Categories: ଜାତୀୟ

ସୁସ୍ଥ ହାର ୬୫.୪୪%

ନୂଆଦିଲ୍ଲୀ, ୩ା୮(ପି.ଟି.): ଭାରତରେ କୋଭିଡ୍‌-୧୯ ସୁସ୍ଥ ହାର ୬୫.୪୪ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୧ ହଜାର ସୁସ୍ଥ ହୋଇଛନ୍ତି। ସେମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୪୫ ହଜାର ୬୨୯ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦେଶରେ ଏବେ ୫,୬୭,୭୩୦ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି କିମ୍ବା ହୋମ୍‌ ଆଇସୋଲେଶନରେ ରହିଛନ୍ତି, ଯାହାକି ମୋଟ ମାମଲାର ୩୨.୪୩ ପ୍ରତିଶତ। ସେହିପରି କରୋନାରେ ମୃତ୍ୟୁହାର ୨.୧୩ ପ୍ରତିଶତକୁ ହ୍ରାସ ପାଇଛି। ଏହା ବିଶ୍ୱରେ ସର୍ବନିମ୍ନ।
କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ସମନ୍ବିତ କୋଭିଡ୍‌ ପରିଚାଳନା ରଣନୀତି, ନିଃସ୍ବାର୍ଥପର ଭାବେ କରୋନା ରୋଗୀଙ୍କ ଚିକିତ୍ସାରେ ନିଜକୁ ଉତ୍ସର୍ଗୀକୃତ କରିଥିବା ସମସ୍ତ ଆଗଧାଡ଼ିର ସ୍ବାସ୍ଥ୍ୟ କର୍ମଚାରୀ, ବିଭିନ୍ନ ସେକ୍ଟରର କୋଭିଡ୍‌ ଯୋଦ୍ଧାମାନଙ୍କ ଉଦ୍ୟମ ଫଳରେ ଆରୋଗ୍ୟ ହାର କ୍ରମାଗତ ଭାବେ ବଢ଼ିଚାଲିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଜୁନ୍‌ ୧୦ରେ ପ୍ରଥମ ଥର ପାଇଁ ଆରୋଗ୍ୟଙ୍କ ସଂଖ୍ୟା ଆକ୍ଟିଭ୍‌ ମାମଲାକୁ ଟପିଥିଲା। ଏବେ ସକ୍ରିୟ ମାମଲାଠାରୁ ଆରୋଗ୍ୟଙ୍କ ସଂଖ୍ୟା ୫,୭୭,୮୯୯ ଅଧିକ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରବିବାର ୧୭ ଲକ୍ଷ ଅତିକ୍ରମ କରିଛି। ୨୪ ଘଣ୍ଟା ମଧ୍ୟରେ ୫୪,୭୩୫ ନୂଆ ମାମଲା ସାମ୍‌ନାକୁ ଆସିଛି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା୧୭,୫୦,୭୨୩ରେ ପହଞ୍ଚତ୍ଥିବାବେଳେ ୩୭,୩୬୪ ଜଣଙ୍କ ଜୀବନ ଗଲାଣି। ଗତ ୨୪ ଘଣ୍ଟାରେ ୮୫୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Share