ଅନିଲ ବିଶ୍ୱାଳ
ବିଶ୍ୱ ଏବେ ଅନେକ ସମସ୍ୟା ଦେଇ ଗତି କରୁଛି। କରୋନା ମହାମାରୀ, ଆର୍ଥିକ ସଙ୍କଟ, ଗଣତାନ୍ତ୍ରିକ ମୂଲ୍ୟବୋଧରେ ହ୍ରାସ, ଧନୀ-ଗରିବ ତାରତମ୍ୟରେ ବୃଦ୍ଧି, ବିଭିନ୍ନ ଦେଶରେ ଗୃହଯୁଦ୍ଧ, ସାମରିକ ଶାସନ ଆଦି ଏମିତି ଗଣିଲେ ସମସ୍ୟାର ଲମ୍ବା ତାଲିକା। ହେଲେ ଯଦି ପ୍ରଶ୍ନ ଉଠେ କେଉଁ ସମସ୍ୟାଟି ସବୁଠାରୁ ବେଶି ଜଟିଳ ଆଉ ବେଶି ବିପଜ୍ଜନକ ତା’ହେଲେ ହୁଏତ ଏହାର ଉତ୍ତର ହେବ ଅସନ୍ତୁଳିତ ପରିବେଶ ପ୍ରଦୂଷଣ । ବର୍ତ୍ତମାନ ବିଶ୍ୱରେ ଆତଙ୍କ ରଚିଥିବା କରୋନା ମହାମାରୀଠାରୁ ବି କ୍ଷତିକାରକ ହେଉଛି ପରିବେଶ ପ୍ରଦୂଷଣ ।
ଅନିୟନ୍ତ୍ରିତ ଶିଳ୍ପାୟନ, ଯୋଜନା ବିହିନ ସହରୀକରଣ, ପ୍ରାକୃତିକ ସମ୍ପଦକୁ ଅନିୟନ୍ତ୍ରିତ ଉପଯୋଗ କରି ଭୌତିକ ସୁଖକୁ ଜାବୁଡିବାର ଦୁର୍ବାର ମାନସିକତା, କୃଷିରେ ରାସାୟନିକ ସାର ଓ ବିହନର ବହୁଳ ବ୍ୟବହାର, ନଦୀ ଜଳକୁ ବର୍ଜ୍ୟବସ୍ତୁର ନଳାରେ ପରିଣତ କରିବା ଆଦିର କୁପରିଣାମ ଏତେ ବହୁଳ ହୋଇଗଲାଣି ଯେ ମଣିଷ ବର୍ତ୍ତମାନ ସଭ୍ୟତାର ସବୁଠାରୁ ବେଶି ବିପଦପୂର୍ଣ୍ଣ ଘଡ଼ିସନ୍ଧି ସମୟ ଆଡକୁ ମୁହଁାଉଛି । ଏପରି କହି କାହାକୁ ଡରାଇବାର ପ୍ରୟାସ ଆମେ କରୁନାହୁଁ,କିନ୍ତୁ ଯାହା ବାସ୍ତବତା ତାକୁ ଆମକୁ ସ୍ବୀକାର କରିବାକୁ ପଡ଼ିବ ।
ପରିବେଶ ପ୍ରଦୂଷଣ ହିଁ ବର୍ତ୍ତମାନ ସମୟରେ ଅଧିକାଂଶ ବେମାରି, ରୋଗ ଓ ଅକାଳ ମୃତ୍ୟୁର କାରଣ । ବିଶ୍ୱରେ ବର୍ତ୍ତମାନ ବର୍ଷକୁ ୯୦ ଲକ୍ଷରୁ ଅଧିକ ଲୋକ କେବଳ ପରିବେଶ ଜନିତ କାରଣ ପାଇଁ ବିଭିନ୍ନ ରୋଗରେ ପଡ଼ି ମୃତ୍ୟୁବରଣ କରୁଛନ୍ତି । ଏଡ୍ସ, ଯକ୍ଷ୍ମା, ମ୍ୟାଲେରିଆ ତୁଳନାରେ ଏହା ତିନି ଗୁଣ ଅଧିକ ଏବଂ ସମସ୍ତ ଯୁଦ୍ଧ ଓ ହିଂସାରେ ମରୁଥିବା ସଂଖ୍ୟାର ୧୫ ଗୁଣ ଅଧିକ । କୋଭିଡ୍ରେ ସମୁଦାୟ ମୃତ୍ୟୁସଂଖ୍ୟା ହେଉଛି ୫୩ଲକ୍ଷ ।
ପରିବେଶ ପ୍ରଦୂଷଣରେ ପ୍ରତିବର୍ଷ ଏହାଠୁ ଅଧିକ ଲୋକ ମରନ୍ତି ।
କୋଭିଡ୍ ପାଇଁ ମୃତ୍ୟୁବରଣ ପଛରେ ବାୟୁରେ ଅମ୍ଳଜାନର ମାତ୍ରା କମିବା ଏକ ବଡ଼ କାରଣ ବୋଲି ଜଣାପଡ଼ିଲାଣି। ବିଶ୍ୱ ବ୍ୟାଙ୍କର ତଥ୍ୟାନୁସାରେ ବାୟୁ ପ୍ରଦୂଷଣ ପାଇଁ ବିଶ୍ୱର ଯେଉଁ କ୍ଷତି ହେଉଛି ତାହା ହେଉଛି ବିଶ୍ୱ ଜିଡିପିର ୬%।
ପ୍ରତିବର୍ଷ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏକ ସାଙ୍ଘାତିକ ସମସ୍ୟା। ଏହାର ସ୍ଥିତି ଏତେ ବିଗିଡିଯାଇଛି ଯେ ବାଧ୍ୟ ହୋଇ ସରକାର ସମସ୍ତ ଅଫିସ, କଳକାରଖାନାକୁ ବନ୍ଦ କରିଥିଲେ।
ଚାଇନାର ଅନେକ ସହରରେ ସାଥିରେ ଅମ୍ଳଜାନ ଥଳି ନେଇ ଯିବା ପାଇଁ ପଡ଼ିଲାଣି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ଦେଶରେ ମୋଟ ୧୧୨ଟି ସଂକ୍ରମିତ ଅଞ୍ଚଳ ରହିଛି। ସେଥିରୁ ଓଡ଼ିଶାରେ ବିଷାକ୍ତ ପଦାର୍ଥ ତାଲିକାରେ ସର୍ବାଧିକ ୨୩ ସଂକ୍ରମିତ ସ୍ଥାନ ରହିଛି । ଉପଯୁକ୍ତ ସମୟରେ ପରିବେଶ ଅନୁକୂଳ ରହିତ ପଦ୍ଧତି ଅବଲମ୍ବନ, ପୂର୍ବ ଆଇନ ଗୁଡ଼ିକରେ ଯଥେଷ୍ଟ ଦୂରଦୃଷ୍ଟିର ଅଭାବ, ବଜର୍ୟବସ୍ତୁ ପୁନଃ ପ୍ରକ୍ରିୟାକରଣ ପଦ୍ଧତିର ଅଭାବ, ଦ୍ରୁତ ଶିଳ୍ପାୟନ ନାଁରେ ପାଣି, ମାଟି, ପବନକୁ ପ୍ରଦୂଷଣ ଆଦି କାରଣରୁ ଏତେ ସବୁ ଅସୁବିଧା।
ଭୋପାଳ ଗ୍ୟାସ ଦୁର୍ଘଟଣା ପରେ ଭାରତରେ ପ୍ରଥମ ଥର ପାଇଁ ପରିବେଶ ସୁରକ୍ଷା ଆଇନ ୧୯୮୬ରେ ପାସ୍ ହୋଇଥିଲା ।
ନିୟମ ହୋଇଥିଲା ଯେ ଯେକୌଣସି ପ୍ରକଳ୍ପ, ଶିଳ୍ପ, ରାସ୍ତା, ନଦୀବନ୍ଧ କରିବା ପାଇଁ ହେଲେ ପରିବେଶ ଉପରେ ଏହାର କି ପ୍ରଭାବ ପଡିବ ତାହା ଉପରେ ଏକ ପରିବେଶ ଆକଳନ ରିପୋର୍ଟ ପ୍ରସ୍ତୁତ ହେବ । ଏହି ନିୟମଟି ଶୁଣିବାକୁ ବହୁତ ଭଲ କିନ୍ତୁ ବାସ୍ତବରେ ଏହାକୁ କୌଣସି ସରକାର ୧୦୦ ପ୍ରତିଶତ ଭାବରେ ଲାଗୁ କରନ୍ତି ନାହିଁ । ଏବେ ଏବେ ଢେଙ୍କାନାଳ ଜିଲା ପରଜଙ୍ଗ ଥାନାରେ ଝିଲ୍ଲୀ ନାମକ ଏକ ଗ୍ରାମରେ ଯାହା ଘଟିଛି ସେଥିରୁ ଅନୁମାନ କରାଯାଇପାରେ ସରକାରୀ ବ୍ୟବସ୍ଥା କେତେ ଯତ୍ନବାନ ପରିବେଶକୁ ନେଇ । ପଥର ଖାଦାନ ନିଲାମ ନେଇଥିବା ଏକ ଖଣି କମ୍ପାନୀ ବେଆଇନ ଭାବରେ ବିସ୍ଫୋରଣ କରି, ଗଛ କାଟି ପରିବେଶକୁ କ୍ଷତି ପହଞ୍ଚାଇ ଆସୁଥିଲା । ପରିବେଶ ପ୍ରଦୂଷିତ ହେଲା ଓ ଗ୍ରାମବାସୀ ଧୂଳିଧୂଆଁରେ ଅସ୍ତବ୍ୟସ୍ତ ହେବା ପରେ ଢେଙ୍କାନାଳ ଜିଲାପାଳ, ବନପାଳ ସମସ୍ତଙ୍କୁ ଜଣାଇଥିଲେ ।
ହେଲେ ସେମାନେ କିଛି ଶୁଣିଲେ ନାହିଁ । ପରେ ସେମାନେ ଜାତୀୟ ସବୁଜ ପ୍ରାଧିକରଣଙ୍କ ପାଖରେ ଆବେଦନ କରିଲେ।
କର୍ତ୍ତୃପକ୍ଷ ସେହି ମାମଲାରେ ହସ୍ତକ୍ଷେପ କଲେ ଓ ସମ୍ପୃକ୍ତ ଖଣି କମ୍ପାନୀ ଉପରେ ରୋକ ଲଗାଇବା ସହିତ ୫ କୋଟି ଜରିମାନା ମଧ୍ୟ ଲାଗୁ କରିଛନ୍ତି। ପ୍ରଶ୍ନ ଉଠୁଛି ଯଦି ସରକାରୀ ବ୍ୟବସ୍ଥା ଗ୍ରାମବାସୀଙ୍କ ଅଭିଯୋଗ ଶୁଣିଥାନ୍ତା ତା’ହେଲେ ସେଠାକାର ପରିବେଶ ନଷ୍ଟ ହେବାରୁ ରକ୍ଷା ପାଇପାରିଥାନ୍ତା। ପ୍ରାୟ ଅଧିକାଂଶ କ୍ଷେତ୍ରରେ ପରିବେଶର ପ୍ରଦୂଷଣ ସରକାରୀ ପ୍ରାୟୋଜିତ ହୋଇଥାଏ । ଝିଲ୍ଲୀ ଗାଁ ଭଳି ଏମିତି କେତେ ଗାଁର ଲୋକଙ୍କର ସାହସ ରହିଛି ପରିବେଶ ପ୍ରସଙ୍ଗରେ ସ୍ବର ଉଠାଇବାକୁ ? ଓଡ଼ିଶାରେ ବେଶି ଦୁର୍ନୀତି ଜଙ୍ଗଲ ଓ ପରିବେଶ ବିଭାଗରେ। ପ୍ରତି ମାସରେ କିଏ ନା କିଏ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଧରାପଡୁଛନ୍ତି। ଏପରି ସ୍ଥିତିରେ ପରିବେଶ ସୁରକ୍ଷା କେମିତି ଚାଲିଥିବ ଅନୁମେୟ।
ପରିବେଶ ସୁରକ୍ଷା କେବଳ ସରକାରଙ୍କ କାମ ବୋଲି ଭାବି ବସିଲେ ପରିବେଶର ସୁରକ୍ଷା ହୋଇପାରିବ ନାହିଁ। ଏଥିପାଇଁ ପ୍ରତିଟି ଲୋକର ଦାୟିତ୍ୱ ରହିଛି ବୋଲି ଆମେମାନେ ହୃଦୟଙ୍ଗମ କରିବା ଉଚିତ। ପ୍ରଥମେ ଲୋକେ ନିଜେ କେମିତି ନିଜ ଚାରିପାଖରେ ଥିବା ପରିବେଶକୁ ସୁରକ୍ଷା କରିପାରିବେ, ଦ୍ୱିତୀୟତଃ ସମାଜ ଭିତରେ କିପରି ପରିବେଶକୁ ନେଇ ଜାଗରୁତା ଆସିବ ଓ ତୃତୀୟତଃ ସରକାର, ଶିଳ୍ପ ସଂସ୍ଥାଙ୍କର ଉପରେ ପରିବେଶର ସୁରକ୍ଷା ପାଇଁ ଚାପ ପକାଇବାକୁ ପଡ଼ିବ ଏପରି ହେଲେ ହିଁ ପରିବେଶର ସୁରକ୍ଷା ହୋଇପାରିବ।
ପୂରା ବିଶ୍ୱରେ ଯେତିକି କାର୍ବନ ନିର୍ଗମନ ହୋଇଥାଏ ତା’ର ୭୧% କାର୍ବନ ଦୁନିଆର ସବୁଠାରୁ ବଡ଼ ୧୦୦ଟି କମ୍ପାନୀ କରିଥାନ୍ତି । ଗବେଷଣାରେ ମିଳିଥିବା ତଥ୍ୟାନୁସାରେ ଏବେ ବିଶ୍ୱର ତାପମାତ୍ରା ହାରାହାରି ଭାବରେ ୦.୮ ଡିଗ୍ରୀ ବଢ଼ିଛି । ୨୧୦୦ ମସିହାରେ ଏହା ୩.୫ % ବଢ଼ିବ । ଗ୍ଲୋବାଲ ଓାର୍ମିଂ ଏମିତି ଏକ ସମସ୍ୟା ଭାବରେ ଉଭା ହେଲାଣି ଯାହାର ପ୍ରଭାବରେ ପାଣିପାଗରେ ଭୟଙ୍କର ପରିବର୍ତ୍ତନ ଦେଖାଦେଲାଣି । ଅକ୍ଟୋବର ୨୦୧୯ରେ ଆମେରିକାରେ ହୋଇଥିବା ହରିକେନ ଏହାର ଜ୍ୱଳନ୍ତ ଉଦାହରଣ । ଡିସେମ୍ବର ମାସରେ ସାମୁଦ୍ରିକ ଝଡ଼କୁ କେବେ ସାମ୍ନା କରି ନ ଥିବା ଓଡ଼ିଶା ଏବେ ଏବେ ଜଓ୍ବାଦ ବାତ୍ୟା ଦେଖିଲା । ବିଗତ ବର୍ଷଗୁଡ଼ିକର ରେକର୍ଡକୁ ଦେଖିଲେ ଓଡ଼ିଶା ଉପକୂଳରେ ବାତ୍ୟାର ସଂଖ୍ୟା ବଢ଼ିଛି। ଭାରତରେ ପ୍ରାୟତଃ ବନ୍ୟା ଜୁନ୍, ଜୁଲାଇ, ଅଗଷ୍ଟରେ ହେଉଥିଲା।
ହେଲେ ଏବେ ଅକ୍ଟୋବର, ନଭେମ୍ବରରେ ବନ୍ୟା ହେଉଛି। ଋତୁଚକ୍ରରେ ଆଉ ବସନ୍ତଋତୁ ନାହିଁ। ଫେବୃୟାରୀ ଆସୁ ଆସୁ ଗରମ ପଡ଼ିଲାଣି।
ଏସବୁ ପଛରେ ପରିବେଶର ସନ୍ତୁଳନ ବିଗିଡିବା ହିଁ କାରଣ। ୨୦୫୦ରେ ବିଶ୍ୱରେ ୨୦ କୋଟି ଲୋକ ଜଳବାୟୁ ପରିବର୍ତ୍ତନ ପାଇଁ ନିଜ ବାସସ୍ଥାନ ବଦଳାଇବେ ବୋଲି ଅନୁମାନ କରାଯାଇଛି।
ସମୁଦ୍ର ପତ୍ତନରେ ଅନେକ ବୃଦ୍ଧି ଘଟିବ । ମାଳଦ୍ୱୀପ ଭଳି ଦେଶ ୨୧୦୦ ମସିହା ବେଳକୁ ନ ଥିବ ବୋଲି ଆଶଙ୍କା କରାଯାଉଛି। ସେଥିପାଇଁ ମାଳଦ୍ୱୀପ ସରକାର ଏବେ ଅନ୍ୟ ଦେଶରେ ଜମି କିଣିବା ପାଇଁ ଚିନ୍ତା କରୁଛନ୍ତି । ଭାରତରେ ବି ସମୁଦ୍ରର ପାଣି ବଢ଼ିବା କାରଣରୁ ମୁମ୍ବାଇ ଭଳି ସହର ଲାଲ୍ ବଳୟରେ ରହିଛି ।
ଜଙ୍ଗଲ ନିଆଁ ବହୁତ ବଢ଼ିଛି । କେବଳ ଚଳିତ ବର୍ଷ ଆମେରିକାରେ ୧୩ଟି ଜଙ୍ଗଲରେ ଓ କାନାଡାରେ ୫୦ଟି ଜଙ୍ଗଲରେ ନିଆଁ ଲାଗି ଦିନ ଦିନ ଧରି ଜଳିଥିଲା ।
ଜାନୁୟାରୀ ୨୦୧୯ରେ ଆମାଜନ ଜଙ୍ଗଲରେ ନିଆଁ, ଜୁଲାଇ ୨୦୧୯ରେ ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ, ଅଗଷ୍ଟ ୨୦୨୧ରେ ଗ୍ରୀସ, ଲେବାନନ, ଜର୍ମାନୀ, ଇଟାଲୀରେ ଜଙ୍ଗଲ ନିଆଁକୁ ନେଇ ପୂରା ବିଶ୍ୱ ଚିନ୍ତିତ। ସେହିପରି ଓଡ଼ିଶାରେ ମୟୂରଭଞ୍ଜ ଜଙ୍ଗଲ ନିଆଁକୁ ବି ଆୟତ୍ତ କରିହେଲା ନାହିଁ, ବର୍ଷା ହେଲା ବୋଲି ନିଆଁ ଲିଭିପାରିଲା । ଜଙ୍ଗଲ ନିଆଁ ଓ ଗରମ ବୋହିବା କାରଣରୁ ଚାଷ କାମ ପ୍ରଭାବିତ ହେବ। ପାଣିର ଉଷ୍ଣ ମଧ୍ୟ ଜଙ୍ଗଲରେ କମିଯାଉଛି।
ଶିଳ୍ପ ବିପ୍ଳବ ଯାହା ଇଂଲଣ୍ଡର ମ୍ୟାଞ୍ଚେଷ୍ଟର ୟୁନାଇଟେଡରୁ ୧୭୬୦ରେ ଆରମ୍ଭ ହୋଇଥିଲା ଓ ଧୀରେ ଧୀରେ ସମସ୍ତ ପାଶ୍ଚାତ୍ୟ ଦେଶ ଏହାର ଲାଭ ନେଲେ, ସେହିମାନେ ହିଁ ପରିବେଶ ବିଗାଡ଼ିବାର ପ୍ରଥମ ଧାଡ଼ିର ଖଳନାୟକ। ପରେ ଯେବେ ଏସିଆ, ଆଫ୍ରିକାରେ ଦେଶଗୁଡ଼ିକ ସ୍ବାଧୀନ ହେଲେ ଓ ନିଜ ନିଜର ଶିଳ୍ପ ପ୍ରତିଷ୍ଠା ପାଇଁ ଚାହିଁଲେ ସେବେ ସେହି ପାଶ୍ଚାତ୍ୟ ଦେଶଗୁଡ଼ିକ ପରିବେଶ ଚିନ୍ତାର ଦାୟିତ୍ୱ ବିକାଶଶୀଳ ଦେଶଗୁଡ଼ିକ ଉପରେ ଥୋପିଲେ।
ଯାହାଫଳରେ ପରିବେଶକୁ ନେଇ ବିଶ୍ୱ ଏକ ହୋଇପାରିଲା ନାହିଁ । ସମସ୍ତେ ପ୍ରତିଯୋଗିତା ମୂଳକ ଢଙ୍ଗରେ ପ୍ରଦୂଷଣ କରିଚାଲିଲେ । ଏବେ ପରିବେଶର ହିତ ଦୃଷ୍ଟିରୁ ବିକଶିତ ଦେଶଗୁଡ଼ିକ ସେମାନେ ବିକଶିତ କରିଥିବା ଗ୍ରୀନ୍ ଟେକ୍ନୋଲୋଜି ବିକାଶଶୀଳ ଦେଶଗୁଡ଼ିକୁ ମାଗଣାରେ ଦେବା କଥା। ହେଲେ ସେମାନଙ୍କର ଲାଭଖୋର ମନୋଭାବ ପାଇଁ ତାହା କରୁନାହାନ୍ତି। ପରିବେଶ ପାଇଁ ଏହି ବିଗତ ୨୦୦ ବର୍ଷ ହେଉଛି ସବୁଠାରୁ ବିଡମ୍ବନାର ସମୟ। ଏହି ସମୟରେ ହିଁ ମଣିଷ ବିକାଶକୁ ଛୁଇଁଲା ବୋଲି ଚିତ୍କାର କରି କହିଲା, ହେଲେ ଏପଟେ ପୂରା ଆଗାମୀ ପିଢ଼ିକୁ ପାଣିପାଗ ପରିବର୍ତ୍ତନ ଓ ପ୍ରଦୂଷଣର ମରଣ ମୁହଁକୁ ଠେଲିଦେଲା। କରୋନା ମହାମାରୀ ପାଇଁ ପୂରା ବିଶ୍ୱରେ ଲକ୍ଡାଉନ ହେଉଥିଲା। ଏବେ ପରିବେଶ ପାଇଁ ଆଗକୁ ଲକ୍ଡାଉନ କରିବା ପାଇଁ ପଡ଼ିପାରେ।
ଭାରତ ପାଇଁ ବଡ଼ ବିପଦ ହେଉଛି, ହିମାଳୟରେ ଥିବା ଚତୁରଙ୍ଗ ଗ୍ଲାସିୟର ଘୁଞ୍ଚିବା।
ଗଙ୍ଗୋତ୍ରୀ ଗ୍ଲେସିୟର ଓ ଚତୁରଙ୍ଗ ଗ୍ଲେସିୟର ଯୋଡି ହୋଇଥିଲେ। ବର୍ତ୍ତମାନ ଏହା ଅଲଗା ହୋଇଗଲାଣି। ଗଙ୍ଗା ନଦୀରେ ବନ୍ୟା ଆସିବା, ପାହାଡ଼ ଧସିବା ଭଳି ଘଟଣା ବଢ଼ିପାରେ। ଏ-୭୬ ହେଉଛି ଆଣ୍ଟାର୍କାଟିକାର ସବୁଠାରୁ ବଡ଼ ହିମଖଣ୍ଡ, ଯାହା ସେଠାରୁ ଅଲଗା ହୋଇଯାଇ ଦକ୍ଷିଣ ମହାସାଗରରେ ମିଶିଗଲାଣି । ଗ୍ଲେସିୟର ତରଳିଲେ ପୃଥିବୀର ତାପମାତ୍ରା ବଢ଼ିଯିବ । ପିଇବା ପାଣିର ସମସ୍ୟା ବଢ଼ିଯିବ । ମନୁଷ୍ୟକୃତ ପ୍ରଦୂଷଣ ପାଇଁ ବହୁ ପୂର୍ବରୁ ପରିବେଶ, ପ୍ରକୃତି, ପଶୁପକ୍ଷୀ ସମସ୍ତେ ପ୍ରଭାବିତ ହେଉଥିଲେ। ଏବେ ମଣିଷ ପ୍ରଭାବିତ ହେବାକୁ ଯାଉଛି।
ପ୍ରକୃତି ସହିତ ସୁସମ୍ପର୍କରେ ବଞ୍ଚିବାର ମାନସିକତାକୁ ଆମ ମଣିଷଙ୍କୁ ଗ୍ରହଣ କରିବାକୁ ପଡ଼ିବ। ବୈଜ୍ଞାନିକ ଅନୁସନ୍ଧାନର ଫଳାଫଳକୁ ମାନବଜାତିର କଲ୍ୟାଣ ପାଇଁ ପରିବେଶର ଗୁଣବତ୍ତା ସୁରକ୍ଷାରେ ଲଗାଇବାକୁ ପଡ଼ିବ।
ବିଜ୍ଞାନର ଅପବ୍ୟବହାର ପ୍ରକୃତିରେ ଅନେକ ସମସ୍ୟା ସୃଷ୍ଟି କରିବାର କାରଣ ପାଲଟିଛି। ବୈଜ୍ଞାନିକମାନେ ସୃଜନଶୀଳ ଭାବରେ ଚିନ୍ତା କରିବାର ଆବଶ୍ୟକତା ରହିଛି ।
ହରିରାଜପୁର, ପୁରୀ
ମୋ-୮୨୪୯୮୬୮୯୬୧