ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଡେଲ୍ଟା ଓ ଓମିକ୍ରନ ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ପାଇଁ ଜାରି କରିଥିବା ଗାଇଡ୍ଲାଇନ୍ରେ ସାମାନ୍ୟ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ୭୨ ଘଣ୍ଟା ପୂର୍ବର ଆର୍ଟିପିସିଆର ଟେଷ୍ଟ ଯାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କର ଟେଷ୍ଟ ହେବ। ୭୨ ଘଣ୍ଟାର ନେଗେଟିଭ୍ ରିପୋର୍ଟ ଥିବା ଯାତ୍ରୀଙ୍କୁ ଛାଡ଼ି ଅନ୍ୟମାନଙ୍କ ଏୟାରପୋର୍ଟରେ ଟେଷ୍ଟ କରାଯିବ। ଯଦି କୌଣସି ଯାତ୍ରୀଙ୍କଠାରେ କରୋନା ଲକ୍ଷଣ ଦେଖାଦିଏ, ତାହାହେଲେ ସେମାନଙ୍କୁ ଆଇସୋଲେଶନରେ ରଖାଯିବା ସହିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।
ଗୁରୁବାର ଜାରି ହୋଇଥିବା ଗାଇଡ୍ଲାଇନ୍ରେ ଦର୍ଶାଯାଇଥିଲା, ବିମାନରେ ଆସୁଥିବା ସବୁ ଯାତ୍ରୀଙ୍କର କରୋନା ଟେଷ୍ଟ ହେବ। ଏଥିସହ ଯାତ୍ରୀମାନେ ଡବଲ ଡୋଜ୍ ଟିକା ନେଇଥିଲେ କିମ୍ବା ନେଗେଟିଭ୍ ରିପୋର୍ଟ ଥିଲେ ମଧ୍ୟ ସେମାନଙ୍କର ଆର୍ଟିପିସିଆର ଟେଷ୍ଟ କରାଯିବ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଯାତ୍ରୀମାନେ ହୋମ ଆଇସୋଲେଶନରେ ରହିବେ। ଯଦି ରିପୋର୍ଟ ପଜିଟିଭ୍ ଆସେ, ତା’ହେଲେ ପ୍ରୋଟୋକଲ ଅନୁଯାୟୀ, ପରବର୍ତ୍ତୀ ବ୍ୟବସ୍ଥା କରାଯିବ ବୋଲି ବିଏମ୍ସି କହିଛି।