ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଜବତ

ଲାଠୋର,୮।୧: ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ଖରଲି ଗ୍ରାମର ଠଣସୁନ୍ଦର ତାଣ୍ଡି(୪୫)ଙ୍କ ବୁଧବାର ରାତିରେ ମୃତ୍ୟୁ ଘଟିଛି। ହେଲେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ବେସାହାରା ହୋଇ ପଡିଛନ୍ତି।
ସୂଚନା ଅନୁସାରେ ସ୍ତ୍ରୀ ବିଳାସ ଏବଂ ତିନି ପିଲା ସନ୍ତୋଷ, ସୋନୁ ଓ ସନ୍ତୋଷୀଙ୍କୁ ନେଇ ଠଣସୁନ୍ଦରଙ୍କ ପରିବାର। ସମ୍ପତ୍ତି ବାଡି କିଛି ନାହିଁ। ଦାଦନ ଖଟି ପରିବାର ଚଳାଉଥିଲେ। ୨୦୨୦ ଡିସେମ୍ବର ମାସରେ କୁଲିହାମୁଣ୍ଡା ଗ୍ରାମର ଦାଦନ ସର୍ଦ୍ଦାର କୀର୍ତ୍ତନ ତାଣ୍ଡିଙ୍କ ଜରିଆରେ ପରିବାର ସହ ସେ ତେଲେଙ୍ଗାନା ରାଜ୍ୟ ଜଗତଲ ଜିଲା ଅନ୍ତର୍ଗତ ଧୂମପେଟକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ସେ ଏକ ଇଟାଭାଟିରେ କାମ କରୁଥିଲେ। ବୁଧବାର ରାତି ପ୍ରାୟ ୧୦ଟାରେ ଠଣସୁନ୍ଦରଙ୍କ ମୃତଦେହ ସେ ରହୁଥିବା ଘର ପାଖ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ଗୁରୁବାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପରେ ଇଟାଭାଟି ମାଲିକ ଏବଂ ଦାଦନ ସର୍ଦ୍ଦାର ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହ ବଲାଙ୍ଗୀର ପଠାଇ ଥିଲେ। ଶୁକ୍ରବାର ସକାଳେ ମୃତଦେହ ଗାଁରେ ପହଞ୍ଚିବା ପରେ ଅନ୍ତିମ ସଂସ୍କାର କରାଯାଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଠଣଙ୍କ ବାପା ମାଖନୁ ତାଣ୍ଡି ପ୍ରକାଶ କରିଛନ୍ତି । ଏ ନେଇ ତୁରେକେଲା ଥାନା ଅଧିକାରୀ କମଳଲୋଚନ ବେହେରାଙ୍କୁ ଯୋଗାଯୋଗ କରିବାରୁ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ତଦନ୍ତ କରିବୁ ବୋଲି କହିଛନ୍ତି।

Share