ଜିଲାର ସ୍ବାସ୍ଥ୍ୟସେବା ରୁଗ୍ଣ ହେଲାଣି

କେନ୍ଦ୍ରାପଡ଼ା, ୧୫ା୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଛୋଟି ଗ୍ରାମର ରୁକ୍ମଣୀ ପ୍ରଧାନ। ଡାଇବେଟିସ ପାଇଁ ମୂତ୍ର ରୋଗ ହୋଇଛି। ଅନ୍ତନାଳୀରେ ପାଇପ ଲଗାଇବା ଜରୁରୀ। କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସମୟରେ ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ପ୍ରାୟ ନର୍ସଙ୍କ ଅବହେଳା ପାଇଁ ପ୍ରାୟ ୧୨ ଘଣ୍ଟା ଅପେକ୍ଷା କରିବାକୁ ପଡ଼ଲା ବୋଲି ସାହାଯ୍ୟ କରିବାକୁ ଆସିଥିବା ପଡୋଶୀ ନିହାର ରଞ୍ଜନ ପ୍ରଧାନ କହିଛନ୍ତି। ସେହିପରି ପ୍ରସୂତିଙ୍କ ପରିସ୍ଥିତି ଗୁରୁତର ଅଛି ବୋଲି କଟକ ପଠା ଯାଉଥିବା ମହାକାଳପଡ଼ା ବ୍ଲକ ବିଜୟ ନଗର ଗ୍ରାମର ପ୍ରଭାତ କୁମାର ଜେନା କହିଛନ୍ତି। ଜିଲାର ରୁଗ୍ଣ ସ୍ବାସ୍ଥ୍ୟସେବା ନେଇ ଏପରି ଅଭିଯୋଗ ଗୋଟିଏ ଦୁଇଟିରେ ସୀମିତ ନୁହେଁ। ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ୍ସରେ, ଇସିଜି, ଅଲଟ୍ରାସାଉଣ୍ଡ ଆଦି ଦରକାରୀ ପରୀକ୍ଷା ହେଉ ନ ଥିବା ଅଭିଯୋଗ ଆସୁଛି। ବିଶେଷଜ୍ଞ ଡାକ୍ତର କଲ ଆଟେଣ୍ଡ ନ କରିବା ରୋଗୀଙ୍କ ପାଇଁ ବିପଦ ସାହୁଛି। ଜିଲାର ସ୍ବାସ୍ଥ୍ୟସେବାକୁ ନେଇ ଏପରି ବିଚିତ୍ର ଅବସ୍ଥା ଥିବା ବେଳେ ଏହାର ସୁଯୋଗ ଗ୍ରାମାଞ୍ଚଳର କ୍ୱାକ୍‌ ନେଉଥିବା ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି କହିଛନ୍ତି, ୨୦୧୧ ଜନଗଣନା ଅନୁଯାୟୀ ଜିଲାର ଲୋକସଂଖ୍ୟା ସାଢ଼େ ୧୪ ଲକ୍ଷ ଥିବା ବେଳେ ଏବେ ଏହି ସଂଖ୍ୟା ୧୬ ଲକ୍ଷରୁ ଅଧିକ ହୋଇଛି। ଲକ୍ଷେ ଲୋକଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଅନ୍ୟୁନ୍ୟ ୫୦ ଡାକ୍ତରଙ୍କ ଅବଶ୍ୟକତା ଥିବା ବେଳେ ମାତ୍ର ୫ ଡାକ୍ତର ଅଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ ସିଏଚସି, ପିଏଚସି ଆଦିରେ ଡାକ୍ତର ରହୁନାହାନ୍ତି। ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର କେତେକ ସ୍ଥାନରେ ଫାର୍ମାସିଷ୍ଟ ଚଳାଇଛନ୍ତି। ଯେଉଁ ଡାକ୍ତରମାନେ ସହରାଞ୍ଚଳରେ ଅଛନ୍ତି, ସେମାନେ ବେସରକାରୀ ରୋଜଗାରକୁ ଗୁରୁତ୍ୱ ଦେଉଛନ୍ତି। ଏପରି କି ଆବଶ୍ୟକସ୍ଥଳେ ରୋଗୀଙ୍କୁ ଆଟେଣ୍ଡ କରିବାକୁ ବିଶେଷଜ୍ଞମାନେ ଚିକିତ୍ସାଳୟକୁ ଆସୁନାହାନ୍ତି। ଫଳରେ ଅଧିକାଂଶ ରୋଗୀ କଟକ ବଡ଼ ମେଡିକାଲକୁ ରେଫର ହେଉଛନ୍ତି। ସାମାଜିକ କର୍ମୀ ସୁନିଲ କୁମାର ଗନ୍ତାୟତ କହିଛନ୍ତି, ଉପାନ୍ତ ଅଞ୍ଚଳରେ କ୍ୱାକଙ୍କ ସଂଖ୍ୟା ଅତ୍ୟଧିକ ବଢ଼ିଯାଇଛି। ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓ କର୍ମଚାରୀ ଅଭାବ ରହୁଛି। ଏହାବ୍ୟତିତ ଗର୍ଭବତୀ ଓ ଶୀଘ୍ର ଚିକିତ୍ସା ପାଇଁ ଆବଶ୍ୟକ ରୋଗୀ ଉପାନ୍ତ ଅଞ୍ଚଳରୁ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବା ପାଇଁ ଗମନାଗମନ ପଥ ବାଧକ ସାଜିଛି। ଅଦ୍ୟାବଧି ଜିଲାର ୧୭ ପଞ୍ଚାୟତକୁ ସଡ଼କ ଯୋଗାଯୋଗ ପଥ ନାହିଁ। ଏହାର ସୁଯୋଗ କ୍ୱାକ୍‌ ନେଉଛନ୍ତି। ଖୋଲାଖୋଲି ଭାବେ କ୍ୱାକ୍‌ମାନେ ଗ୍ରାମ ଓ ବଜାରରେ ଜଳଖିଆ ଦୋକାନ ପରି ପ୍ରକୋଷ୍ଠ ଖୋଲି ଚିକିତ୍ସା କରୁଛନ୍ତି। ଏଥିପାଇଁ ବହୁ ଜୀବନହାନି ହେଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଏପରି ଠକ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ସାମାଜିକ କର୍ମୀ ପଟ୍ଟାମୁଣ୍ଡାଇର ପ୍ରତାପ କୁମାର ପାଢ଼ୀ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେଉଛନ୍ତି। ଆବଶ୍ୟକ ଅନୁଯାୟୀ, ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ସହିତ ପରୀକ୍ଷା ପାଇଁ ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି। ତେବେ ଏହି ଯନ୍ତ୍ରପାତିର ଉପଯୋଗ ହେଉନାହିଁ। ଖଡ଼ଇଙ୍ଗରୁ ଶ୍ୟାମଗୁଡ଼ିଆକୁ ନୂଆ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ପରେ ଚିକିତ୍ସା ସେବା ଉନ୍ନତ ହେବ ବୋଲି ଆଶା ଥିଲା। ମାତ୍ର ଏବେ ବି ଏକ୍ସରେ, ଅଲଟ୍ରାସାଉଣ୍ଡ, ଇସିଜିଠାରୁ ଅନ୍ୟ ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷାରେ ରୋଗୀ ବାହାର କ୍ଲିନିକ ଓ ପରୀକ୍ଷାଗାର ଉପରେ ନିର୍ଭର କରୁଛନ୍ତି। ଏପରି ଅବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଛି। ରାତିରେ କୌଣସି ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ଲେ ଡିଉଟିରେ ଥିବା ଡାକ୍ତର ସିଧା କଟକ ବଡ଼ ମେଡିକାଲକୁ ରେଫର କରୁଛନ୍ତି। ଏହାସହ ନିରାମୟରେ ସମସ୍ତ ଔଷଧ ରାଖାଯାଉନାହିଁ। ଏ ସମ୍ପର୍କରେ ଡିଏମ୍‌ଓ ଡା. ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ପଚାରିବାରେ ନୂଆ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅବ୍ୟବସ୍ଥାକୁ ସୁଧାର କରାଯାଉଛି। ଏବେ କଟକକୁ ରେଫର ରୋଗୀଙ୍କ ସଂଖ୍ୟା ବହୁତ କମିଛି ବୋଲି ସେ କହିଛନ୍ତି।

Share