ସମ୍ବଲପୁରର ସ୍ଥିତିନେଇ ଚିନ୍ତାବ୍ୟକ୍ତ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର,୫ା୪ (ବ୍ୟୁରୋ): ସମ୍ବଲପୁର ଜିଲାରେ ସୋମବାର ୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିଗତ ସପ୍ତାହ ହେବ ଦୈନିକ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ କରାଯାଉଛି। ଜମନକିରା ବ୍ଲକ ଡିମିରିମୁଣ୍ଡା ଗ୍ରାମରେ ୩ ଦିନରେ ୧୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଡିମିରିମୁଣ୍ଡା ପଞ୍ଚାୟତରେ ୨୫ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିହିତ ପଦକ୍ଷେପ ନେବାକୁ ସେ ଅତିରିକ୍ତ ଶାସନ ସଚିବ ଓ ଜିଲା ପ୍ରଶାସନ, ଜିଲା ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଛନ୍ତି। ଆଗକୁ ଯେଭଳି ସଂକ୍ରମଣ ନ ବ୍ୟାପେ ସେ ନେଇ ପଦକ୍ଷେପ ନେବା ସହ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ଶୁଭମ୍‌ ସକ୍‌ସେନା ଡିମିରିମୁଣ୍ଡା ଗ୍ରାମକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ଗ୍ରାମର ମୁଖ୍ୟ ରାସ୍ତାକୁ ସିଲ୍‌ କରି ଦିଆଯାଇଛି। ଜରୁରୀ ସେବା ବାଦ୍‌ ଦେଲେ ବାହାର ଲୋକଙ୍କ ଯିବାଆସିବା ଉପରେ ରୋକ୍‌ ଲଗାଯାଇଛି। ବ୍ଲକ ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ସର୍ଭେ ବ୍ୟବସ୍ଥା କରାଯାଉଛି। ସ୍ବାସ୍ଥ୍ୟ କର୍ମୀମାନେ ପ୍ରତି ଘରକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ରିପୋର୍ଟ ସଂଗ୍ରହ କରୁଛନ୍ତି।

Share