଗରେ ବରିଷ୍ଠ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟରତ ସତୀଶ ଚନ୍ଦ୍ର ସାମଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ଯୋଜନା ବୋର୍ଡରେ ଓଏସ୍‌ଡି ଥିବା ସଞ୍ଜୟ କୁମାର ବରିଗଞ୍ଜନଙ୍କୁ ଉପମୁଖ୍ୟମନ୍ତ୍ରୀ କନକବଦ୍ଧନ ସିଂଦେଓଙ୍କ ଓଏସ୍‌ଡି ନିଯୁକ୍ତ କରାଯାଇଛି।

Share