ଚଣ୍ଡିଖୋଲ/ଦଶରଥପୁର,୧୨।୨(ଡି.ଏନ.ଏ.): ଭଲପାଇ ୨ ଦିନ ତଳେ ବିବାହ କରିଥିବା ସ୍ତ୍ରୀଙ୍କୁ ଚତୁର୍ଥୀ ଏବଂ ଭୋଜିଭାତଲାଗି ଭୁବନେଶ୍ୱରରୁ ଘରକୁ ଆଣିବାକୁ ଯାଇଥିବା ସ୍ବାମୀଙ୍କ ଟ୍ରକ୍ ଧକ୍କାରେ ଗୁରୁବାର ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଏପରି ଘଟଣାଘଟିଛି ଦଶରଥପୁର ବ୍ଲକ ଅଧୀନ ଥାଲକୁଡି ଗ୍ରାମରେ।
ସୂଚନା ଅନୁଯାୟୀ, ଗ୍ରାମର ଅଜୟ ବିଶ୍ୱାଳଙ୍କ ପୁଅ ଦୀପକ(୨୫) ଭୁବନେଶ୍ୱରସ୍ଥିତ ଏକ ଘରୋଇ ସଂସ୍ଥାରେ ତାଙ୍କ ସହ କାମ କରୁଥିବା ପୁରୀ ଜିଲାର ଜଣେ ଯୁବତୀଙ୍କୁ ଭଲପାଇ ବିବାହ କରିଥିଲେ। ଗ୍ରାମରେ ଚତୁର୍ଥୀ ସହ ଭୋଜି ଲାଗି ଦୀପକ ଗୁରବାର ପୂର୍ବାହ୍ନରେ ବାଇକ୍ ଧରି ତାଙ୍କ ଜୀବନ ସାଥୀଙ୍କୁ ଆଣିବାକୁ ଭୁବେନଶ୍ୱର ଯାଇଥିଲେ। ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଥାନା ଅଧୀନ କଢେଇପୋଲଠାରେ ଏକ ଧାନ ବୋଝୋଇ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ବଡ଼ଚଣା ପୋଲିସ ଦୀପକଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ଚଣା ପୋଲିସ୍ ଏ ସଂକ୍ରାନ୍ତରେ ମଙ୍ଗଳପୁର ଥାନାକୁ ଜଣାଇବା ପରେ ଦୀପକଙ୍କ ପରିବାରକୁ ସୂଚନା ଦିଆଯାଇଥିଲା। ମୃତଦେହକ ବ୍ୟବଚ୍ଛେଦ କରାଇବା ପରେ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଦୀପକଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।