ଗଣତନ୍ତ୍ରର ମହାପର୍ବ

ଡ.ପ୍ରଫୁଲ୍ଲ କୁମାର ସାହୁ

 

ଆଜି ଜାନୁୟାରୀ ୨୬ ତାରିଖ। ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରର ମହାପର୍ବ। ସତୁରି ବର୍ଷରୁ ଊଦ୍ଧର୍‌ବ କାଳ ଧରି ଏହି ଦିବସ ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସଚେତନ କରାଇ ଚାଲିଛି ସମ୍ବିଧାନ ପ୍ରଦତ୍ତ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ। ଗଣତନ୍ତ୍ର ହେଉଛି ଲୋକଙ୍କ ଇଚ୍ଛା ଉପରେ ପ୍ରତିଷ୍ଠିତ ଏକ ଶାସନବ୍ୟବସ୍ଥା; ଯାହାର ଆତ୍ମା ହେଉଛି ସମ୍ବିଧାନ। ୧୯୪୭ ଅଗଷ୍ଟ୧୫ରେ ଦେଶ ସାଧୀନ ହେବା ବେଳକୁ ନିଜସ୍ବ ସମ୍ବିଧାନ ନ ଥିବାରୁ ବ୍ରିଟିଶ ସରକାରଙ୍କ ଭାରତ ଶାସନ ଆଇନ ବଳବତ୍ତର ଥିଲା ୧୯୫୦ ପର୍ଯ୍ୟନ୍ତ। ସ୍ବାଧୀନତା ପୂର୍ବରୁ ଦେଶ ଶାସନ ପାଇଁ ଏକ ସମ୍ବିଧାନର ଆବଶ୍ୟକତା ରହିଛି ବୋଲି ସର୍ବପ୍ରଥମେ ଅନୁଭବ କରିଥିଲେ ବିଶିଷ୍ଟ ବାମପନ୍ଥୀ ନେତା ଏମ.ଏନ. ରାୟ। ସମ୍ବିଧାନର ଉପାଦେୟତା ସମ୍ପର୍କରେ ସେ ସର୍ବସାଧାରଣରେ ପ୍ରକାଶ କରିବା ପରେ ୧୯୩୫ରେ ଇଂରେଜ ସରକାରଙ୍କ ପାଖରେ ନିଜସ୍ବ ସମ୍ବିଧାନ ପାଇଁ ଦାବି ଉପସ୍ଥାପନ କଲା ଜାତୀୟ କଂଗ୍ରେସ। ଫଳରେ ବ୍ରିଟିଶ ସଂସଦ ଦ୍ବାରା ନିଯୁକ୍ତ କ୍ୟାବିନେଟ ମିଶନର ସୁପାରିସ କ୍ରମେ ଆରମ୍ଭ ହେଲା ସ୍ବତନ୍ତ୍ର ସମ୍ବିଧାନ ପ୍ରସ୍ତୁତି ପ୍ରକ୍ରିୟା। ୧୯୪୬ ଡିସେମ୍ବର ୧୩ ତାରିଖ ଅନୁଷ୍ଠିତ ସମ୍ବିଧାନ ସଭା ବୈଠକର ନିଷ୍ପତ୍ତି ଅନୁଯାୟୀ ଡ. ବି.ଆର. ଆମ୍ବେଡକରଙ୍କ ଅଧ୍ୟକ୍ଷତାରେ ଗଠନ ହେଲା ଏକ ସାତଜଣିଆ ଡ୍ରାଫ୍ଟିଙ୍ଗ କମିଟି। ସେହି କମିଟି ଦାରା ପ୍ରସ୍ତୁତ ୩୯୫ ଧାରା ବିଶିଷ୍ଟ ସମ୍ବିଧାନ କାର୍ଯ୍ୟକାରୀ ହେଲା ୧୯୫୦ ଜାନୁୟାରୀ ୨୬ ତାରିଖରେ। ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ଏହି ମୂଳଗ୍ରନ୍ଥରେ ସରକାରଙ୍କଠାରୁ ସାଧାରଣ ନାଗରିକ ଯାଏ ସମସ୍ତଙ୍କ ଅଧିକାର, କର୍ତ୍ତବ୍ୟ, ଦାୟିତ୍ୱ ତଥା ଦେଶର ଶାସନ ବ୍ୟବସ୍ଥା ସମ୍ପର୍କରେ ଲିପିବଦ୍ଧ ହୋଇ ରହିଲା ବିସ୍ତୃତ ଭାବରେ। ସେଥିପାଇଁ ଜାତୀୟ ଜୀବନର ଧର୍ମଗ୍ରନ୍ଥ ଭାବରେ ସମ୍ବିଧାନକୁ ଆମେ ମୁଣ୍ଡିଆ ମାରୁଛୁ, ତା’ର ଜନ୍ମତିଥିକୁ ଉତ୍ସବ ଭାବି ପାଳନ କରୁଛୁ ଏବଂ ବର୍ଷ ବର୍ଷ ଧରି ବଖାଣି ଚାଲିଛୁ ତା’ର ମହତ୍ତ୍ୱ ଓ ଗୁରୁତ୍ୱ ଗାଥା। ମାତ୍ର ଜାନୁୟାରୀ ୨୬ କେବଳ ଏକ ଦିବସ ନୁହେଁ,ଏକ ଉପଲବ୍ଧି। ଦେଶର ବିକାଶ ଓ ସ୍ଥିତିକୁ ନେଇ ଆତ୍ମସମୀକ୍ଷାର ଏକ ଅବସର। ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖନୀୟ ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଉକ୍ତି। ପ୍ରଥମ ଗଣତନ୍ତ୍ର ଦିବସ ପାଳନ ଅବସରରେ ସେ କହିଥିଲେ ”ଗଣତନ୍ତ୍ର ଦିବସ ପାଳନ କେବଳ ଏକ ଉତ୍ସବ ପାଳନର ଅବସର ନୁହେଁ। ଆମ ସମସ୍ତଙ୍କୁ ମନେରଖିବାକୁ ହେବ ଯେ ଏହା ଦେଶ ପ୍ରତି ଆମର ଦାୟିତ୍ୱ ଓ କର୍ତ୍ତବ୍ୟବୋଧକୁ ସ୍ମରଣ କରିବାର ଦିନ। ତେଣୁ ଏହି ପବିତ୍ର ଦିବସଟିକୁ ଆନନ୍ଦର ଦିବସ ଭାବେ ପାଳନ ନ କରି ତ୍ୟାଗର ଦିବସ ଭାବେ ପାଳନ କରିବା ଉଚିତ।“
ପୃଥିବୀରେ ଭାରତ ହେଉଛି ସର୍ବବୃହତ୍‌ ଗଣତନ୍ତ୍ର। ଏହି କଥା କହି ବର୍ଷ ବର୍ଷ ଧରି ଆମେ ପିଟି ଚାଲିଛୁ ନିଜ ଢୋଲ। ମାତ୍ର ତା’ର ଶବ୍ଦ ଆଉ ମଧୁର ଶୁଭୁନାହିଁ ଆଗଭଳି। କାରଣ ଆମ ସମ୍ବିଧାନ ପ୍ରଣେତାମାନେ ଯେଉଁ ସ୍ବଚ୍ଛ ଓ ଉତ୍ତରଦାୟୀ ବ୍ୟବସ୍ଥା କଥା କହିଥିଲେ, ତାହାଠାରୁ କ୍ରମଶଃ ଦୂରେଇ ଯାଉଛି ପ୍ରଚଳିତ ବ୍ୟବସ୍ଥା। ଲକ୍ଷ୍ୟ ଓ ବାସ୍ତବତା ମଧ୍ୟରେ ବଢୁଛି ଫରକ। ତେଣୁ ଆମ ଗଣତନ୍ତ୍ର ଯେତିକି ପରିପକ୍ୱ ହେଉଛି ସେତିକି ଦୁର୍ବଳ ହେବାରେ ଲାଗିଛି ତା’ର ଭିତ୍ତିଭୂମି। ଗଣତନ୍ତ୍ର କହିଲେ ସାଧାରଣତଃ ବୁଝାଯାଏ ସମାନତା, ସ୍ବାଧୀନତା, ଆଇନର ଶାସନ, ମାନବିକ ଅଧିକାର ଏବଂ ଶାସନ ଓ ସରକାର ଲୋକଙ୍କ ପାଇଁ, ଲୋକଙ୍କ ଦାରା ଓ ଲୋକଙ୍କର। ମାତ୍ର ପ୍ରଚଳିତ ବ୍ୟବସ୍ଥାରେ ସମାନତା କଥାଟି ସମ୍ପୂର୍ଣ୍ଣ ଅନୁପସ୍ଥିତ। ତେଣୁ ଗଣତନ୍ତ୍ରର ମୂଳଭିତ୍ତିକୁ ଦୋହଲାଇ ଦେଇସାରିଲାଣି ଆର୍ଥିକ ବୈଷମ। ମୁଣ୍ଡ ପିଛା ଆୟ ଓ ଆଭ୍ୟନ୍ତରୀଣ ଉତ୍ପାଦନ ବୃଦ୍ଧି ପାଇବା ସତ୍ତ୍ବେ ବଢ଼ି ଚାଲିଛି ଧନୀ ଦରିଦ୍ର ମଧ୍ୟରେ ବ୍ୟବଧାନ। ତଥ୍ୟ କହେ କେବଳ ୧୦ ପ୍ରତିଶତ ଲୋକଙ୍କ ପାଖରେ ଏଠି ଠୁଳ ହୋଇ ରହିଛି ଦେଶର ୯୦ ପ୍ରତିଶତ ସମ୍ପତ୍ତି । ୩୦ ପ୍ରତିଶତ ଲୋକ ଏଠି ମଧ୍ୟବିତ୍ତ । ଅବଶିଷ୍ଟ ଅଛନ୍ତି ଢୋକେ ପିଇ ଦଣ୍ଡେ ଜିଇବା ଅବସ୍ଥାରେ। ସ୍ବଚ୍ଛଳ ବର୍ଗଙ୍କ ପାଇଁ ଅଲଗା ସ୍କୁଲ, ଅଲଗା ଡାକ୍ତରଖାନା ଓ ଅଲଗା କର୍ମକ୍ଷେତ୍ର। ଏସବୁ ସୁବିଧାରୁ ଏଠି ବଞ୍ଚିତ ହୁଏ ମଳିମୁଣ୍ଡିଆ। ଭାବିଲେ ଲାଗୁଛି ଧନୀ ଓ ଦରିଦ୍ର ମଧ୍ୟରେ ବଢିଚାଲିଥିବା ଏହି ଦୂରତା ହେଉଛି ଦେଶର ଅସଲ ବିଭାଜନ। ଆଉ ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥା ଭେଳିକି ରଚନା କରି ଏ ବିଷମତାକୁ ବଢ଼ାଇ ଚାଲି ଭେଳିକି ରଚୁଛନ୍ତି, ସେମାନେ ହିଁ ହେଉଛନ୍ତି ଅସଲ ବିଚ୍ଛିନ୍ନତାବାଦୀ। କୁହାଯାଏ ଯେତେ ପ୍ରକାର ଶାସନ ବ୍ୟବସ୍ଥା ରହିଛି ତା’ ଭିତରେ ଗଣତନ୍ତ୍ର ହେଉଛି ସର୍ବୋତ୍ତମ। କାରଣ ଗଣତନ୍ତ୍ର ହେଉଛି ଲୋକ ଶାସନ। ଲୋକେ ହେଉଛନ୍ତି ତା’ର ପ୍ରାଣ। ମାତ୍ର ଆମ ଦେଶରେ ପ୍ରଚଳିତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକେ ନୁୁହନ୍ତି, ନେତା ଓ ରାଜନୈତିକ ଦଳଗୁଡ଼ିକ ହେଉଛନ୍ତି ଗଣତନ୍ତ୍ରର ପ୍ରାଣ। ସେମାନେ ଲୋକଙ୍କ କଥା ମନେପକାନ୍ତି ନିର୍ବାଚନ ଆସିଲେ। ସବୁ ଲୋକଙ୍କୁ ନୁହେଁ, କେବଳ ମନେପଡ଼ନ୍ତି ଭୋଟର ବା ମତଦାତା। ଗଣତାନ୍ତ୍ରିକ ବ୍ୟବସ୍ଥାରେ ମୁଖ୍ୟ ଉପାଦାନ ହେଉଛି ନିର୍ବାଚନ। ସ୍ବାଧୀନ ଓ ସ୍ବଚ୍ଛ ନିର୍ବାଚନ ଶାସନ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ନିତାନ୍ତ ପ୍ରୟୋଜନ। ମାତ୍ର ଆମ ଦେଶରେ ଲୋକଙ୍କୁ ଭଣ୍ଡେଇ, ତଣ୍ଡେଇ ଓ ଠକେଇ ଭୋଟ ହାତେଇବା ପାଇଁ ସବୁ ଦଳ ପ୍ରୟୋଗ କରନ୍ତି ନୂଆ ନୂଆ କୌଶଳ। ନିର୍ବାଚନ ବେଳେ ନଈବଢ଼ି ପାଣି ପରି ବହିଯାଏ ମଦ ଓ କଳାଟଙ୍କାର ସୁଅ। ରାଜନୈତିକ ଦଳଗୁଡ଼ିକର ଏହି ଅର୍ଥସର୍ବସ୍ବ ରଣକୌଶଳ ଯୋଗୁ ବ୍ୟକ୍ତି ସ୍ବାଧୀନତା ଓ ଗଣତାନ୍ତ୍ରିକ ଅଧିକାର ଏଠି କିଣାଯାଏ ପଣ୍ୟ ମୂଲ୍ୟରେ। ଫଳରେ ରାଜନୀତିଠାରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି ଯୋଗ୍ୟ, ଶିକ୍ଷିତ ଓ ନିଃସ୍ବାର୍ଥପର ବ୍ୟକ୍ତି । ସାଧାରଣତଃ ଗଣତନ୍ତ୍ରକୁ କୁହାଯାଏ ଗୁଣତନ୍ତ୍ର। ମାତ୍ର ଭାରତରେ ପ୍ରଚଳିତ ଗଣତନ୍ତ୍ରର ସ୍ଥିତିକୁ ଦେଖିଲେ ଲାଗେ ଏହା ଗୁଣତନ୍ତ୍ର ନୁହେଁ, ବରଂ ଖୁଣତନ୍ତ୍ର । ସବୁଥିରେ ଖୁଣ ଭର୍ତ୍ତି ଏବଂ ଏହା ଖୁଣୀମାନଙ୍କର ଏକ ଆଡ୍ଡାସ୍ଥଳୀ। ଏଭଳି ଖୁଣୀମାନଙ୍କର ଅଜସ୍ର ଉଦାହରଣ ଦେଖିବାକୁ ମିଳୁଛି ରାଜ୍ୟ ଓ ଜାତୀୟ ରାଜନୀତିରେ। ପୂର୍ବରୁ ଧାରଣା ଥିଲା ବ୍ୟକ୍ତି ନୁହେଁ, ବସ୍ତୁ କେବଳ ବିକ୍ରିଯୋଗ୍ୟ। ମାତ୍ର ଏଠି ନିଜେ ନିଜ ସାମର୍ଥ୍ୟକୁ ନିକିତିରେ ରଖି ମୂଲ୍ୟ ନିର୍ଦ୍ଧାରଣ ପୂର୍ବକ ବିକ୍ରି ହୁଅନ୍ତି ନେତା।
ସ୍ବାଧୀନତା ଆନ୍ଦୋଳନ ସମୟରେ ଭାରତକୁ ସ୍ବାଧୀନତା ଦେବାକୁ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଘୋର ବିରୋଧ କରି କହିଥିଲେ, ଭାରତୀୟମାନଙ୍କ ହାତକୁ କ୍ଷମତା ଟେକିଦେବା ଅର୍ଥ ଗୁଡ଼ାଏ ଅଯୋଗ୍ୟ ଓ ଦୁର୍ନୀତିଗ୍ରସ୍ତ ଲୋକଙ୍କ ହାତକୁ କ୍ଷମତା ଟେକି ଦେବା ସହ ସମାନ। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କର ଏଭଳି ଟିପ୍ପଣୀ ଆମ ସ୍ବାଭିମାନରେ ଆଞ୍ଚ ଆଣିଥିବାରୁ ପ୍ରତିକ୍ରିୟା ପ୍ରକାଶ ପାଇବା ସ୍ବାଭାବିକ। ମାତ୍ର ଏବେ ଦର୍ପଣ ଦେଖିଲେ ତ ପ୍ରତିବିମ୍ବିତ ହେଉଛି ସେହି ଛବି । କବିବର ରାଧାନାଥଙ୍କ ଭାଷାରେ- ‘ମଞ୍ଚ ପାଖେ କିଆଁ ଏତେ ଲୋକ ଠିଆ, ଲାଗିଅଛି ପରା ଆସନ କଜିଆ।’ ସଂସଦ ହେଉଛି ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର; ଯାହା ରାଷ୍ଟ୍ର ପାଇଁ ପବିତ୍ରତାର ପ୍ରତୀକ। ଜନମତ ବଳରେ ସଂସଦକୁ ନିର୍ବାଚିତ ହେଉଥିବା ପ୍ରତିନିଧିମାନଙ୍କ ବୌଦ୍ଧିକତା ଉପରେ ନିର୍ଭର କରେ ଗଣତନ୍ତ୍ରର ସ୍ବଚ୍ଛତା ଓ କ୍ରିୟାଶୀଳତା। ଅଥଚ ଆମର ଏଠି ବଢ଼ି ଚାଲିଛି କ୍ଷମତା କ୍ଷୁଧାରେ ଆତୁର ହୋଇ ରାଜନୀତିରେ ବାରମ୍ବାର ରଙ୍ଗ ବଦଳାଉଥିବା ଏଣ୍ଡୁଅମାନଙ୍କ ସଂଖ୍ୟା। ଦେଶରେ ଯେ ପର୍ଯ୍ୟନ୍ତ ଏହି ଗୋଖାଦ୍ୟଖିଆ ଓ ଚିଟ୍‌ ଫଣ୍ଡିଆଙ୍କୁ ଆମେ ନେତା ଭାବରେ ନିର୍ବାଚିତ କରୁଥିବା, ସେପର୍ଯ୍ୟନ୍ତ ସାଧାରଣ ଲୋକେ ଚାଖିପାରିବେନି ଗଣତନ୍ତ୍ରର ପ୍ରକୃତ ସ୍ବାଦ। ୨୫ ନଭେମ୍ବର ୧୯୪୯ ସମ୍ବିଧାନ ସଭାରେ ଡ. ଆମ୍ବେଡକର କହିଥିଲେ- ମୋର ହୃଦ୍‌ବୋଧ ହେଉଛି ଯେ ସମ୍ବିଧାନ ଯେତେ ଭଲ ହେଉନା କାହିଁକି ତା’ର ଫଳାଫଳ ନିର୍ଭର କରେ ତାକୁ ପରିଚାଳନା କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ। ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ। ରାଷ୍ଟ୍ରର ଜାଗ୍ରତ ପ୍ରହରୀ। ଗଣମାଧ୍ୟମର ଗଣାଭିମୁଖୀ ଦୃଷ୍ଟିଭଙ୍ଗୀ ଯୋଗୁ ଗରୀୟାନ ହୁଏ ଗଣତନ୍ତ୍ର। ମାତ୍ର ଗଣର ସ୍ବାର୍ଥ ପରିବର୍ତ୍ତେ ବ୍ୟବସାୟ ଯେଉଁଠି ଗଣମାଧ୍ୟମର ମୌଳିକ ସର୍ତ୍ତ, ସେଠାରେ ସେ ପାଲଟି ଯାଏ ରାଜନେତା ଓ ଅଭିଜାତ ବର୍ଗର ହସ୍ତମୁଦି ମାହାଲ। ଫଳରେ ଦିନକୁ ଦିନ ଦୁର୍ବଳ ହେଉଛି ଗଣତନ୍ତ୍ରର ଅଙ୍ଗ।
ଗଣତନ୍ତ୍ରର ସଫଳତା ପାଇଁ ସମାଲୋଚନା ଏକ ଅମୋଘ ଅସ୍ତ୍ର। ମାତ୍ର ବିରୋଧୀଙ୍କ ସ୍ବରକୁ ଚାପିଦେବା ପାଇଁ ସରକାର ପ୍ରୟୋଗ କରୁଛନ୍ତି ନାନା କୌଶଳ। ସଂସଦ ଓ ବିଧାନସଭାରେ ବିତର୍କକୁ ଏଡ଼େଇ ଯିବା ପାଇଁ କେତେବେଳେ ପ୍ରଶ୍ନୋତ୍ତର କାଳ ବାତିଲ କରି ଦେଉଛନ୍ତି ତ କେତେବେଳେ ଅଚାନକ ଗୃହକୁ ଅନିର୍ଦ୍ଦିିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରୁଛନ୍ତିି। ସମ୍ବିଧାନ କେବଳ ଆମକୁ ଅଧିକାର ଦେଇନି, ଏଥିସହ କର୍ତ୍ତବ୍ୟ ପାଳନ ପାଇଁ ବି ରହିଛି ସ୍ପଷ୍ଟ ନିର୍ଦ୍ଦେଶ। ମାତ୍ର ସେ ନିର୍ଦ୍ଦେଶ ମାନୁୁଛି କିଏ? ସମସ୍ତେ ତ ଅଧିକାର ସାବ୍ୟସ୍ତ କରିବାରେ ବ୍ୟସ୍ତ। ସତରେ ଆମେ ଆମ ମୌଳିକ ଅଧିକାର ସାବ୍ୟସ୍ତ କରିବାରେ ଯେତିକି ସକ୍ରିୟ, କର୍ତ୍ତବ୍ୟ ପାଳନ କ୍ଷେତ୍ରରେ ସେତିକି ବିମୁଖ। ଏଭଳି ସ୍ଥିତିରେ ଆମେ ଦୋଷ ଦେବା କାହାକୁ। ଗଣ ଚେତନାର ଅଭାବ ଥିବା ଯାଏ ଗଣତନ୍ତ୍ରର ସଫଳତା ଆଶା କରିବା ବିଡ଼ମ୍ବନା ମାତ୍ର ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡ଼ା, ମୟୂରଭଞ୍ଜ, ମୋ-୯୪୩୮୮୫୫୦୮୮