ଶୁଖିଲା ପଡିଛି ମହାନଦୀ

ବୌଦ୍ଧ,୧୦।୧: ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ପରେ ମହାନଦୀରେ ଜଳସ୍ତର କମିବାରେ ଲାଗିଛି । ବିଶେଷ କରି ଖରାଦିନେ ମହାନଦୀ ଶୁଖିଲା ପଡୁଛି । କିନ୍ତୁ ଚଳିତବର୍ଷ ଜାନୁୟାରୀ ମାସ ଆରମ୍ଭରୁ ନଦୀରେ ପାଣି ଦେଖିବାକୁ ମିଳୁ ନାହିଁ। ଯେଉଁ ସମୟରେ ମହାଦନୀରେ ଲୋକେ ଡଙ୍ଗାରେ ପାରି ହେଉଥିଲେ, ବର୍ତ୍ତମାନ ଚାଲିକି ନଦୀ ପାର ହେଉଛନ୍ତି ।
ମହାନଦୀ ସହ ଓଡ଼ିଶାର ୧୫ଟି ଜିଲା ଓତଃପ୍ରୋତ ଭାବେ ଜଡିତ। ନଦୀକୁଳିଆ ଲୋକେ ଚାଷ, ମତ୍ସ୍ୟ, ପାଣି ପାଇଁ ନିର୍ଭର କରିଥାନ୍ତି। ହେଲେ ମହାନଦୀ ଶୁଖିଲା ପଡିଛି। ଏନେଇ ନଦୀ କୂଳିଆ ଲୋକଙ୍କୁ ପାନୀୟ ଜଳ କଷ୍ଟ ହେବ। ଚାଷ ଉପରେ ବ୍ୟାପକ ପ୍ରଭାବ ପଡିବା ସହ ମତ୍ସ୍ୟଜୀବୀମାନେ ବେଉସା ହରାଇବେ। ସେହିପରି ମହାନଦୀ କୂଳରେ ବୌଦ୍ଧ ସହର ରହିଛି। ମହାନଦୀ ବୌଦ୍ଧ ଜିଲାର ମନମୁଣ୍ଡାଠାରୁ ମାରଡା ପର୍ଯ୍ୟନ୍ତ ୧୫୦ କି.ମି ପ୍ରବାହିତ। ମନମୁଣ୍ଡାରୁ ବୌଦ୍ଧ ସହର ମଧ୍ୟରେ ତେଲ, ବାଗ, ମେହୁରୁଣୀ ଓ ସାଲୁଙ୍କୀ ଆଦି ନଦୀ ମହାନଦୀରେ ମିଶିଛି। ବୌଦ୍ଧ ସହରର ଦ୍ୱୀପ କୁହାଯାଉଥିବା ମର୍ଜାକୁଦବାସୀ ଏହି ସମୟରେ ମହାନଦୀରେ ଡଙ୍ଗାରେ ପାର ହେଉଥିଲେ। ଏବେ ପାଣି ନ ଥିବାରୁ ଗ୍ରାମବାସୀ ଚାଲି ଚାଲି ନଦୀ ପାର ହେଉଛନ୍ତି । ସେହିପରି ସହରବାସୀ ମଦାନଦୀ ପାଣିକୁ ଭରସା କରିଥାନ୍ତି । ଏବେଠୁ ମହାନଦୀ ଶୁଖିଲା ପଡିବା ଦେଖି ଲୋକେ ଚିନ୍ତାରେ ପଡିଛନ୍ତି । ସେହିପରି ଆଗାମୀ ଦିନରେ ବୌଦ୍ଧ ସହରବାସୀଙ୍କୁ ପାନୀୟଜଳ କଷ୍ଟ ଭୋଗିବାକୁ ପଡିବ। ଅନ୍ୟପକ୍ଷେ ଦୀର୍ଘଦିନ ହେବ ସହରବାସୀ ମହାନଦୀରେ ଆନିକଟ କରିବାକୁ ଦାବି କରିଆସୁଥିବା ବେଳେ ଏହି ଯୋଜନା ସରକାରୀ ନାଲିଫିତାରେ ବନ୍ଧା ହୋଇରହିଛି। ପ୍ରଶାସନ ଏବେଠୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନେବା ଜରୁରୀ ହୋଇପଡିଛି । ନଚେତ୍‌ ଆଗକୁ ପରିସ୍ଥିତି ବିଗିଡିବା ସମ୍ଭାବନା ରହିଛି।

Share