୩୨ ଅଣ୍ଡାରୁ ବାହାରିଲେ ଘଡ଼ିଆଳ ଛୁଆ

ବନ୍ତଳା,୧୨ା୫(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପାଇଁ ସୋମବାର ଆସିଛି ଖୁସି ଖବର। ମହାନଦୀ ଗଣ୍ଡରେ ଘଡ଼ିଆଳ କୁମ୍ଭୀର ଅଣ୍ଡାରୁ ୩୨ ଶାବକ ଜନ୍ମ ହୋଇଛନ୍ତି। ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡା ଏ ନେଇ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି। ଡିଏଫ୍‌ଓ କହିଛନ୍ତି, ସାତକୋଶିଆ ଗଣ୍ଡର ବଳଦମରାଠାରେ ଅଣ୍ଡା ଦେବା ପାଇଁ ମା’ ଘଡ଼ିଆଳ ବାରମ୍ବାର ଆସୁଥିବା ନେଇ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ ସମୟରେ ଜାଣିପାରି ଥିଲେ। ଏ ସମ୍ପର୍କରେ ସୂଚନା ମିଳିବା ପରେ ଉକ୍ତ ଜାଗାରେ ବିଭାଗ ପକ୍ଷରୁ ସିସିଟିଭି ଲଗାଯାଇଥିଲା। ଏଥିସହିତ କୁକୁର ଓ ଅନ୍ୟ ବନ୍ୟଜନ୍ତୁ ଦାଉରୁ ଅଣ୍ଡାଗୁଡ଼ିକୁ ସୁରକ୍ଷା ଦେବା ପାଇଁ ତାରବାଡ଼ ବ୍ୟବସ୍ଥା କରାଯାଇଥିଲା। ସୋମବାର ରାତିରେ ଉକ୍ତ ଅଣ୍ଡାଗୁଡ଼ିକରୁ ୩୨ ଶାବକ ଜନ୍ମ ହୋଇଛନ୍ତି। ୨୦୨୧ରେ ମଧ୍ୟ ଉକ୍ତ ଜାଗାରେ ୨୮ ଘଡ଼ିଆଳ ଶାବକ ଜନ୍ମ ନେଇଥିଲେ ବୋଲି ଡିଏଫ୍‌ଓ ପ୍ରକାଶ କରିଛନ୍ତି।