ଲୋଇସିଂହା,୨୮।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ରେଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀ ଛାତ୍ରୀମାନଙ୍କୁ ଆଶଳୀନ ବ୍ୟବହାର ପ୍ରଦର୍ଶନ କରୁଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଧାନ ଶିକ୍ଷକଙ୍କ ଏପରି ଆଚରଣକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ଉଦୁରୁକୂଳିଆ କ୍ଷୋଭ ପ୍ରକାଶ କରିବା ସହ ବଲାଙ୍ଗୀର ସଦର ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗରୁ ପ୍ରକାଶ ଯେ, ବିଗତ କିଛି ଦିନ ହେଲା ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ସହିତ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି ମୋତେ ଭଲ ପାଉଛ କି ନାହିଁ ବୋଲି ଛାତ୍ରୀଙ୍କୁ ପଚାରୁଛନ୍ତି। ଏହାସହ ଶରୀରକୁ ଛୁଇଁଥିବା ମଧ୍ୟ ଅଭିଯୋଗ ହୋଇଛି। କେବଳ ଛାତ୍ରୀ ନୁହେଁ, ଛାତ୍ରଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ଛାତ୍ରୀଛାତ୍ର ଭୟରେ କାହାରିକୁ କହୁ ନ ଥିଲେ। ଦିନକୁ ଦିନ ଏହି ନିର୍ଯାତନା ବଢିବାରୁ ବାଧ୍ୟ ହୋଇ ଛାତ୍ରୀଛାତ୍ରମାନେ ନିଜ ନିଜ ମାତାପିତାଙ୍କୁ ସୋମବାର ଜଣାଇଥିଲେ। ପ୍ରଧାନ ଶିକ୍ଷକଙ୍କ ଏତାଦୃଶ୍ୟ ଆଚରଣକୁ ନେଇ ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ କରିଯାଇଛି। ପରିଚାଳନା କମିଟି ସଭାପତି ଉଦୁରକୁଳିଆଙ୍କ ସହିତ ଅଭିଭାବକ ସ୍କୁଲକୁ ଯାଇ ପ୍ରତିବାଦ କରିଥିଲେ। ପ୍ରଧାନ ଶିକ୍ଷକ ଘଟଣାକୁ ସ୍ବୀକାର କରିବା ସହିତ କ୍ଷମା କରିଦେବାକୁ କହିଥିଲେ। ଏଥିପାଇଁ ଯାହା ବି ଆର୍ଥିକ ଦଣ୍ଡ ଦେବେ ତାହା ସେ ସ୍ବୀକାର କରିବେ ବୋଲି ପ୍ରଧାନ ଶିକ୍ଷକ କହିଥିବା ଥାନାରେ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏ ସମ୍ପର୍କରେ ବିଇଓ ରୀନା କୁମାରୀ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକଙ୍କଠାରୁ ଘଟଣା ଶୁଣିଛି। ଏପରିକି ଥାନାରେ ଅଭିଯୋଗ ହୋଇଥିବା ଜାଣିବାକୁ ପାଇଛି। ତାଙ୍କ ନିକଟରେ ଅଭିଯୋଗ ହେଲେ ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।