ଅଟୋ ଚାଳକଙ୍କ ମହାନତା, ଫେରାଇଲେ ୮୦ ହଜାର

ସମ୍ବଲପୁର,୧୦ା୮(ଶୁଭାଶିଷ ପାଢୀ): ସମାଜରେ ଏବେ ମଧ୍ୟ ମାନବିକତା ବଞ୍ଚିରହିଛି। ସମ୍ବଲପୁର ସହରର ଜଣେ ଅଟୋ ଡ୍ରାଇଭରଙ୍କ ସଚ୍ଚୋଟତା ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିଛି। ସମ୍ବଲପୁର ମହାନଗର ନିଗମ ଅଧୀନ ମୁଣ୍ଡୋଘାଟ ଗ୍ରାମର ଅଟୋ ଚାଳକ ଚୁଡ଼ାମଣି ଲୁହା। ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକରୁ ୪ ଜଣ ଯାତ୍ରୀ ଚୂଡାମଣୀଙ୍କ ଅଟୋକୁ ଭଡ଼ାରେ ନେଇ ଯୁଯୋମୁରା ବ୍ଳକର ପର୍ଯ୍ୟଟନସ୍ଥଳି ଦେଓଝରଣ ବୁଲିବାକୁ ଯାଇଥିଲେ। ସେମାନେ ବୁଲିସାରିବା ପରେ ଚୂଡାମଣୀ ସେମାନଙ୍କୁ ଆଣି ଲକ୍ଷ୍ମୀ ଟକିଜ ଛକରେ ଛାଡ଼ିଥିଲେ। ଉଭୟ ଯାତ୍ରୀ ଓ ଅଟୋ ଡ୍ରାଇଭର ନିଜ ନିଜ ଘରକୁ ଫେରିଯାଇଥିଲେ। ପରବର୍ତ୍ତୀ ସମୟରେ ଅଟୋରେ ଯାଇଥିବା ଯାତ୍ରୀମାନେ ଜାଣିବାକୁ ପାଇଥିଲେ ଯେ ସେମାନେ ୮୦,୫୦୦ ଟଙ୍କା, ପାନ୍‌କାଡ, ପରିଚୟପତ୍ର, ଏଟିଏମ୍‌ କାର୍ଡ ଥିବା ଏକ ବ୍ୟାଗ ଅଟୋରେ ଛାଡି ଦେଇଛନ୍ତି। ଏହା ଜାଣିବାପରେ ସେମାନେ ବିଭିନ୍ନ ସ୍ଥାନରେ ପଚାରି ଅଟୋ ଡ୍ରାଇଭରଙ୍କ ଫୋନ ନମ୍ବର ପାଇଥିଲେ। ଯୋଗାଯୋଗ କରିବାରୁ ଚୂଡାମଣୀ କେଉଁଠି ସେମାନଙ୍କୁ ଟଙ୍କା ଓ ସାମଗ୍ରୀ ଫେରାଇବେ ପଚାରିଥିଲେ। ପରେ ଟାଉନ ଥାନାରେ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଅଟୋ ଡ୍ରାଇଭର ପାଖରେ ରଖିଥିବା ଟଙ୍କା ଓ ସାମଗ୍ରୀ ଥିବା ବ୍ୟାଗକୁ ଯାତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି ଘଟଣା ବୁଧବାର ସହରରେ ଚର୍ଚ୍ଚାର ବିଷୟ ହୋଇଛି ା

Share