ଦୈନିକ ଦୁଇଟି କ୍ଲାସ୍‌ ନେବେ ପ୍ରଧାନ ଶିକ୍ଷକ

ଭୁବନେଶ୍ୱର,୬।୪(ବ୍ୟୁରୋ):  ଏଣିକି ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଦୈନିକ ଦୁଇଟି ଲେଖା କ୍ଲାସ ନେଇ ଛାତ୍ରୀଛାତ୍ରମାନଙ୍କୁ ପାଠ ପଢାଇବେ। ଏହା ଏଥର ବାଧ୍ୟତାମୂଳକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୋମବାର ସବୁ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଜଣାଇ ଦିଆଯାଇଛି। ଡିଇଓ ଉକ୍ତ ଚିଠିକୁ ସବୁ ବିଦ୍ୟାଳୟକୁ ପଠାଇ ଏ ବାବଦରେ ଅବଗତ କରାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଆଲୋକ କୁମାର କର ଦେଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ, ବିଭାଗର ପ୍ରମୁଖ ଶାସନ ସଚିବ ବିଭିନ୍ନ ଜିଲାର କେତେଗୁଡିଏ ସ୍କୁଲ ପରିଦର୍ଶନରେ ଯାଇଥିଲେ। ଏହି ସମୟରେ କୌଣସି ପ୍ରଧାନଶିକ୍ଷକ ସେମାନଙ୍କୁ ବିଦ୍ୟାଳୟରେ କ୍ଲାସ ନେଉ ନ ଥିବା ତାଙ୍କ ଦୃଷ୍ଟିକୁ ଆସିଥିଲା। ସେମାନେ ପ୍ରାୟ ସ୍କୁଲ ପରିଚାଳନା ସହିତ ଅନ୍ୟାନ୍ୟ ସଂଯୋଜନା କାମରେ ନିଜକୁ ନିୟୋଜିତ ରଖୁଛନ୍ତି। ପ୍ରଧାନଶିକ୍ଷକ ହେଉଛନ୍ତି ସ୍କୁଲଗୁଡିକର ସବୁଠାରୁ ଉଚ୍ଚଶିକ୍ଷିତ ଏବଂ ଦକ୍ଷ ଲୋକ ଅଟନ୍ତି। ତେଣୁ ସେମାନେ ଦୈନିକ ଦୁଇଟି କ୍ଲାସ ନେବା ସହିତ ଅନ୍ୟ ଶିକ୍ଷକମାନେ କିଭଳି କ୍ଲାସ ନେଉଛନ୍ତି ତାକୁ ଦେଖିବା ପାଇଁ ସେ କହିଛନ୍ତି।

Share