ଭୁବନେଶ୍ୱର, ୨୩।୯(ବ୍ୟୁରୋ):ଜାତୀୟ ଶିକ୍ଷାନୀତି ଭାରତୀୟ ସଂସ୍କୃତି, ଶୈକ୍ଷିକ ପରମ୍ପରା, ଚିନ୍ତନ ଓ ତତ୍ତ୍ବ ଉପରେ ଆଧାରିତ। ଏହା ମାଧ୍ୟମରେ ଭାରତୀୟତା ସ୍ପଷ୍ଟ ଭାବରେ ପ୍ରକାଶିତ ଓ ପ୍ରସାରିତ ହୋଇପାରିବ। ଭାରତୀୟତା ହେଉଛି ବିଶ୍ୱଜନୀନତା, ଯାହାର ଆବଶ୍ୟକତା ସାମ୍ପ୍ରତିକ ବିଶ୍ୱ ପାଇଁ ଏକାନ୍ତ ଜରୁରୀ। ତେଣୁ ଜାତୀୟ ଶିକ୍ଷାନୀତିର କୁଶଳ କାର୍ଯ୍ୟାନ୍ବୟନ ତଥା ଆତ୍ମିକ ପ୍ରୟୋଗ ନିମନ୍ତେ ନିଷ୍ଠା ଓ ଆନ୍ତରିକତା ସହ କାର୍ଯ୍ୟ କରିବାକୁ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କୁ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି ା
ମଙ୍ଗଳବାର ରାଜଭବନରୁ ଭିଡିଓ କନ୍ଫରେନ୍ସରେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ପର୍କରେ ରାଜ୍ୟପାଳ ଭାବ ବିନିମୟ କରିଥିଲେ। ଏହି ଅବସରରେ ରାଜ୍ୟପାଳ କହିଲେ, ବିଶ୍ୱ, ବିଶ୍ୱବିଦ୍ୟାଳୟ ଓ ବିଶ୍ୱ ମାନବ ମଧ୍ୟରେ ସମନ୍ବୟ ଓ ସଂହତି ସ୍ଥାପନ ହେଉଛି ଶିକ୍ଷାର ମୂଳ ଲକ୍ଷ୍ୟ। ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଅନ୍ତର୍ନିହିତ ସମ୍ଭାବନା ଓ ସାମର୍ଥ୍ୟର ଚିହ୍ନଟ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ନିର୍ମାଣ ହେବା ଦରକାର। ସମୟର ଆହ୍ବାନ ଓ ଆବଶ୍ୟକତାକୁ ଅଙ୍ଗୀଭୂତ କରି ଜାତୀୟ ଶିକ୍ଷାନୀତି ୨୦୨୦ର ପରିକଳ୍ପନା କରାଯାଇଛି। ଭାରତର ଏକ ସକାରାତ୍ମକ ରୂପାନ୍ତରରେ ଏହା ଉତ୍ପ୍ରେରକ ଭୂମିକା ଗ୍ରହଣ କରିବ। କ୍ଷମତା ସହିତ ଆଚରଣର ମଧୁର ସମନ୍ବୟକୁ ଶୈକ୍ଷିକ ଉତ୍କର୍ଷ ଭାବରେ ଗ୍ରହଣ କରାଯାଏ। ନୂଆ ଜାତୀୟ ଶିକ୍ଷାନୀତି ସେହି ଦିଗରେ ଏକ ପଥୀକୃତ ପ୍ରୟାସ। ଏହାକୁ ଏକ ଜାତୀୟ କାର୍ଯ୍ୟ ଓ ଆହ୍ବାନ ଭାବରେ ଗ୍ରହଣ କରି ନିଜର ଅନୁଭବ ଓ ଉପଲବ୍ଧି ଆଧାରରେ କାର୍ଯ୍ୟକାରୀ କରିବାକୁ ରାଜ୍ୟପାଳ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି। କୁଳପତିମାନେ ମଧ୍ୟ ନିଜ ନିଜର ମତ ରଖି ନୂଆ ଜାତୀୟ ଶିକ୍ଷାନୀତି ଦେଶର ସାମଗ୍ରିକ ପ୍ରଗତି କ୍ଷେତ୍ରରେ ଏକ ବୈପ୍ଳବିକ ପଦକ୍ଷେପ ବୋଲି କହିଥିଲେ। ରାଜ୍ୟପାଳଙ୍କ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ପ୍ରାରମ୍ଭିକ ସୂଚନା ଦେବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ ଓ ଅତିରିକ୍ତ ସଚିବ ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।