
କେସିଙ୍ଗା,୨ା୨(ତୁମେଶ୍ୱର ସାହୁ): ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ କଳାହାଣ୍ଡି ଜିଲା ଉତ୍କେଳା ଏୟାରଷ୍ଟ୍ରିପ୍ରେ ରବିବାର ଓହ୍ଲାଇ ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ କିଛି ସମୟ କେସିଙ୍ଗା ଏନ୍ଏସି ଗେଷ୍ଟ ହାଉସ୍ରେ ରହଣି ବେଳେ ନଗର ଭାଜପା କର୍ମକର୍ତ୍ତା ଓ ସହରର ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ସାକ୍ଷାତ କରି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ବିଭିନ୍ନ ସମସ୍ୟା ସହିତ ଡାକ୍ତର ଅଭାବ ବିଷୟରେ ଦାବି କରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ମହାଲିଙ୍ଗ ସମସ୍ତ ଅଭିଯୋଗ ଉପରେ ମତ ପ୍ରକାଶ କରିଥିଲେ ଯେ ଯାହାବି ସମସ୍ୟା ଅଛି ତାହା ପୂର୍ବ ସରକାର ଶାସନ ସମୟରେ ହୋଇଛ। ଡାକ୍ତରଖାନାରେ ବିଭିନ୍ନ ପଦବୀ ପୂରଣ ନିମନ୍ତେ ଆସନ୍ତା ୭ ତାରିଖରେ ୩୫୦୦ ପାରା ମେଡିକାଲ କର୍ମଚାରୀ ନିଯୁକ୍ତି ଦେବା ଏବଂ ୫୫୦୦ ଡାକ୍ତର ପଦବୀ ପୂରଣ ଲାଗି ବିଜ୍ଞାପନ ଦେଇଛୁ। ମୁଁ ଭାବୁଛି ଚଳିତ ବର୍ଷରେ ଖାଲିଥିବା ପଦବୀଗୁଡିକ ପୂରଣ ହୋଇଯିବ। ଅପରପକ୍ଷରେ କେସିଙ୍ଗା ସିଏଚ୍ସିରେ ବର୍ତ୍ତମାନ କାର୍ଯ୍ୟରତ ଡାକ୍ତରମାନଙ୍କ ରୋଟେସନ ପଦ୍ଧତିର ଅଭିଯୋଗକୁ ତୁରନ୍ତ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଗସ୍ତ ସମୟରେ କଳାହାଣ୍ଡି ଜିଲା ନୂତନ ଭାଜପା ସଭାପତି ଯୁଗଳ ପୋଢଙ୍କୁ ମଧ୍ୟ ସ୍ବାଗତ କରାଯାଇଥିଲା। ଏହି ଅବସରରେ ପୂର୍ବତନ ଜୁନାଗଡ଼ ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ବାଲଙ୍କ ସମେତ ଅନେକ ଜିଲାସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ନଗର ସଭାପତି ମଗନ ସିନ୍ଦୁର, ଜିଲା ସହଯୋଗୀ ସନ୍ତୋଷ ଦାଶ, ପୂର୍ବତନ ନଗର ସଭାପତି ପ୍ରଶାନ୍ତ ବାନାର୍ଜୀ, ବରିଷ୍ଠ ସଦସ୍ୟ କୈଳାସ ଜୈନ, ବଜରଙ୍ଗ ଜୈନ, ସରିତା ସିନ୍ଦୁର, ଅରୁଣ ଅଗ୍ରଓ୍ବାଲ, ସୁନୀଲ ଜୈନଙ୍କ ସହିତ ସାଧାରଣ ସମ୍ପାଦକ ପ୍ରୀତେଶ ପଟେଲ ଓ ନଗର ଭାଜପା କର୍ମୀମାନେ ଉପସ୍ଥିତ ଥିଲେ।