କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବା ଲାଗି ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

କେନ୍ଦ୍ରାପଡ଼ା ଅଫିସ,୨୨ା୮: କେନ୍ଦ୍ରାପଡ଼ା ଜିଲାକୁ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ କେନ୍ଦ୍ରାପଡ଼ା ଜିଲା ବିକାଶ ପରିଷଦ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିର ଯଥାର୍ଥତା ଥିବା ଦର୍ଶାଇ ରାଜ୍ୟପାଳ ଗତ ୨୦ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଚିଠି (ନଂ. ୯୦୨) ଲେଖିଛନ୍ତି। ଏଥିରେ ରାଜ୍ୟପାଳ ଦର୍ଶାଇଛନ୍ତି, ଗତ ୧୦ ତାରିଖରେ କେନ୍ଦ୍ରାପଡ଼ା ଜିଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲି। ୭୦ ବର୍ଷର ସ୍ବାଧୀନତା ପରେ କେନ୍ଦ୍ରାପଡ଼ା ଜିଲା ରେଳ ମାନଚିତ୍ରରେ ସ୍ଥାନ ପାଇଥିବା ଆଲୋଚନା ହୋଇଥିଲା। ତେବେ ୫ ବର୍ଷ ହେଲା ଏହି ରେଳପଥ କେବଳ ପଣ୍ୟ କାରବାର ହେଉଛି। ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ ହୋଇ ନ ଥିବା କେନ୍ଦ୍ରାପଡ଼ା ଜିଲା ବିକାଶ ପରିଷଦ ପକ୍ଷରୁ ସ୍ମାରକପତ୍ରରେ କୁହାଯାଇଥିଲା। କେନ୍ଦ୍ରାପଡ଼ା ଜିଲା ଐତିହାସିକ ଓ ସାଂସ୍କୃତିକ ଦୃଷ୍ଟିରୁ ସମୃଦ୍ଧ। ସେହିପରି ରାଜନୈତିକ ଓ ପର୍ଯ୍ୟଟନ କ୍ଷେତ୍ର ପାଇଁ ମଧ୍ୟ ପ୍ରସିଦ୍ଧ। କେନ୍ଦ୍ର ସରକାର ଆଜାଦୀ କା ଅମୃତ ମହୋତ୍ସବରେ ଯୋଗାଯୋଗକୁ ଗୁରୁତ୍ୱ ଦେଉଥିବାରୁ ପାରାଦୀପ-ହରିଦାସପୁର ରେଳପଥରେ କେନ୍ଦ୍ରାପଡ଼ାକୁ ଯାତ୍ରାବାହୀ ରେଳର ଚଳାଚଳା ବ୍ୟବସ୍ଥା କରିବାକୁ ରାଜ୍ୟପାଳ ଲାଲ ଚିଠିରେ ଉଲ୍ଲେଖ କରିଛନ୍ତି।

Share