Categories: ଫୁରସତ

ପ୍ରତିଶ୍ରୁତିର ହାତ

ପ୍ରତ୍ୟେକ ମାତାପିତା ନିଜ ସନ୍ତାନର ଭବିଷ୍ୟତ ପାଇଁ ନିଜର ସବୁ ସୁଖସୁବିଧାକୁ ତୁଚ୍ଛ କରିଦିଅନ୍ତି। କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ କେତେକ ସନ୍ତାନ ତାଙ୍କ ମାତାପିତାଙ୍କ ତ୍ୟାଗକୁ ପାଶୋରି ଯାଆନ୍ତି। ଯେଉଁଥିପାଇଁ ବୃଦ୍ଧ ମାତାପିତା ଶେଷ ସମୟରେ ଅସହାୟ ହୋଇପଡନ୍ତି। ଏପରିକି ତାଙ୍କ ପାଇଁ ରହିବାକୁ ଘର ନଥାଏ କି ଖାଇବାକୁ ଦାନା ନଥାଏ। ସମ୍ପୂର୍ଣ୍ଣ ଅଲୋଡ଼ା ହୋଇଯାନ୍ତି ସେମାନେ ନିଜ ପିଲାଙ୍କ ପାଖରେ। ଅବଶ୍ୟ ପିଲାମାନେ ସିନା ତାଙ୍କୁ ଅଲୋଡ଼ା ଭାବନ୍ତି କିନ୍ତୁ ଏମିତି ବି କେତେଜଣ ଅଛନ୍ତି, ଯେଉଁମାନେ ଏହି ଅସହାୟ ବୟୋଜ୍ୟେଷ୍ଠଙ୍କୁ ସହାୟତାର ହାତ ବଢାଇଥାନ୍ତି। କେବଳ ବୟୋଜ୍ୟେଷ୍ଠ ନୁହଁନ୍ତି ଦୁଃଖୀ ଦରିଦ୍ରଙ୍କ ପାଇଁ ବି ତାଙ୍କ ପ୍ରତିଶ୍ରୁତିର ହାତ ଲମ୍ବିଆସେ। ସେମିତି କେତେଜଣ ମଣିଷଙ୍କ ସମ୍ପର୍କରେ…

ସେବାରେ ଆନନ୍ଦ ମିଳୁଛି- ଛାତ୍ରଜୀବନରୁ ବିଭିନ୍ନ ଜନକଲ୍ୟାଣ କାମ କରୁଥିଲେ ଖୋର୍ଦ୍ଧା ଜିଲା କୁମ୍ଭୀରପଡ଼ା ଗ୍ରାମର ସୁକାନ୍ତ ବିଶ୍ୱାଳ। ଇଚ୍ଛା ଥିଲା ଭବିଷ୍ୟତରେ ଏକ ଦାତବ୍ୟ ଚିକିତ୍ସାଳୟ ଗଢିବେ। ମାତ୍ର ସମୟକ୍ରମେ ସବୁକିଛି ବଦଳିଗଲା। ସେ କୁହନ୍ତି, ଆଜକୁ ପ୍ରାୟ ୧୫ବର୍ଷ ତଳେ ମୋର ଏକମାତ୍ର ପୁଅ ଅମିତ୍‌ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ ଆନ୍ଧ୍ରପ୍ରଦେଶରେ କାର୍ଯ୍ୟ କରୁଥିଲା। ମାତ୍ର ସେଠାରେ ତା’ର ଏକ ଭାଇରସ୍‌ ଆକ୍ରାନ୍ତରେ ଅକାଳ ବିୟୋଗ ଘଟିଲା। ଏଥିରେ ମୁଁ ଏବଂ ମୋ ସ୍ତ୍ରୀ ବିଳାସିନୀ ଦୁଃଖରେ ଭାଙ୍ଗିପଡିଲୁ। ସେବେଠାରୁ ସଂସାର ତୁଚ୍ଛ ଲାଗିଲା। ବିଭିନ୍ନ ଆଧ୍ୟାାତ୍ମିକ କାର୍ଯ୍ୟରେ ସମୟ ବିତାଇଲୁ। କିନ୍ତୁ କରୋନା ସମୟରେ ଦେଖିଲି, ଆମ ଗାଁ ନିକଟସ୍ଥ ଜାତୀୟ ରାଜପଥରେ ଜଣେ ବ୍ୟକ୍ତି କିଛିବାଟ ଚାଲିଚାଲି ଯାଉଥା’ନ୍ତି ପୁଣି ଟିକେ ଅଟକି ଯାଇ ଅଳ୍ପ ପାଣି ପିଉଛନ୍ତି, ପୁଣି କିଛିବାଟ ଯିବାପରେ ସେହିପରି ପାଣି ପିଉଛନ୍ତି। ଏକଥା ଦେଖି ତାଙ୍କୁ ପଚାରିବାରୁ ଜାଣିଲି ସେ ବ୍ରହ୍ମପୁରରୁ କଟକ ଚାଲିଚାଲି ଆସୁଥିବା ବେଳେ ଦୁଇଦିନଧରି ଭୋକଉପାସରେ ଅଛନ୍ତି। ତାଙ୍କୁ ଖାଇବାକୁ ଦେଇଥିଲି। ଆଉ ସେହିଦିନଠାରୁ ପ୍ରତିଦିନ ବୁଲିବୁଲି ମାଗଣାରେ ପ୍ରାୟ ୭୦ଜଣ ଅସହାୟ ଲୋକଙ୍କୁ ପ୍ରାୟ ୩ମାସ ଯାଏ ରନ୍ଧାଖାଦ୍ୟ ବଣ୍ଟନ କଲି। ଏମିତି ବୁଲୁଥିବା ସମୟରେ ବଡ଼କୁଳ ଛକଠାରେ ଦିନେ ଜଣେ ଅସହାୟ ବୃଦ୍ଧାଙ୍କୁ ଦେଖିଲି। ଫୁଟ୍‌ଫାଥରେ ଅସହାୟଭାବେ ରହୁଥିଲେ। ତାଙ୍କଠାରୁ ଜାଣିଲି ତାଙ୍କର ଦୁଇପୁଅ ସରକାରୀ ଚାକିରି କରିଛନ୍ତି ମାତ୍ର ନିଜ ମା’ଙ୍କୁ ଅବହେଳା କରିବାରୁ ସେ ନିଜଘରୁ ବାହାରିଆସି ଭିକ୍ଷାକରି ଚଳୁଛନ୍ତି। ଏହି ଘଟଣା ମୋ ମନରେ ଦୁଃଖ ଦେଲା। ତା’ ପରେ ସେହି ବୃଦ୍ଧାଙ୍କୁ ସେବାକରି ଘରକୁ ଆଣିଥିଲି। ଏହି ଘଟଣା ପରେ ଏକ ସେବାଶ୍ରମ କରିବା ପାଇଁ ଚିନ୍ତା କଲି। ଏବେ ଆମ ଗାଁରେ ମୋ ଘରେ ଏକ ବୃଦ୍ଧାଶ୍ରମ ପ୍ରତିଷ୍ଠା ହୋଇଛି। ନିଜସ୍ବ ଉଦ୍ୟମରେ ଆବଶ୍ୟକ ଖର୍ଚ୍ଚ କରୁଛି। ଏଠାରେ ପ୍ରାୟ ୩୦ ଜଣ ବୃଦ୍ଧାବୃଦ୍ଧ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୩ଜଣ ବୃଦ୍ଧା ଓ ୧୭ଜଣ ବୃଦ୍ଧ। ଏବେ ଏହି ବୃଦ୍ଧାଶ୍ରମକୁ କେନ୍ଦ୍ରସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ସହାୟତାର ହାତ ବଢାଇଛି। ଏଥିସହିତ କିଛି ବୁଲାଗୋରୁଙ୍କ ପାଇଁ ସୋଲରିଠାରେ ଏକ ଗୋ-ଶାଳା କରିଛି । ମୋର ଗୋଟିଏ ମାତ୍ର ଇଚ୍ଛା ଏହି ଅସହାୟ ମା’ବାପାଙ୍କ ସହିତ ପରିବାରର ଜଣେ ସଦସ୍ୟ ଭାବେ ଶେଷନିଃଶ୍ୱାସ ଥିବା ଯାଏ ସମୟ ବିତାଇବି।

ମାନବ ସେବା ମାଧବ ସେବା: ପୁରୁଣା ଭୁବନେଶ୍ୱରରେ ରହିଛି ଶ୍ରୀକୃଷ୍ଣ ଜରାନିବାସ। ଏହା ୨୦୧୨ ମସିହାରେ ସ୍ଥାପିତ ହୋଇଛି। ଏହାର ଦାୟିତ୍ୱରେ ଥିବା ରାଜେଶ ମହାପାତ୍ର କୁହନ୍ତି, ଆମ ଗାଁ ପୁରୀ ଜିଲାର ନିମାପଡ଼ା ବିଜିପୁରରେ। କିନ୍ତୁ ଗାଁରେ ରହୁଥିଲାବେଳେ ମୋ ବାପା ଉଗ୍ରେସନ ମହାପାତ୍ରଙ୍କ ପରୋପକାର ଓ ସେବାର ପ୍ରଭାବ ମୋ ଉପରେ ପଡିଥିଲା। ଯେତେବେଳେ ରେଭେନ୍‌ଶାରେ ପଢ଼ୁଥିଲି, ସେତେବେଳେ କାହାରି ଦେହ ଅସୁସ୍ଥ ହେଲେ ମେଡିକାଲକୁ ଚିକିତ୍ସା ପାଇଁ ନେଉଥିଲି। ପରେ ଅସହାୟ ଲୋକଙ୍କୁ ଦେଖିଲାପରେ ଏକ ଆଶ୍ରମ କରି ସେମାନଙ୍କ ସେବା କରିବାର ଚିନ୍ତା ଘାରିଥିଲା। ଏଥିପାଇଁ ପ୍ରଥମେ ପ୍ରାୟ ୫ ଜଣ ଅସହାୟ ଲୋକଙ୍କୁ ଏକ ଭଡ଼ାଘରେ ନିଜସ୍ବ ଉଦ୍ୟମରେ କିଛିଦିନ ରଖି ସେବା କରିଥିଲି। କ୍ରମେ ଅନେକ ଅସହାୟ ଏଠାକୁ ଆସିଲେ। ଏବେ ଏଠାରେ ପ୍ରାୟ ୮୬ଜଣ ଅନ୍ତେବାସୀ ରହୁଛନ୍ତି। ଏମାନଙ୍କ ସେବା ପାଇଁ ୨୦ଜଣ ସେବକ ଅଛନ୍ତି। ଅନୁଷ୍ଠାନ ପରିଚାଳନାରେ ବିଭିନ୍ନ ବଦାନ୍ୟବ୍ୟକ୍ତିଙ୍କ ସହଯୋଗ ରହିଛି। ମୋ ସହିତ ଡାକ୍ତର ଜିତେନ୍ଦ୍ର ଦାସ, ବେଣୁଧର ଗୋଛି, ପ୍ରଦୀପ୍ତ ଦାସଙ୍କ ସମେତ ଅନେକ ବ୍ୟକ୍ତି ସାମିଲ ହୋଇଛନ୍ତି। ସମସ୍ତଙ୍କ ଲକ୍ଷ୍ୟ ଅସହାୟ ଲୋକଙ୍କ ସେବା କରିବା। ମୋର ଇଚ୍ଛା ଯେତେଦିନ ଯାଏ ଥିବି, ଜଗନ୍ନାଥଙ୍କ ଆଶୀର୍ବାଦରୁ ଏମିତି ସେବା କରିଚାଲିଥିବି।
ଅସହାୟଙ୍କ ସେବାରେ ପୁଣ୍ୟ ମିଳେ: ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆର ସୋଲରଠାରେ ଗଢିଉଠିଛି ଏକ ସେବକ ଜରାଶ୍ରମ। ଏଠାରେ ଦୁଇଶହରୁ ଊର୍ଦ୍ଧ୍ୱ ଅସହାୟ ନିରାଶ୍ରୟ ବୃଦ୍ଧାବୃଦ୍ଧ ଓ ଭିନ୍ନକ୍ଷମ ବ୍ୟକ୍ତି
ରହିଛନ୍ତି। ସେବକର ମୁଖ୍ୟ ପରିଚାଳକ ସୁରେଶ ଚନ୍ଦ୍ର ବିଶ୍ୱାଳ କୁହନ୍ତି, ବିଭିନ୍ନ ବର୍ଗର ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି ଜରାଶ୍ରମ କଷ୍ଟେମଷ୍ଟେ ଚାଲୁରହିଛି। ସେବା କରିବା ମନୋବୃତ୍ତି ନେଇ କେତେଜଣ ସାଙ୍ଗ ରାଜପଥ କଡ଼, ଷ୍ଟେଶନ କିମ୍ବା ବସ୍‌ଷ୍ଟାଣ୍ଡ ଆଦି ସ୍ଥାନରେ ଅସହାୟ ରୋଗଗ୍ରସ୍ତ ଅବସ୍ଥାରେ ପଡି ରହିଥିବା ବ୍ୟକ୍ତିଙ୍କୁ କଟକ ବଡ଼ ମେଡିକାଲ ଆଣି ସେମାନଙ୍କୁ ଚିକିତ୍ସା କରୁଥିଲୁ। ପରେ ସେମାନଙ୍କ ଠିକଣା ବୁଝି ତାଙ୍କୁ ପହଞ୍ଚାଉଥିଲୁ। ମାତ୍ର କିଛି ଲୋକଙ୍କ ଠିକଣା ନ ଥିବାରୁ ସେମାନଙ୍କୁ ଆଣି ଛତିଆଠାରେ ଏକ ଫାର୍ମ ହାଉସ୍‌ରେ ରଖି ଯତ୍ନ ନେଉଥିଲୁ। ଧୀରେ ଧୀରେ ଅସହାୟ ନିରାଶ୍ରୟ ବୃଦ୍ଧାବୃଦ୍ଧଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସୋଲରଠାରେ କେତେଜଣ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏକଗୃହ ନିର୍ମାଣ କରି ପ୍ରଥମେ ୧୦ଜଣଙ୍କୁ ନେଇ ଗଢିଉଠିଥିଲା ସେବକ ଜରାଶ୍ରମ। ଆଜି ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀ ଏଠାରେ ହସଖୁସିରେ ସମୟ ଅତିବାହିତ କରୁଛନ୍ତି। ଏହା ସହିତ ଏଠାରେ ଏକ ଗୋଶାଳା ରହିଛି। ଅନ୍ତେବାସୀଙ୍କ ନିମନ୍ତେ ଏଠାରେ ବର୍ତ୍ତମାନ ଛୋଟବଡ଼ ୧୪ଟି ଗୃହ ନିର୍ମାଣ ହୋଇଛି । ଏହାସହିତ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ସପ୍ତାହକୁ ଦୁଇଥର ଶିବିର କରାଯାଉଛି। ସେମାନଙ୍କ ସେବାରେ ସମସ୍ତ ସଦସ୍ୟ ଖୁସି ଅଛୁ। ଏହି ସେବାକାର୍ଯ୍ୟରେ ଜୀବନର ମହତ୍ତ୍ୱ ରହିଛି। ତେବେ ମଣିଷ ଜୀବନ ମୁଖ୍ୟତଃ ଚାରୋଟି ଅବସ୍ଥା ଦେଇ ଗତି କରିଥାଏ। ବାଲ୍ୟ, ଶୈଶବ ଓ ଯୁବାବସ୍ଥାରେ ତ ସାହାରା ମିଳିଥାଏ, ମାତ୍ର ପରିଣତ ବୟସରେ ପଦାର୍ପଣ କରେ ବାର୍ଦ୍ଧକ୍ୟ । ଏହି ଅବସ୍ଥାରେ ମଣିଷ ତା’ର ଆତ୍ମୀୟ ସ୍ବଜନଙ୍କ ସାହାରା ଲୋଡ଼ନ୍ତି। ଏହି ସମୟରେ ସେମାନଙ୍କୁ ସେବାକରିବାରେ ନିଆରା ଭାବ ସୃଷ୍ଟି ହୋଇଥାଏ।

ତ୍ୟାଗ, ସେବା ଓ ଦାନରେ ଶାନ୍ତିମିଳେ: ସ୍ବାର୍ଥପର ଦୁନିଆରେ ବିଭିନ୍ନ ଲୋଭର ବଶବର୍ତ୍ତି ହୋଇ କାହାରି ରକ୍ତ ସମ୍ପକୀର୍ୟ ହେଉ କି ବନ୍ଧୁ ପରିଜନଙ୍କ ମଧ୍ୟରେ ଧନସମ୍ପତି ପାଇଁ କେହିବି କିଛି ଅଘଟଣ ଘଟାଇପାରନ୍ତି। ମାତ୍ର ଏକଥା ମଣିଷ ଭୁଲି ଯାଏ ଯେ ସେ ଏହି ଦୁନିଆରୁ ଯିବାବେଳେ କିଛି ବି ନିଏନା। ଏମିତି ଜଣେ ମହିଳା ଯେକି ନିଜର ଏକକୋଟି ଧନସମ୍ପତିକୁ ସ୍ବଇଚ୍ଚାରେ ଜଣେ ରିକ୍ସାବାଲାଙ୍କୁ ପ୍ରଦାନକରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। କେବଳ ସେତିକି ନୁହେ ବିଭିନ୍ନ ସମୟରେ ତାଙ୍କ ନଜରରେ ଆସୁଥିବା ଅସହାୟ ଲୋକଙ୍କୁ ନିଜର ସାଧ୍ୟମତେ ଖାଦ୍ୟ,ବତ୍ସ ପ୍ରଦାନ କରିଥାନ୍ତି। ସେହେଲେ କଟକ ସୁତାହାଟ ଖ୍ରୀଷ୍ଟିୟାନ ସାହିରେ ରହୁଥିବା ସ୍ବାଧିନମନା ସ୍ବଭିମାନୀ ପରଉପକାରୀ ମହିଳା ମିନତୀ ପଟ୍ଟନନାୟକ ବୟସ ୬୩ ବର୍ଷ। ସେ କୁହନ୍ତି ଦିନଥିଲା ଘରେ ମୋସ୍ବାମୀ ଓ ଝିଅଙ୍କୁ ନେଇ ଖୁସୀରେ ରହୁଥିଲୁ। କିନ୍ତୁ ଦିନେ ସମୟ ଆସିଲା ସେମାନେ ମୋଠାରୁ ସବୁଦିନ ପାଇଁ ସଂସାର ଛାଡ଼ି ଚାଲିଗଲେ। ହେଲେ ମୋର ପରିଣତ ବୟସରେ କିଏ ହେବ ସାହାରା,ଏମିତି ଚିନ୍ତା ମୋତେ ଘାରିଥିଲା ତେବେ ଆମଘରେ ପ୍ରାୟ୨ର୍୫ବଷଧରି ର୍‌ ସେବାକରୁଥିବା ବୁଢା ସାମଲଙ୍କୁ ମୋ ନିଜସ୍ବ ପ୍ରାୟ କୋଟିଏ ଟଙ୍କାର ଧନସମ୍ପତିକୁ ପ୍ରଦାନ କରିଛି। ଏଥିରେ ମତେ ଆନନ୍ଦ ମିଳୁଛି। କାରଣ ଥରେ ଯଦି କାହାରିକୁ ହାତଟେକି କିଛିବି ଧନସମ୍ପତି ଦାନ କରିନ୍ତି ତେବେ ଉପରବାଲା ନିଶ୍ଚୟ ତାର ଉପକାର କରିବେ ।ଏହି ବିଶ୍ୱାସ ରହିଛି। ତ୍ୟାଗ ସେବା ଓ ଦାନରେ ଶାନ୍ତି ମିଳେ।
ବରିଷ୍ଠ ନାଗରିକ ଦେଶର ଅଭିଭାବକ: ଉତ୍ତର ଭୁବନେଶ୍ୱର ରଘୁନାଥପୁର ଗ୍ରାମଠାରେ ୧୯୧୪ ମସିହାରେ ଗଢିଉଠିଥିଲା ଶିରିଡ଼ି ସାଇ ସନ୍ଥ ଆଶ୍ରମ ଓ ଜରାନିବାସ । ଏକ ପ୍ରାକୃତିକ ପରିବେଶ ମଧ୍ୟରେ ରହିଥିବା ଏହି ଆଶ୍ରମରେ ବୃଦ୍ଧାବୃଦ୍ଧମାନଙ୍କ ସାମାଜିକ ସୁରକ୍ଷା ପ୍ରତି ଗୁରୁତ୍ୱ ରହିଛି। ବହୁ ସମୟରେ ପୋଲିସ ପ୍ରଶାସନ ହେଉ କି ସାଧାରଣ ସ୍ବେଚ୍ଛାସେବୀମାନେ ଯାହାଙ୍କୁ ଅସୁରକ୍ଷିତ ମନେକରନ୍ତି ସେମାନଙ୍କୁ ଏଠାରେ ଆଣି ଛାଡିଥାନ୍ତି ଓ ଏହି ନିରାଶ୍ରୟମାନଙ୍କ ଗୁରୁଦାୟିତ୍ୱ ଏଠାର ସଦସ୍ୟଙ୍କ ଉପରେ ରହିଛି । ଏହି ଆଶ୍ରମରେ ବର୍ତ୍ତମାନ ୧୦ ଜଣ ବୃଦ୍ଧ ଓ ୬ ଜଣ ବୃଦ୍ଧା ଅଛନ୍ତି । ସେମାନଙ୍କ ପାଇଁ ଦୁଇଜଣ ସେବିକା ଓ ଦୁଇଜଣ ରୋଷେଇ ଓ ଖାଦ୍ୟ ଯୋଗାଣ ପାଇଁ ଅଛନ୍ତି । ଏହା ସହିତ ଜରୁରୀ ସେବା ଦେବା ପାଇଁ ଏକ ଆମ୍ବୁଲାନ୍ସ ଅଛି । ଉକ୍ତ ଜରାନିବାସ କରିବା ପଛରେ ବହୁ ଲୋକଙ୍କ ସମର୍ଥନ ରହିଛି ବୋଲି କୁହନ୍ତି ସାଇ ଜରାନିବାସ ମ୍ୟାନେଜିଂ ଟ୍ରଷ୍ଟି ବିଜୟ କୁମାର ପାତ୍ର। ଏହି ଜରାନିବାସ କରିବା ପଛରେ ଏକ ଉଦ୍ଦେଶ୍ୟ ଥିଲା କୋଣସି ଲୋକଙ୍କୁ ଅସହାୟ ଅବସ୍ଥାରେ ଦେଖିଲେ ମୋର ମନ ଭିତରେ ଦୁଃଖର ପାହାଡ଼ ସୃଷ୍ଟି ହୋଇଯାଏ। ସେଥିପାଇଁ ଆଶ୍ରମ ତିଆରି ହେଲେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇ ପାରିବ । ଏହି ଆଶ୍ରମଟି ଆମର ନିଜସ୍ବ ଜାଗାରେ ହୋଇଛି। ଯାହାକି ମୋ ବାପା ରବୀନ୍ଦ୍ର ପାତ୍ର ଏଥିପାଇଁ ପାଞ୍ଚ ଗୁଣ୍ଠ ଜାଗା ଦାନକରିଛନ୍ତି ଓ ଏବେ ଦୁଇ ଏକର ଜାଗା ଆଶ୍ରମ ନାମରେ କିଣାଯାଇଛି । ଏଥିପାଇଁ ସାଇବାବାଙ୍କ ଆଶୀର୍ବାଦ ରହିଛି । ଆଶ୍ରମ ତରଫରୁ ଏକ ପୁରୁଣା ଲୁଗା ବ୍ୟାଙ୍କ କରାଯାଇଛି, ଯାହାର ଆବଶ୍ୟକ ସେମାନେ ନେବେ ଓ ଅସହାୟ ଗରିବ ଲୋକମାନଙ୍କ ପାଇଁ ରନ୍ଧାଖାଦ୍ୟ ଯୋଗାଣ, ପଶୁପକ୍ଷୀମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି । ଏଠାରେ ବିଭିନ୍ନ ସେମିନାର କରି ସେବାଭାବନା ଜାଗ୍ରତ ନିମନ୍ତେ ଯୁବକମାନଙ୍କୁ ପ୍ରେରଣା ଦିଆଯାଇଛି । ତେବେ ନିଜ କାନ୍ଧରେ ପିଲାଙ୍କୁ ବସାଇ ବୁଲାଇଥିବା ବୁଢ଼ାବାପାର ଅଣ୍ଟା ଆଜି ନଇଁ ଗଲାଣି। ଏବେ ତାଙ୍କୁ ବାଟ କଢେଇବାକୁ କେହି ନାହିଁ। ରାତି ରାତି ରୋଗଣା ପିଲାର ଶେଯରେ ରାତି ଅନିଦ୍ରା ରହୁଥିବା ମା’ର ପାଟିରେ ଔଷଧ ଟୋପେ ଦେବାପାଇଁ ଆଜି କେହି ନାହିଁ। ଯେମିତିକି ମା’ ବାପା ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି। କିନ୍ତୁ ମା’ ବାପା ପିଲାଦିନେ ଦାୟିତ୍ୱ ନେଇଥାନ୍ତି । କିନ୍ତୁ ବରିଷ୍ଠ ନାଗରିକମାନେ ହେଉଛନ୍ତି ରାଷ୍ଟ୍ରର ଅଭିଭାବକ। ସେମାନଙ୍କ ଦାୟିତ୍ୱ ଆମର । ଏହି ଭାବନା ସମସ୍ତଙ୍କର ରହିବା ଉଚିତ ବୋଲି ମନେକରେ।

 

-ବନବିହାରୀ ବେହେରା, ସୁବାସ ପ୍ରଧାନ, ସୌମ୍ୟରଞ୍ଜନ ସାହୁ

Share