ଓଡ଼ିଆ ଗୀତ ଗାଇଲେ ରାଜ୍ୟପାଳ

ଭୁବନେଶ୍ୱର, ୧।୩(ବ୍ୟୁରୋ): ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗୀତ ଗାଇଛନ୍ତି। ତାହା ପୁଣି ଓଡ଼ିଆ ଗୀତ। ଜଣେ ପେସାଦାର କଣ୍ଠଶିଳ୍ପୀଙ୍କ ଭଳି ଏକଦମ୍‌ ସୁରରେ ସେ ଷ୍ଟୁଡିଓରେ ଗୀତ ରେକର୍ଡିଂ କରିଥିଲେ। ଓଡ଼ିଶାର କଳା, ସଂସ୍କୃତି, ସଭ୍ୟତାକୁ ନେଇ ପ୍ରସ୍ତୁତ ଏହି ଗୀତଟି ହେଉଛି ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’। ଗୀତଟିକୁ ବସନ୍ତରାଜ ସାମଲ ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ରାଜ୍ୟପାଳଙ୍କ ବ୍ୟତୀତ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଆଶୁତୋଷ ମହାନ୍ତି, ସୋନମ୍‌ ଦାଶ, ସବିଶେଷ ମିଶ୍ର, ବିଶ୍ୱଜିତ୍‌ ମହାପାତ୍ର, ଦେବକୃପା ମିଶ୍ର, ଅଳକା ଅଭିଲେଖା, ସମୀକ୍ଷା ମିଶ୍ର, ଲୋପାମୁଦ୍ରା ଦାଶ, ଶ୍ରୀୟା ମିଶ୍ର, ପ୍ରଜ୍ଞା ପ୍ରସ୍ମିତା ହୋତା, ଶଶାଙ୍କ ଶେଖର, ବସନ୍ତରାଜ ସାମଲ ଓ ବିଦେଶୀ ଦାସ ବିଉଟିଫୁଲ୍‌ ପ୍ରମୁଖ ଓଡ଼ିଶାର ଆଗଧାଡିର ୧୫ଜଣ କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି। ନୀଳାଦ୍ରି ବିହାରସ୍ଥିତ ଏକ ଷ୍ଟୁଡିଓରେ ରବିବାର ଏହାର ରେକର୍ଡିଂ କରାଯାଇଥିଲା। ଗୀତର ସ୍ବର ଏତେ ମଧୁର ହୋଇଛି ଯେ, ଏହା ସାରା ବିଶ୍ୱରେ ଚହଳ ପକାଇବ। ଗୀତ ଶୁଣିବା ପରେ ଜହର ମଧ୍ୟ ଅମୃତ ହୋଇଯିବ ବୋଲି ରାଜ୍ୟପାଳ କହିଥିଲେ।
ଏନେଇ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ କହିଛନ୍ତି, ମୋ ଗୀତକୁ ଗାଇବା ପରେ ରାଜ୍ୟପାଳ ମତେ ଆଶୀର୍ବାଦ କରିଥିଲେ, ଯାହା ମୋ ପାଇଁ ଗର୍ବର ବିଷୟ। ସଙ୍ଗୀତ ଜୀବନର ଏହା ମୋ ପାଇଁ ଶ୍ରେଷ୍ଠତମ ଦିନ। ରାଜ୍ୟର ମୁଖ୍ୟ ତଥା ପ୍ରଥମ ନାଗରିକ ହୋଇଥିବାରୁ ରାଜ୍ୟପାଳଙ୍କୁ ଏ ଗୀତ ଶୁଣାଇବା ତଥା ତାଙ୍କର ମତାମତ ନେବା ପାଇଁ ଆମେ ତାଙ୍କ ନିକଟକୁ ଯାଇଥିଲୁ। ଯେହେତୁ ଏ ଗୀତ ଆମ ଓଡ଼ିଶା ମାଟିର ଗୀତ ତେଣୁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଏ ଗୀତରେ ରହିବେ ବୋଲି ଆମର ଲକ୍ଷ୍ୟ ଥିଲା। ମାତ୍ର ଗୀତ ଶୁଣିବା ପରେ ରାଜ୍ୟପାଳ ଏତେ ଖୁସି ହୋଇଯାଇଥିଲେ ଯେ ନିଜେ ଏ ଗୀତରୁ ଦୁଇଶବ୍ଦ ଗାଇବାକୁ ଇଚ୍ଛା ପ୍ରକାଶ କରିଥିଲେ। ଉତ୍କଳ ଦିବସରେ ଭିଡିଓ ସହିତ ଏହି ଗୀତ ଉନ୍ମୋଚିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

Share