କରୋନା ପରିଚାଳନା ନେଇ ମିଛ ତଥ୍ୟ ରଖୁଛନ୍ତି ସରକାର

ଭୁବନେଶ୍ୱର,୨।୧୦(ବ୍ୟୁରୋ): କରୋନା ପରିଚାଳନାରେ ସରକାର ଯେଉଁ ତଥ୍ୟ ରାଜ୍ୟବାସୀଙ୍କ ସାମ୍ନାରେ ରଖୁଛନ୍ତି ତାହା ମିଥ୍ୟା ଓ ବିଭ୍ରାନ୍ତିକର। ଅସତ୍ୟ ଉପରେ ଆଧାରିତ ତଥ୍ୟ ବଳରେ ଡବ୍ଲ୍ୟୁଏଚ୍‌ଓ ପାଖରୁ ଯେଉଁ ପ୍ରମାଣପତ୍ର ହାସଲ କରିଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳ ନେତା ସୁଦର୍ଶନ ଦାସ କହିଛନ୍ତି, ସରକାର ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏହି ଅବସରରେ ସେ ବାଲେଶ୍ୱର ଉପକଣ୍ଠର ‘ମୁକ୍ତିଦ୍ୱାର’ ମଶାଣିରେ ସତ୍କାର ହୋଇଥିବା କରୋନା ମୃତ୍ୟୁର ହିସାବ ଦେଇଛନ୍ତି। ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୧୪ ଭିତରେ ଏହି ମଶାଣିରେ ୮୨ କରୋନା ଜନିତ ମୃତ୍ୟୁର ଶବଦାହ ହୋଇଛି। ‘ମୁକ୍ତିଦ୍ୱାର’ ପରିଚାଳନା କମିଟି ଏ ବାବଦରେ ମୃତଦେହ ପିଛା ୭୫୦୦ ଟଙ୍କା ହିସାବରେ ୬ ଲକ୍ଷ ୧୫ ହଜାର ଟଙ୍କା ପ୍ରଶାସନ ପାଖରେ ବିଲ୍‌ ଦାଖଲ କରିଛି। ସେହି ସମୟ ଭିତରେ ୬ ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି ଯାହା ‘ମୁକ୍ତିଦ୍ୱାର’ ମଶାଣିକୁ ଆସିନାହିଁ। ବାଲେଶ୍ୱରର ଜ୍ୟୋତି କୋଭିଡ୍‌ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଦୁଇଜଣ କରୋନା ରୋଗୀଙ୍କ ଶବକୁ ମଧ୍ୟ ପରିବାର ଲୋକେ ଜବରଦସ୍ତ ନେଇଯାଇ ନିଜ ଗ୍ରାମରେ ଦାହ କରିଛନ୍ତି। ପୁନଶ୍ଚ ଏହି ସମୟ ଭିତରେ କଟକ ଓ ଭୁବନେଶ୍ୱରରେ ମଧ୍ୟ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ଯାହା ‘ମୁକ୍ତିଦ୍ୱାର’ରେ ଦାହ ନ ହୋଇ ସେମାନଙ୍କ ଗଁା ମଶାଣିରେ ହୋଇଛି। ହିସାବ ମୁତାବକ ବାଲେଶ୍ୱରରେ କରୋନା ମୃତ୍ୟୁ ଶହେରୁ ଊର୍ଦ୍ଧ୍ୱ ହେବ। ମାତ୍ର ସରକାରଙ୍କ ହିସାବ ମୁତାବକ ଏହି ସମୟ ଭିତରେ ୨୧ ଜଣଙ୍କ କରୋନା ମୃତ୍ୟୁ ହୋଇଛି। ଏଥିରୁ ସରକାର ତଥ୍ୟ ଲୁଚାଉଥିବା ସ୍ପଷ୍ଟ ଜଣାପଡୁଛି ବୋଲି ସୁଦର୍ଶନ ଅଭିଯୋଗ କରିଛନ୍ତି।
ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସରକାରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣି କହିଛନ୍ତି, କରୋନା ଚିକିତ୍ସା କ୍ଷେତ୍ରରେ ସରକାରଙ୍କ ଅବହେଳା ଅକ୍ଷମଣୀୟ ଏବଂ ଦୁର୍ଭାଗ୍ୟଜନକ। କରୋନା ରୋଗୀମାନେ ଆଇସିୟୁ ଏବଂ ଭେଣ୍ଟିଲେଟର ନ ପାଇ ଡହଳବିକଳ ହେଉଛନ୍ତି। ପିଏମ୍‌ କେୟାର ପାଣ୍ଠିରୁ ୫୬୭ ଭେଣ୍ଟିଲେଟର ରାଜ୍ୟ ସରକାରଙ୍କୁ ମିଳିଥିଲା। ଏବେ ସୁଦ୍ଧା ମାତ୍ର ୧୪୭ ଭେଣ୍ଟିଲେଟର ବ୍ୟବହୃତ ହୋଇଛି । ଅନ୍ୟଗୁଡ଼ିକ ଘର ଭିତରେ ପଡ଼ି ରହିଛି। ଏହା ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତାର ପରିଚୟ ବୋଲି ପ୍ରଦୀପ କହିଛନ୍ତି।

Share