Categories: ଖେଳ

‘ଆଇଡି କାର୍ଡ ମାଗିଲି ବୋଲି ଚାପୁଡ଼ା ମାରିଲେ’

ନୂଆଦିଲ୍ଲୀ,୧୨।୭: ଟୋଲ୍‌ ପ୍ଲାଜା କର୍ମଚାରୀଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାରେ ବିଶ୍ୱ ରେସଲିଂ ଏଣ୍ଟରଟେନ୍‌ମେଣ୍ଟ(ଡବ୍ଲ୍ୟୁଡବ୍ଲ୍ୟୁଇ)ର ପୂର୍ବତନ ଚାମ୍ପିଅନ ଦଲୀପ ସିଂ ରାଣା ଓରଫ ‘ଦି ଗ୍ରେଟ୍‌ ଖଲି’। ଖଲିଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି। ହେଲେ ଟୋଲ ପ୍ଲାଜାର କର୍ମଚାରୀମାନେ ପାଲଟା ଅଭିଯୋଗ କରିଛନ୍ତି। ଆଇଡି କାର୍ଡ ମାଗିବା ଯୋଗୁ ତାଙ୍କୁ ଖଲି ଚାପୁଡ଼ା ମାରିଥିବା ସେମାନେ କହିଛନ୍ତି। ତେବେ କିଏ ସତ କହୁଛି ଆଉ କିଏ ମିଛ ତାହା ଜଣା ପଡ଼ି ନ ଥିଲେ ହେଁ ଝଗଡ଼ାର ଭିଡିଓ ଏବେ ବେଶ ଭାଇରାଲ ହେଉଛି।

ଖଲି ଜଲନ୍ଦରରୁ କର୍ଣ୍ଣଲକୁ ଯାଉଥିଲେ। ଏହି ସମୟରେ ଫିଲୋର ନିକଟରେ ଥିବା ଟୋଲ ପ୍ଲାଜା ନିକଟରେ ଏହି ଘଟଣା ଘଟିଛି। ସେଠାର ଜଣେ କର୍ମଚାରୀ ଫଟୋ ଉଠାଇବା ଲାଗି ଖଲିଙ୍କ ଗାଡ଼ି ଭିତରେ ପଶୁଥିଲେ। ହେଲେ ତାଙ୍କୁ ମନା କରିବା ପରେ ସେଠାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ସବୁ କର୍ମଚାରୀମାନେ କାର୍‌କୁ ଘେରିଯାଇ ବ୍ଲାକ୍‌ମେଲ୍‌ କରିଥିଲେ।

ଶେଷରେ ରେସଲର୍‌ ନିଜ ଗାଡ଼ିରୁ ବାହାରକୁ ଆସି ପ୍ରତିବନ୍ଧକକୁ ହଟାଇ ନିଜ ଗାଡ଼ି ବାହାର କରିଥିଲେ। ଏହି ସମୟରେ ଜଣେ କର୍ମଚାରୀ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଫଳରେ ସେ ରାଗିଯାଇ ତାଙ୍କ ହାତ ଧରି ଟାଣି ନେଇଥିବା କୁହାଯାଉଛି। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ଜଣାପଡ଼ିଛି।

Share