
ଭୁବନେଶ୍ୱର,୨୪।୩(ରବିନାରାୟଣ ଜେନା): ରାଜ୍ୟରେ ଭୂତଳ ଜଳପତ୍ତନ ଦିନକୁ ଦିନ ଖସିବାରେ ଲାଗିଛି। ଏମିତିକି ଗତ ୫ବର୍ଷ ମଧ୍ୟରେ ୦.୫୩ ମିଟର ତଥା ଦେଢ଼ଫୁଟରୁ ଊର୍ଦ୍ଧ୍ୱ ଖସିଲାଣି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହକୁ କହିଛନ୍ତି।
ରାଜ୍ୟରେ ଭୂତଳ ଜଳର ବ୍ୟବହାର ନେଇ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ରାଜ୍ୟରେ ଭୂତଳ ଜଳ ଆକଳନ ୨୦୨୪ ଅନୁସାରେ ବାର୍ଷିକ ଭୂତଳ ଜଳ ଉତ୍ତୋଳନର ପରିମାଣ ବିଲିଅନ କ୍ୟୁବିକ୍ ମିଟର(ବିସିଏମ୍) ଅଟେ। ଏଥିରୁ ଉଠାଜଳସେଚନ ପାଇଁ ସର୍ବାଧିକ ପରିମାଣ ବ୍ୟବହାର ହେଉଛି। ଉଠାଜଳସେଚନ ଲାଗି ୬.୨୮ ବିସିଏମ୍ ରହିଥିବାବେଳେ ୦.୧୯ ବିସିଏମ ଶିଳ୍ପ ପାଇଁ ଏବଂ ୧.୨୬ ବିସିଏମ୍ ପାନୀୟଜଳ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ରହିଛି। ହେଲେ ରାଜ୍ୟରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ବି ବୁନ୍ଦା ଭୂତଳ ଜଳ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହାର ହେଉନାହିଁ।
ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ୨୦୨୦ରେ ଜଳସେଚନ ପାଇଁ ୫.୫ ବିସିଏମ୍ ଜଳ ଉତ୍ତୋଳନ ହୋଇଥିବାବେଳେ ଶିଳ୍ପକ୍ଷେତ୍ର ପାଇଁ ୦.୧୫ ବିସିଏମ୍ ଏବଂ ପାନୀୟଜଳ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୧.୨୧ ବିସିଏମ୍ ଉତ୍ତୋଳନ ହୋଇଥିଲା। ସେହିପରି ୨୦୨୨ରେ ଉଠାଜଳସେଚନ କ୍ଷେତ୍ର ଲାଗି ୫.୮୩ ବିସିଏମ୍, ଶିଳ୍ପ ପାଇଁ ୦.୧୬ ବିସିଏମ୍, ପାନୀୟଜଳ ପାଇଁ ୧.୨୪ ବିସିଏମ୍ ଉତ୍ତୋଳନ ହୋଇଥିଲା। ସେହିପରି ୨୦୨୩ରେ ଏହା ବଢ଼ି ଉଠାଜଳସେଚନ ଲାଗି ୫.୯୬ ବିସିଏମ୍, ଶିଳ୍ପ ପାଇଁ ୦.୧୮ ବିସିଏମ୍, ପାନୀୟଜଳ ଓ ଅନ୍ୟାନ୍ୟ କ୍ଷେତ୍ର ଲାଗି ୧.୨୫ ବିସିଏମ୍ ଜଳ ଉତ୍ତୋଳନ ହୋଇଥିବାବେଳେ ୨୦୨୪ରେ ୬.୨୮ ବିସିଏମ୍ ଉଠାଜଳସେଚନ ପାଇଁ ୦.୧୯ ଶିଳ୍ପକ୍ଷେତ୍ର ପାଇଁ ଏବଂ ୧.୨୬ ବିସିଏମ୍ ପାନୀୟଜଳ ଓ ଅନ୍ୟାନ୍ୟ କ୍ଷେତ୍ର ପାଇଁ ବ୍ୟବହାର ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ସରକାର ରାଜ୍ୟରେ ପ୍ରତ୍ୟେକ ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରିବାପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସମାନ ପରିମାଣର ଜଳସେଚନ ହୋଇପାରି ନାହିଁ। ପୂର୍ବ ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ପାଇଁ ୭ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ କରାଯିବାକୁ ପୂର୍ବ ବଜେଟରେ ଲକ୍ଷ୍ୟ ରଖାଯାଇଥିଲା। ହେଲେ ପୂର୍ବ ସରକାର ସମୟରେ ଇନଷ୍ଟ୍ରିମ ଷ୍ଟୋରେଜର ସଫଳ ରୂପାୟନ ହୋଇପାରିଲା ନାହିଁ। ବର୍ଷା ଓ ବନ୍ୟାଜଳ ସଂରକ୍ଷଣ କରିବା ସହିତ ଏହାର ସୁପରିଚାଳନା କରିବା ଏବଂ ମରୁଡ଼ି ସମୟରେ ଜଳ ସଙ୍କଟକୁ ଏଡ଼ାଇବା ଇନ୍ଷ୍ଟ୍ରିମ୍ ପ୍ରୋଜେକ୍ଟର ଲକ୍ଷ୍ୟ ରହିଥିଲା। ମାତ୍ର ଏହାର କାର୍ଯ୍ୟାନ୍ବୟନ ଅଭାବରୁ ବୃହତ୍ ଉଠାଜଳସେଚନ ସହିତ କ୍ଷୁଦ୍ର ଓ ମଧ୍ୟମ ଉଠାଜଳସେଚନ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ଦ୍ବାରା ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଉଛି।
ତଥ୍ୟ ଅନୁଯାୟୀ, ଗତବର୍ଷ ୮ଟି ବ୍ଲକ ସେମି କ୍ରିଟିକାଲ ବର୍ଗରେ ଆସୁଥିବାବେଳେ ଚଳିତବର୍ଷ ଗରଦପୁର ବ୍ଲକଟି ଏଥିରୁ ମୁକୁଳିଛି। ମାତ୍ର ଏହି ସମୟରେ ଶିଳ୍ପାୟନ ଓ ଜଳସେଚନ ଚାହିଦା ଯୋଗୁଁ ଖୋର୍ଦ୍ଧା ଓ ଝାରସୁଗୁଡା ଜିଲା ସେମି କ୍ରିଟିକାଲକୁ ଚାଲିଯାଇଛି। କେବଳ ଯେ ଖୋର୍ଦ୍ଧା ଓ ଝାରସୁଗୁଡ଼ା ବ୍ଲକ ଏହି ଜଟିଳ ପରିସ୍ଥିତିକୁ ଯାଇଛି ତାହା ନୁହେଁ, ଭୁବନେଶ୍ବର ବ୍ଲକ ମଧ୍ୟ ଏହି ବର୍ଗରେ ପୂର୍ବରୁ ରହି ଆସିଛି।