Categories: ବାଣିଜ୍ୟ

ଜିଏସ୍‌ଟି ରିଟର୍ନ ଫାଇଲ୍‌ ଅବଧି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧।୩:  କେନ୍ଦ୍ର ସରକାର ରବିବାର ଦେଶର ଟିକସଦାତାଙ୍କ ସୁବିଧାକୁ ନଜରରେ ରଖି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାର୍ଷିକ ରିଟର୍ନ ଫାଇଲ୍‌ ଅବଧିକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଜିଏସ୍‌ଟି ରିଟର୍ନ ଫାଇଲିଂର ଶେଷ ତାରିଖକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରାଳୟ ଅନ୍ତର୍ଗତ କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମାଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ରବିବାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ପୂର୍ବରୁ ୨୦୧୯-୨୦ର ବାର୍ଷିକ ଜିଏସ୍‌ଟି (ଜିଏସ୍‌ଟିଆର-୯ ଓ ଜିଏସ୍‌ଟିଆର ୯ସି) ଫାଇଲ କରିବାର ଶେଷ ତାରିଖ ୨୮ ଫେବୃୟାରୀ ରହିଥିଲା। ଏହାକୁ ମିଶାଇ ୨ ଥର ତାରିଖ ବୃଦ୍ଧି କରାଯାଇଛି। ବାର୍ଷିକ ଜିଏସ୍‌ଟି ରିଟର୍ନ ଫାଇଲିଂ ଶେଷ ତାରିଖ ଗତ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଥିଲା। ପୂର୍ବରୁ ସିବିଆଇସି ପକ୍ଷରୁ ଶେଷ ତାରିଖକୁ ଫେବୃୟାରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଦେଶର ୪ଟି ରାଜ୍ୟ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଥିବାରୁ ଏବେ ନିର୍ବାଚନ ଆଚରଣବିଧି ଲାଗୁ ରହିଛି। ଏ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରି ମନ୍ତ୍ରଣାଳୟ ଶେଷ ତାରିଖ ବଢାଇବା ପୂର୍ବରୁ ଭାରତର ନିର୍ବାଚନ ଆୟୋଗଙ୍କ ଅନୁମତି ମଧ୍ୟ ନେଇଥିଲା।

Share