ବର୍ଷା-ଅନୁଭବ ବିବାଦ: ଶୁଣାଣି ତାରିଖ ଘୁଞ୍ଚିଲା

କଟକ ଅଫିସ,୭ା୯: ଓଲିଉଡର ଚର୍ଚ୍ଚିତ ଯୋଡ଼ି ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅନୁଭବଙ୍କ ବିରୋଧରେ ଅଭିଯୋଗ ଉଠାଇ ବର୍ଷା କଟକସଦର ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଅନୁଭବ ମଧ୍ୟ ଛାଡପତ୍ର ଦେବାକୁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଛନ୍ତି। ପ୍ରସଙ୍ଗ ଜଟିଳ ପରିସ୍ଥିତି ଭିତରକୁ ଠେଲି ହେବାରେ ଲାଗିଲାଣି। ସ୍ବାମୀ ଅନୁଭବଙ୍କ ବିରୋଧରେ ବର୍ଷା ଆଣିଥିବା ପାରିବାରିକ ହିଂସା ମାମଲାର ଶୁଣାଣି ତାରିଖ ଘୁଞ୍ଚିଛି। ଆଜି ହେବାକୁ ଥିବା ଏହି ମାମଲାର ଶୁଣାଣି ଅକ୍ଟୋବର ୧୨ରେ ହେବାକୁ ତାରିଖ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି।
ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଛାଡ଼ପତ୍ର ପିଟିଶନ ଦାଖଲ କରିଛନ୍ତି। ପିଟିଶନ ୪୭ ପୃଷ୍ଠାର ରହିଛି। ଏଥିରେ ସେ ବର୍ଷାଙ୍କ ନାଁରେ  ଗୁରୁତର ଅଭିଯୋଗ ଉଠାଇଛନ୍ତି। ବିବାହ ପରେ ଶାରୀରିକ ସମ୍ପର୍କ ରଖିବା ପାଇଁ ବର୍ଷା ରାଜି ହେଉ ନ ଥିବା ଅନୁଭବ ଏଥିରେ ଉଲ୍ଲେଖ କରିଛନ୍ତି। ଯାହା ତାଙ୍କୁ ଅସହଜ, ଅସୁଖୀ କରୁଥିଲା। ବର୍ଷା ଶାଶୁଘରେ ନ ରହି ଅଧିକାଂଶ ସମୟ ବାପଘରକୁ ଚାଲି ଯାଉଥିଲେ। ଶାଶୁଘର ଖାଦ୍ୟ ତୁଳନାରେ ବାପଘର ଖାଦ୍ୟକୁ ଅଧିକ ପସନ୍ଦ କରୁଥିଲେ। ଏପରି କି ସେ ଶାଶୁଘର ଲୋକଙ୍କ ସହ ମିଶୁ ନ ଥିଲେ ଓ ବାରମ୍ବାର ବାପଘର ଯିବାକୁ ବାହାନା କରୁଥିଲେ ବୋଲି ଅନୁଭବ ପିଟିଶନରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା। ଜଣେ ସହ ଅଭିନେତ୍ରୀଙ୍କ ସହ ସମ୍ପର୍କ ରଖିଥିବା ଭଳି ମିଥ୍ୟା ଆରୋପ କରି ତାଙ୍କ ସହ କଳି କରୁଥିଲେ ଓ ବିଭିନ୍ନ କେସ୍‌ରେ ଫସାଇବାକୁ ଧମକ ଦେଉଥିଲେ ବୋଲି ମଧ୍ୟ ଅନୁଭବ ଦର୍ଶାଇଛନ୍ତି। ଭଲ ସ୍ତ୍ରୀ ଓ ଭଲ ବୋହୂ ହେବାରେ ବର୍ଷା ବିଫଳ ହୋଇଛନ୍ତି। ବର୍ଷାଙ୍କ ସହ ରହିବାକୁ ଅନୁଭବ ଅନିଚ୍ଛା ପ୍ରକାଶ କରିଥିବା ପିଟିଶନରେ ଉଲ୍ଲେଖ କରାଯାଇଛି। ୨୦୧୯ ମେ’ ପହିଲାରୁ ଉଭୟ ଅଲଗା ରହୁଛନ୍ତି। ଏଣୁ ଏହି ବିବାହକୁ ରଦ୍ଦ କରିବା ସହ ଛାଡ଼ପତ୍ର ଆବେଦନକୁ ମଞ୍ଜୁର କରିବାକୁ ସେ ନିବେଦନ କରିଛନ୍ତି।

Share