ବର ବେଦିରେ ଧାରଣା ଦେଲେ ପ୍ରେମିକା: ବିବାହ ନ କଲେ ଜୀବନ ହାରିବି

ବଳଙ୍ଗା(କେଦାରେଶ୍ୱର ନନ୍ଦ)/ପିପିଲି, ୧୫।୭(ଦୁର୍ଗମାଧବ ମିଶ୍ର): ବେଦି ବନ୍ଧା ସରିଛି, ରଙ୍ଗବେରଙ୍ଗ କପଡ଼ା ସଜେଇ ହୋଇଛି। ଭୋଜି ପାଇଁ ପୂରା ପ୍ରସ୍ତୁତ। ସେପେଟ ମଙ୍ଗଳକୃତ୍ୟ ଓ ବିବାହ ଉତ୍ସବ ହୋଇଥାନ୍ତା। ହେଲେ ଏହି ସମୟ ମଧ୍ୟରେ ହଠାତ୍‌ ଜଣେ ଯୁବତୀ ଆସି ପୁଅ ଘରେ ସଜା ହୋଇଥିବା ବେଦିରେ ଧାରଣାରେ ବସି ନ୍ୟାୟ ଭିକ୍ଷା କରିଥିଲେ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଘଟଣାକୁ କେହି ହଠାତ୍‌ ବୁଝିପାରି ନ ଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳରେ। ତେବେ ଯୁବତୀଙ୍କ ଧାରଣାରେ ବସିବାର ଦେଖି ବିବାହ ହେବାକୁ ଥିବା ପ୍ରେମିକ ଜଣକ ଫେରାର ହୋଇଯାଇଛନ୍ତି।
ପ୍ରକାଶ ଯେ, ଗତ ୮ ବର୍ଷ ତଳେ ବଳଙ୍ଗା ଅଞ୍ଚଳର ଯୁବକ ପୁରୀ ଟାଉନଥାନା ଅଞ୍ଚଳର ଜଣେ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସୃଷ୍ଟି ହେବା ସହ ପରେ ଯୁବତୀ ଗର୍ଭବତୀ ହୋଇଥିଲେ। କିନ୍ତୁ ଯୁବକ ଗର୍ଭ ନଷ୍ଟ କରିଦେବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିଥିଲା। ଏ ସମ୍ପର୍କରେ ଯୁବତୀଙ୍କ ପକ୍ଷରୁ ପୁରୀ ଟାଉନ ଥାନାରେ ଅଭିଯୋଗ ହେବାପରେ ଯୁବକଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଗିରଫ କରି କୋର୍ଟ ଚାଲାଣ ହୋଇଥିଲା। ୩ ମାସ ଜେଲରେ ରହିବା ସମୟରେ ଉଭୟ ପରିବାର ମଧ୍ୟରେ ବୁଝାମଣା କରାଯାଇ ଯୁବକ ଜେଲରୁ ଆସିବା ପରେ ଯୁବତୀଙ୍କୁ ବିବାହ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ ଯୁବତୀଙ୍କ ପକ୍ଷରୁ ଅତିରିକ୍ତ ଜିଲା ଦୈରାଜଜଙ୍କ କୋର୍ଟରେ ସମାଧାନ ପୂର୍ବକ ଯୁବକଙ୍କ ଜାମିନ ପାଇଁ ଆବେଦନ କରିଥିଲେ। ସେ ଜାମିନରେ ଆସିବା ପରେ ଯୁବତୀଙ୍କୁ ବିବାହ ପାଇଁ କହି ସମୟ ଗଡ଼ାଇ ଚାଲିଥିଲେ। ଇତି ମଧ୍ୟରେ ଯୁବକଙ୍କ ଅନ୍ୟ ଜାଗାରେ ବିବାହ ହେଉଥିବା ଖବରପାଇ ଗୁରୁବାର ସନ୍ଧ୍ୟାରେ ତାଙ୍କ ଘର ସମ୍ମୁଖରେ ଯୁବତୀ ପହଞ୍ଚତ୍ ବିବାହ ପାଇଁ ଜିଦ କରିଥିଲେ। ଯୁବକଙ୍କ ପରିବାର ଲୋକେ ମନା କରିବାରୁ ଯୁବତୀ ଜଣକ ପୋଲିସକୁ ଜଣାଇବା ସହ ଯୁବକଙ୍କ ଘର ସମ୍ମୁଖ ବିବାହ ବେଦିରେ ଧାରଣାରେ ବସିରହି ବିବାହ ନ କଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଖବରପାଇ ଓଡ଼ିଶା ମହିଳା ବିକାଶ ମଞ୍ଚ ତରଫରୁ ସ୍ବର୍ଣ୍ଣଲତା ମାଝି, ବୀଣା ଷଡ଼ଙ୍ଗୀ, ଗୋଲାପ ଜେନା, ସବିତା ବେହେରା ୪ଜଣିଆ ଟିମ୍‌ ଆସି ଯୁବତୀ ଓ ଯୁବକଙ୍କ ପରିବାର ସହ ଆଲୋଚନା କରିଛନ୍ତି। ଅନ୍ୟପଟେ ଯୁବକଙ୍କ ବାପାଙ୍କ କହିବା ଅନୁଯାୟୀ ଯଦି ଯୁବତୀ ତାଙ୍କ ପୁଅକୁ ବିବାହ କରିବା କଥା ତେବେ ପୂର୍ବରୁ କଣ ପାଇଁ ଆସିଲେ ନାହିଁ କିମ୍ବା ତାଙ୍କ ସହିତ ଯୋଗାଯୋଗ କାହିଁକି କରିନାହାନ୍ତି। ଏତେଦିନ ପରେ ଆସି ବିବାହ କରିବାକୁ ଜିଦ୍‌ କରୁଛନ୍ତି। ଏ ନେଇ ବଳଙ୍ଗା ଥାନାଧିକାରୀ ରଶ୍ମିରଞ୍ଜନ ପୃଷ୍ଟି କୁହନ୍ତି, ଏ ସମ୍ପର୍କରେ କିଛି ମାସ ପୂର୍ବେ ପୁରୀ ଟାଉନ ଥାନାରେ ମାମଲା ରୁଜୁ ହୋଇ ଯାହା କାର୍ଯ୍ୟାନୁଷ୍ଠାନ ହେବା କଥା ହୋଇଛି। ତେଣୁ ଏବର ଘଟଣା ବିଷୟରେ ଉକ୍ତ ଥାନାକୁ ଜଣାଇ ଦେଇଛୁ।