ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ମାଡ଼

ବାଲିଗୁଡ଼ା,୧୩ା୮(ସଞ୍ଜୟ କୁମାର ପାଣିଗ୍ରାହୀ)ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର ସହ ପିଲାଙ୍କ ଚାଉଳ ବିକ୍ରି କରିବା ଅଭିଯୋଗରେ ବାଲିଗୁଡ଼ା ଥାନା ସୁଡ୍ରା ଗ୍ରାମର ସରକାରୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାନ୍ତୁନୁ କୁମାର ପ୍ରଧାନଙ୍କୁ ଶୁକ୍ରବାର ରାତିରେ ଗ୍ରାମବାସୀ ପିଟି
ପୋଲିସ ଜିମା ଦେଇଛନ୍ତି।
ବିଦ୍ୟାଳୟ ପରିସରରେ ଛାତ୍ରୀ ହଷ୍ଟେଲ ରହିଥିବା ବେଳେ ପ୍ରଧାନ ଶିକ୍ଷକ ମହିଳା ରୋଷେୟାଙ୍କୁ ରାତିରେ ଡାକିଥିବା ଗ୍ରାମବାସୀ ଦେଖିଥିଲେ। ଏହି ସମୟ ମଧ୍ୟରେ ୨ ରୋଷେୟା ପଛ ପାଖ ଗେଟରେ ବାହାରୁଥିବା ବେଳେ ଲୋକେ ପ୍ରଧାନ ଶିକ୍ଷକଙ୍କୁ ଟାଣି ଆଣି ବଜାର ମଧ୍ୟରେ ଚଲାଇ ଚଲାଇ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହେଉଛି। ପରେ ପ୍ରଧାନ ଶିକ୍ଷକଙ୍କୁ ଲୋକେ ବାରଖମା ଫାଣ୍ଡିକୁ ନେଇ ନେଇ ପୋଲିସ ଜିମା ଦେଇଥିଲେ। ଏଥିରେ କୁଆଡେ ସ୍କୁଲ୍‌ କର୍ମଚାରୀ ଓ ପରିଚାଳନା କମିଟିର ହାତ ଥିବା ମଧ୍ୟ ଅଭିଯୋଗ ହୋଇଛି। ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଏହି ବିଦ୍ୟାଳୟରେ ୭ବର୍ଷ ହେଲା ରହିଥିବା ବେଳେ ତାଙ୍କ ବିରୋଧରେ ସ୍ଥାନୀୟ ମଙ୍ଗଳ ଅଧିକାରୀ, ଉପଖଣ୍ଡ ମଙ୍ଗଳ ଅଧିକାରୀ ଓ ଜିଲା ମଙ୍ଗଳ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା କହିଛନ୍ତି ସ୍କୁଲ ପରିଚାଳନା କମିଟି ସଭାପତି ସୁଦାମ ମଲ୍ଲିକ ଓ ସ୍ଥାନୀୟ ସରପଞ୍ଚ ସରୋଜିନୀ ମଲ୍ଲିକ। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ତାଙ୍କୁ ଦୀର୍ଘ ଦିନ ହେଲା କିଛି ଲୋକେ ଯୋଜନାବଦ୍ଧ ଭାବେ ଆକ୍ରମଣ ଉଦ୍ୟମ କରିଛନ୍ତି। ଶୁକ୍ରବାର ରୋଷେୟା ମହିଳାମାନଙ୍କୁ ଅଫିସ କାମ ପାଇଁ ଡାକି ଥିବା ବେଳେ ମୋତେ ଏଭଳି ମରଣାତ୍ମକ ଆକ୍ରମଣ କରାଯାଇଥିଲା। ଏ ନେଇ ଥାନାରେ ମଧ୍ୟ ଏତଲା ଦେଇଛି। ସେପଟେ ସ୍କୁଲ ପରିଚାଳନା କମିଟି ସଭାପତି ସୁଦାମ ମଲ୍ଲିକ ମଧ୍ୟ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ପୂର୍ବରୁ ସିସିଏକୁ ଅଶ୍ଳୀଳ ବ୍ୟବହାର, ସ୍କୁଲ ଚାଉଳ ବିକ୍ରି କରିବା ଓ ବିଭିନ୍ନ ସମୟରେ ସ୍କୁଲ ପରିଚାଳନା କମିଟିକୁ ଅଶ୍ଳୀଳ ବ୍ୟବହାର କରିଥିବା ଏତଲା ଦେଇଛନ୍ତି। ବର୍ତ୍ତମାନ ଘଟଣାକୁ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି। ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।